ଏସସିବିରୁ ସୁରଟକୁ ଏୟାର ଲିଫ୍ଟିଂ ହେଲେ ଗୁରୁତର ରୋଗୀ

କଟକ(ଏନ୍.ଏମ୍.): କଟକ ବଡ଼ମେଡ଼ିକାଲ(ଏସସିବି)ରୁ ଜଣେ ଗୁରୁତର ରୋଗୀଙ୍କୁ ଏୟାର ଲିଫ୍ଟିଙ୍ଗ କରାଯାଇଛି । ରୋଗୀର ଯେଭଳି କୌଣସି ଅସୁବିଧା ନହୁଏ ସେଥିଲାଗି ଏସସିବିରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପୁଲିସ ଏସ୍କର୍ଟରେ ଗ୍ରୀନ କରିଡର କରାଯାଇଥିଲା । ଏଥିଲାଗି କଟକରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ହାଇଆଲର୍ଟ ଜାରି ହୋଇଥିଲା । ଏୟାର ଆମ୍ବୁଲାନ୍ସରେ ରୋଗୀ ଜଣକ ବିମାନବନ୍ଦର ଯାଏଁ ଯାଇଥିଲେ । ଗୁରୁତର ରୋଗୀ ଜଣକ ଇନ୍ଦ୍ରମଣି ପାଣି ଏବଂ ଉନ୍ନତ ଚିକିତ୍ସା ଲାଗି ତାଙ୍କୁ ସୁରାଟ ନିଆଯାଇଛି । ଇନ୍ଦ୍ରମଣିଙ୍କ ପୁଅ ବାଞ୍ଛାନିଧି ପାଣି ଜଣେ ଓଡିଆ ଆଇଏସ ଅଧିକାରୀ ହୋଇଥିବାବେଳେ ସମ୍ପ୍ରତି ସେ ସୁରାଟ ମ୍ୟୁନିସିପାଲ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି । ଗତ କିଛି ଦିନ ଧରି ଇନ୍ଦ୍ରମଣି କିଡନୀ ଜନିତ ରୋଗ ସମେତ ଉଚ୍ଚ ରକ୍ତଚାପ ସମସ୍ୟା ହେତୁ ଏସସିବି ଚିକିତ୍ସିତ ହେଉଥିଲେ । ଗତ ୧୦ ଦିନ ତଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିସିନ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଉନ୍ନତି ଚିକିତ୍ସା ଲାଗି ତାଙ୍କୁ ସୁରଟ ନେବାକୁ ପୁଅ ଅନୁମତି ନେଇଥିଲେ । ଆଜି ଏସସିବିରୁ ତାଙ୍କୁ ଏୟାରଲିଫ୍ଟରେ ସୁରଟକୁ ନିଆଯାଇଥିବା ଜଣାପଡ଼ିଛି ।