ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା: କେନ୍ଦ୍ରରେ ୩ଲକ୍ଷ ୮୬ହଜାର ୨୫୦ଛାତ୍ରଛାତ୍ରୀ
#ଭୁବନେଶ୍ୱର(ଏନ୍.ଏମ୍.): ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ଏଥର ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ଜଣାପଡ଼ିଛି । ଆଜି ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ମାତୃଭାଷା ପରୀକ୍ଷା ରହିଛି । ତେବେ କୌଣସି ପ୍ରକାର ଭାଇରାଲ ପ୍ରଶ୍ନପତ୍ରକୁ ବିଶ୍ୱାସ ନକରିବାକୁ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ପରାମର୍ଶ ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ପ୍ରତିଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ । ପ୍ରଥମ ୧୦ଟି ବିଷୟ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ହବରେ ପହଞ୍ଚି ସାରିଛି । ଏଥର ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ହୋଇଛି ଏବଂ ପ୍ରଶ୍ନପତ୍ର ବିଭ୍ରାଟ ହେବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପରୀକ୍ଷା ନିୟନ୍ତ୍ରକ ଶ୍ରୀ ନାୟକ । ପରୀକ୍ଷା ସକାଳ ୧୦ଟାରେ ଆରମ୍ଭ ହୋଇଥିବାବେଳେ ୩୦ ମିନିଟ ପୂର୍ବରୁ ସେଣ୍ଟରରେ ଏବଂ ୧୫ ମିନିଟ ପୂର୍ବରୁ ହଲରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା । ଏଥିସହିତ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି ଏବଂ ମାଧ୍ୟମିକ ଶିକ୍ଷା ପରିଷଦରେ ଏହାର ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି । ପରୀକ୍ଷା ଲାଗି ଭିନ୍ନକ୍ଷମମାନଙ୍କୁ ଅଧିକ ଘଣ୍ଟାଏ ସମୟ ମିଳିବ ବୋଲି ପରୀକ୍ଷା ନିୟନ୍ତ୍ରକ ଶ୍ରୀ ନାୟକ କହିଛନ୍ତି ।