ଆକାଶ ପଥ ବନ୍ଦ ନିଷ୍ପତ୍ତି ବଦଳାଇବାକୁ ପାକିସ୍ତାନକୁ କହିଲା ଭାରତ

ଆକାଶ ପଥ ବନ୍ଦ ନିଷ୍ପତ୍ତି ବଦଳାଇବାକୁ ପାକିସ୍ତାନକୁ କହିଲା ଭାରତ

ଆକାଶ ପଥ ବନ୍ଦ ନିଷ୍ପତ୍ତି ବଦଳାଇବାକୁ ପାକିସ୍ତାନକୁ କହିଲା ଭାରତ


ନୂଆଦିଲ୍ଲୀ (ଏଜେନ୍ସି) : ଭାରତରୁ ପାକିସ୍ତାନ ଦେଇ ବିଦେଶକୁ ଯାଉଥିବା ବିମାନ ଗୁଡ଼ିକ ଚଳାଚଳ ଉପରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ତେଣୁ ପାକିସ୍ତାର ଆକାଶ ପଥ ବନ୍ଦ କରିବା ନିଷ୍ପତ୍ତି ଉପରେ ପୁଣିଥରେ ବିଚାର କରିବା ଦରକାର ବୋଲି ଭାରତ ସରକାର କହିଛନ୍ତି । ଏଥିସହ ଭାରତ ପକ୍ଷରୁ ପାକିସ୍ତାନକୁ ନିଜର ନିଷ୍ପତ୍ତି ବଦଳାଇବାକୁ ମଧ୍ୟ କୁହାଯାଇଛି । ଜମ୍ମୁ-କଶ୍ମୀରର ଶ୍ରୀନଗରରୁ ସାରଜାକୁ ଉଡ଼ାଣ କରୁଥିବା ବିମାନକୁ ପାକିସ୍ତାନ ତା’ର ଆକାଶ ପଥ ବ୍ୟବହାର କରିବାକୁ ନଦେବା ଯୋଗୁ କୂଟନୀତିକସ୍ତରରେ ଉଭୟ ଦେଶ ଏହି ପ୍ରସଙ୍ଗରେ ପରସ୍ପର ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଭାରତ ପକ୍ଷରୁ ପାକିସ୍ତାନକୁ ନିଷ୍ପତ୍ତି ବଦଳାଇବାକୁ କୁହାଯାଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର ପାକିସ୍ତାନକୁ କହିଛନ୍ତି ଯେ, ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟି ରଖି ଇସଲାମାବାଦ ଗୋ ଫାଷ୍ଟର ଶ୍ରୀନଗର-ସାରଜା ବିମାନକୁ ନିଜର ଆକାଶ ପଥ ବ୍ୟବହାର କରିବାକୁ ଅନୁମତି ଦେବା ଆବଶ୍ୟକ । ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ବି ଭଲ ସମ୍ପର୍କ ସୃଷ୍ଟି ହୋଇପାରିବ । କିନ୍ତୁ ପାକିସ୍ତାନ ଏହାର ଜବାବରେ କ’ଣ କହିଛି ସେକଥା ଜଣାପଡ଼ିନି । ପାକିସ୍ତାନ ଅକ୍ଟୋବର ୨୩, ୨୪,୨୬ ଓ ୨୮ ତାରିଖରେ ଶ୍ରୀନଗରରୁ-ସାରଜା ଯାଉଥିବା ଗୋ ଫାଷ୍ଟ ବିମାନକୁ ତା’ର ଆକାଶ ପଥ ବ୍ୟବହାର କରିବାକୁ ଦେଇଥିଲା । କିନ୍ତୁ ଅକ୍ଟୋବର ୩୦ରୁ ପାକିସ୍ତାନ ଉକ୍ତ ବିମାନ ପାଇଁ ନିଜର ଆକାଶ ପଥ ବନ୍ଦ କରି ଦେଇଛି । ସୂଚନାଯୋଗ୍ୟ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିକଟରେ ଜମ୍ମୁ-କଶ୍ମୀର ଗସ୍ତ କରିଥିଲେ । ଏହି ସମୟରେ ଗୋ ଫାଷ୍ଟ ପକ୍ଷରୁ ଶ୍ରୀନଗରରୁ ସିଧାସଳଖ ସାରଜା ଅଭିମୁଖେ ଆରମ୍ଭ ହେବାକୁ ଥିବା ବିମାନ ସେବାକୁ ଉଦଘାଟନ କରିଥିଲେ । ହେଲେ ଗୋ-ଫାଷ୍ଟର ପ୍ରଥମ ୪ ବିମାନ ଉଡ଼ାଣକୁ ଅନୁମତି ଦେବା ପରେ ପାକିସ୍ତାନ ୩୦ ତାରିଖରୁ ନିଜର ଆକାଶ ପଥକୁ ଗୋ-ଫାଷ୍ଟ ପାଇଁ ସିଲ୍ କରି ଦେଇଛି । ୨୦୦୯ ମସିହାରେ ମଧ୍ୟ ସମାନ ନୀତି ପ୍ରଦର୍ଶନ କରିଥିଲା ପାକିସ୍ତାନ । ୨୦୦୯ରେ ଶ୍ରୀନଗରରୁ ଦୁବାଇକୁ ବିମାନ ସେବା ଆରମ୍ଭ ହୋଇଥିଲା । କିନ୍ତୁ ପାକିସ୍ତାନ ନିଜର ଆକାଶ ପଥ ବ୍ୟବହାର କରିବାକୁ ଉକ୍ତ ବିମାନକୁ ଅନୁମତି ଦେଇ ନଥିଲା । ଶେଷରେ ଶ୍ରୀନଗରରୁ ଦୁବାଇ ଯିବାକୁ ଲୋକଙ୍କ ଚାହିଦା ହ୍ରାସ ପାଇଥିଲା । ପାକିସ୍ତାନ ନିଜ ଆକାଶ ପଥର ବ୍ୟବହାର କରିବାକୁ ଅନୁମତି ଦେଉ ନଥିବାରୁ ଶ୍ରୀନଗରରୁ ବିମାନ ଅଲଗା ରାସ୍ତା ଦେଇ ୟୁଏଇ ଯିବ । ଏଥିପାଇଁ ପ୍ରାୟ ଅଧିକ ୧ ଘଣ୍ଟା ସମୟ ଲାଗିବ । ଫଳରେ ଟିକେଟ ଭଡ଼ା ମଧ୍ୟ ବୃଦ୍ଧି ପାଇବ । ତେଣୁ ସମସ୍ତ ସମସ୍ୟାକୁ ବିଚାରକୁ ନେଇ ପାକିସ୍ତାନ ନିଜର ଆକାଶ ପଥ ଉପରେ ଅଙ୍କୁଶ ନଲଗାଇବା ଉଚିତ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । ଯାହାଦ୍ୱାରା କି କେବଳ ଭାରତ ନୁହେଁ ବିଶ୍ୱର ଜନସାଧାରଣଙ୍କ ପାଇଁ ମଧ୍ୟ ଏହାର ଆବଶ୍ୟକତା ରହିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି