ଏଫସିଆଇ ଗୋଦାମରୁ ପିଡିଏସ ସାମଗ୍ରୀରେ ଗେଟି, ପଥର ଓ ମାଟି ମିଶିବା ଅଭିଯୋଗ

ଏଫସିଆଇ ଗୋଦାମରୁ ପିଡିଏସ ସାମଗ୍ରୀରେ ଗେଟି, ପଥର ଓ ମାଟି ମିଶିବା ଅଭିଯୋଗ

ଏଫସିଆଇ ଗୋଦାମରୁ ପିଡିଏସ ସାମଗ୍ରୀରେ ଗେଟି, ପଥର ଓ ମାଟି ମିଶିବା ଅଭିଯୋଗ

ଯୋଗାଣ ବିଭାଗ ଉପରେ ଉପଭୋକ୍ତାଙ୍କ ତୁଟୁଛି ଭରସା


କଟକ(ଏନ୍‌.ଏମ୍‌.): ଗରିବ ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ସାମଗ୍ରୀରେ ମିଶିଛି ଗେଟି ପଥର ଓ ମାଟି । ଏ ନେଇ ଉପଭୋକ୍ତାମାନେ ସମ୍ପୃକ୍ତ ଡିଲରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଡିଲର ମଧ୍ୟ ଲୋକଙ୍କ ସମ୍ମୁଖରେ ଅନ୍ୟ ପ୍ୟାକେଟ ଖୋଲିବା ବେଳକୁ ସେଥିରୁ ମଧ୍ୟ ମାଟି ବାହାରିଥିଲା । ଫଳରେ ଉପଭୋକ୍ତାମାନେ ବାଧ୍ୟ ହୋଇ ସେହି ପିଡିଏସ ସାମଗ୍ରୀ ନେଇଥିଲେ । ତେବେ ଏ ନେଇ ଅଞ୍ଚଳରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏଭଳି ଘଟଣା କଟକ ମହାନଗର ନିଗମ ଅନ୍ତର୍ଗତ ୩ ନମ୍ବର ୱାର୍ଡ଼ ଷଣ୍ଢପୁର ଅଞ୍ଚଳରେ ଦେଖିବାକୁ ମିଳିଛି ।
ଗରିବ ଲୋକମାନେ ଯେଭଳି ଖାଦ୍ୟାଭାବ ଯୋଗୁଁ ଉପାସ ନରହିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ପିଡିଏସ ସାମଗ୍ରୀ ପ୍ରଦାନ କରାଯାଉଛି । ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମୁଣ୍ଡପିଛା ୧ଟଙ୍କା ମୂଲ୍ୟରେ ୫କିଲୋଗ୍ରାମ ଚାଉଳ କିମ୍ବା ଗହମ ପ୍ରଦାନ କରାଯାଉଛି । ଏହାଦ୍ୱାରା ଗରିବ ଅସହାୟ ପରିବାର ମୁହଁରେ ଦାନା ମୁଠାଏ ପହଞ୍ôଚ ପାରୁଛି । ତେବେ ଜନସାଧାରଣଙ୍କୁ ପ୍ରଦାନ କରାଯାଉଥିବା ପିଡିଏସ ସାମଗ୍ରୀରେ ଗୋଡ଼ି ମାଟି ଆଦି ମିଶି ଆସିବା ଗରିବଙ୍କୁ ଉପହାସ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଖାଦ୍ୟ ସାମଗ୍ରୀରେ ଅଖାଦ୍ୟ ମିଶୁଥିବା କୁହାଯାଉଛି । ଏପରିକି ଫୁଡ କର୍ପୋରେସନ ଅଫ ଇଣ୍ଡିଆ (ଏଫସିଆଇ) ଗୋଦାମରୁ ଆସୁଥିବା ପ୍ୟାକେଟରେ ଏସବୁ ସାମଗ୍ରୀ ମିଶିକି ଆସୁଥିବା କୁହାଯାଉଛି । ଗୋଦାମରେ ଦୀର୍ଘ ଦିନ ଧରି ଚାଉଳ, ଗହମ ଆଦି ରହିବା ଫଳରେ ସେଠାରେ ପ୍ୟାକେଟଗୁଡ଼ିକୁ ମୁଷା କାଟି ପକାଉଛନ୍ତି । ଯାହାଦ୍ୱାରା ପ୍ୟାକେଟରୁ ବାହାରି ପଡ଼ିଥିବା ସାମଗ୍ରୀ ଗୁଡ଼ିକୁ କର୍ମଚାରୀମାନେ ପୁନର୍ବାର ପ୍ୟାକେଟରେ ଭର୍ତ୍ତି କରି ଓଜନ କରିବା ପରେ ଡିଲରମାନଙ୍କୁ ଦେଇଥାନ୍ତି । ସେହି ପ୍ୟାକେଟରେ ମାଟି, ଗୋଡ଼ି ପଥର ବାହାରିବା ସ୍ୱାଭାବିକ । ବେଳେବେଳେ ପ୍ୟାକେଟରେ ଥିବା ଚାଉଳ ଓ ଗହମରେ ପାରା, ମୂଷା ମଳ ଆଦି ବାହାରିଥାଏ ବୋଲି କିଛି ଲୋକ ପ୍ରକାଶ କରିବା ସହ ଏ ନେଇ ଏଫସିଆଇରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦୋଷ ଦେଉଛନ୍ତି । ପୁନଶ୍ଚ ଏଫସିଆଇରେ ଡିଲରମାନଙ୍କୁ ଯେଉଁ ସାମଗ୍ରୀ ଦିଆଯାଉଛି ସମସ୍ତ ପ୍ୟାକେଟଗୁଡ଼ିକୁ ଓଜନ କରାଯାଉ ନାହିଁ । ପ୍ରତି ପ୍ୟାକେଟରେ ୫୦ କିଲୋଗ୍ରାମ ଲେଖା ଥିବାବେଳେ ପ୍ୟାକେଟରେ ସେତିକି ପରିମାଣର ସାମଗ୍ରୀ ନଥିବା ଯୋଗୁଁ ଡିଲରମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି ବୋଲି ଅଭିଯୋଗ ଉଠିଛି । ଏପରିକି ଗୋଟିଏ ଗୋଟିଏ ପ୍ୟାକେଟରୁ ୪୮ରୁ ୪୫ କିଲୋଗ୍ରାମ ଭଳି ଚାଉଳ କିମ୍ବା ଗହମ ବାହାରୁଛି । ତେବେ ସରକାରଙ୍କ ପକ୍ଷରୁ ଯେଉଁ କଲ୍ୟାଣମୂଳକ ଚିନ୍ତାଧାରା ଆରମ୍ଭ ହେଉଛି ତାହା ବାଟମାରଣା ହେବା ଯୋଗୁଁ ଗରିବ ଜନସାଧାରଣ ସରକାରଙ୍କ ଏହି ଜନହିତକର ଯୋଜନା ଉପରୁ ଭରଷା ତୁଟୁଥିବା ଅଭିଯୋଗ ଉଠିଛି । ତେବେ ଏ ନେଇ ଅତିରିକ୍ତ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ରଙ୍କୁ ପଚାରିବାରେ ପିଡିଏସ ପ୍ୟାକେଟରେ କେବେ ଅପମିଶ୍ରଣ କରାଯାଏ ନାହିଁ । କିନ୍ତୁ ବେଳେବେଳେ କିଛି ପ୍ୟାକେଟରେ ମାଟି ରହିଯାଇଥାଏ । ଯେହେତୁ ଏହା କୃଷିଜାତ ସାମଗ୍ରୀ କିଛି ମାଟି ଗୋଡ଼ି ରହିବା ସ୍ୱଭାବିକ । କିନ୍ତୁ ଚାଉଳରେ ମାଟି ଗୋଡ଼ି ଆସେ ନାହିଁ । ବେଳେ ବେଳେ ଗୋଦାମରେ ପ୍ୟାକେଟ ଫାଟିଯାଉଥିବାରୁ କିଛି ଦ୍ରବ୍ୟ ବାହାରକୁ ବାହାରିପଡେ ତେଣୁ ସେଗୁଡ଼ିକୁ ପୁନଃ ପ୍ୟାକେଟରେ ଭର୍ତ୍ତି କରି ପ୍ୟାକେଟ ଡିଲରମାନଙ୍କୁ ଦିଆଯାଏ । ଏହି ସମୟରେ ମାଟି ବାଲି ରହିବାର ସମ୍ଭାବନା ରହିଛି । ତେଣୁ ଏ ଭଳି ଅଭିଯୋଗ ପାଇବା ପରେ କିଭିଳି ଏହାର ପୁନରାବୃତ୍ତି ନହେବ ସେ ନେଇ ଗୋଦାମ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ । ତେବେ ଲୋକଙ୍କୁ ଦିଆଯାଉଥିବା ପିଡିଏସ ସାମଗ୍ରୀରେ ଅପମିଶ୍ରଣ ନହେବ ସେଥି ନେଇ ଯୋଗାଣ ବିଭାଗ ଗୁରୁତ୍ୱ ଦେବାକୁ ଉପଭୋକ୍ତାଙ୍କ ମହଲରେ ଦାବି ହେଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ