ଆଉ ନାହାନ୍ତି ଓଡ଼ିଶା ରାଜନୀତିର ମହାଦ୍ରୁମ ଦାମୋଦର ରାଉତ

ଆଉ ନାହାନ୍ତି ଓଡ଼ିଶା ରାଜନୀତିର ମହାଦ୍ରୁମ ଦାମୋଦର ରାଉତ

ଆଉ ନାହାନ୍ତି ଓଡ଼ିଶା ରାଜନୀତିର ମହାଦ୍ରୁମ ଦାମୋଦର ରାଉତ


#ଭୁବନେଶ୍ୱର/ଜଗତସିଂହପୁର(ଏନ୍‌.ଏମ୍‌.): ବିଶିଷ୍ଟ ଜନନାୟକ ତଥା ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ ଆଉ ନାହାନ୍ତି । ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି । ଶୁକ୍ରବାର ଭୋର ୫ଟା ୨୩ ମିନିଟରେ ଏହି ବର୍ଷୀୟାନ ନେତାଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ଦିନ ଧରି କିଡନୀଜନିତ ସମସ୍ୟା ସହ ଜୁଝୁଥିବା ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ଅକ୍ସିଜେନ୍ ସାଚୁରେସନ କମିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା ବୋଲି କହିଛନ୍ତି ଦାମ ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ । ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ କାର୍ଯ୍ୟକ୍ଷମ ହୋଇଥିଲା । ତେବେ ମସ୍ତିଷ୍କରେ ଗୁରୁତର କ୍ଷତି ହୋଇଥିବାରୁ ସେ ପ୍ରାୟତଃ ବ୍ରେନଡେଡ୍ ସ୍ଥିତିରେ ବୋଲି କହିଥିଲେ ପୁଅ ସମ୍ବିତ । ଦାମଙ୍କ ଚିକିତ୍ସା ନିମନ୍ତେ ଡାକ୍ତରୀ ଟିମ୍ ନିୟୋଜିତ ହୋଇଥିଲେ । ମାତ୍ର ଶତଚେଷ୍ଟା ସତ୍ତ୍ୱେ ସେ ଆଜି ଭୋରରୁ ଆଖି ବୁଜିଥିବା ଜଣାଯାଇଛି । ଦାମଙ୍କମ ମରଶରୀରକୁ ଆଜି ପ୍ରଥମେ ୟୁନିଟ ୬ସ୍ଥିତ ସରକାରୀ ବାସଭବନକୁ ନିଆଯିବା ପରେ ତାଙ୍କୁ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ପାର୍ଟି କାର୍ଯ୍ୟକର୍ତ୍ତା ଦାମଙ୍କ ଶେଷ ଦର୍ଶନ କରିଥିଲେ । ଏହାପରେ ମରଶରୀରକୁ ବିଧାନସଭାକୁ ନିଆଯିବାପରେ ସେଠାରେ ବିଧାୟକମାନେ ତାଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ଦାମଙ୍କ ମରଶରୀରକୁ ପାରାଦୀପ ନିର୍ବାଚନ ମଣ୍ଡଳୀକୁ ନିଆଯାଇଥିଲା । ଏହାପରେ ରାତିରେ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।
ଦାମ ରାଉତଙ୍କ ରାଜନୈତିକ କ୍ୟାରିଅର ବହୁତ ଲମ୍ବା ଥିଲା । ୭ ଥରର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦାମ ରାଉତ ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୦ ମସିହାରେ ଜନତା ଦଳ ସେକୁଲାରରୁ ସେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୫ ମସିହାରେ ପରାଜିତ ହୋଇଥିବା ଦାମ ୨୦୦୦ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇଥିଲେ । ୫ ଥର ଏରସମା ଓ ୨ଥର ପାରାଦ୍ୱୀପରୁ ନିର୍ବାଚିତ ହୋଇଥିଲେ ଦାମ । ବିଜୁ ଓ ନବୀନ ସରକାରରେ ୭ରୁ ଅଧିକ ବିଭାଗର ମନ୍ତ୍ରୀ ପଦ ସମ୍ଭାଳି ଥିଲେ ଦାମ । ୨୦୧୭ ମସିହାରେ ବିଜୁ ଜନତା ଦଳରୁ ବହିଷ୍କାର ହୋଇଥିବା ଦାମ ଏହାପରେ ବିଜେପରେ ଯୋଗ ଦେଇଥିଲେ । ୨୦୧୯ ମସିହାରେ ବାଲିକୁଦାରୁ ବିଜେପି ଟିକେଟରୁ ଲଢ଼ି ପରାଜୟ ବରଣ କରିଥିଲେ ଦାମ । ଗତ ଜାନୁଆରୀରେ ବିଜେଡି ପକ୍ଷରୁ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଥିଲା । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତରାଜକୁ ସୁଦୃଢ କରିବାରେ ଦାମ ରାଉତରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ସେ ପଞ୍ଚାୟତିରାଜ ତଥା କୃଷି ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ଦାମ ରାଉତଙ୍କ ବିୟୋଗ ଖବର ପ୍ରଚାରିତ ହେବା କ୍ଷଣି ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଦାମଙ୍କ ବିୟୋଗରେ ରାଜ୍ୟ ଜଣେ ଦକ୍ଷ ରାଜନେତାଙ୍କୁ ହରାଇଲା ବୋଲି ବହୁ ବରିଷ୍ଠ ନେତା ପ୍ରକାଶ କରିଛନ୍ତି । ସେହିଭଳି ଦାମୋଦର ରାଉତଙ୍କ ଦେହାନ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକପ୍ରକାଶ କରିଛନ୍ତି । ସୋଶିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଏବଂ ଦେଶର ଉନ୍ନତି ପାଇଁ ତାଙ୍କ ଅବଦାନ ସ୍ମରଣୀୟ । ପରିବାର ବର୍ଗଙ୍କ ସହ ଅନୁଗାମୀଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି । ଦାମ ରାଉତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି ବୋଲି ସୋଶିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି ସହ ଶୋକସନ୍ତପ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ । ସେହିପରି ଡାକ୍ତର ଦାମୋଦର ରାଉତଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି । ସେ ମଧ୍ୟ ସୋଶିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଜଣେ ସ୍ପଷ୍ଟବାଦୀ ଓ ଅନୁଭବୀ ରାଜନେତାଙ୍କୁ ହରାଇଲା । ଦୀର୍ଘ ବର୍ଷ ଧରି ରାଜନୀତିରେ ରହି ଲୋକକଲ୍ୟାଣ କାର୍ଯ୍ୟରେ ସେ ନିଜୟକୁ ନିୟୋଜିତ କରିଥିଲେ ଦାମୋଦର ରାଉତ । ଡାକ୍ତର ରାଉତଙ୍କ ପରଲୋକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଓ ବରିଷ୍ଠ ବିଜେଡି ନେତା ଚ୍ୟାଉ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି । ତେବେ ଦାମ ରାଉତ ଗୋଟେ ସଂଘର୍ଷର ନାଁ । ସେହି ସଂଘର୍ଷର ଆଜି ଅବସାନ ଘଟିଛି । ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ମୃତ୍ୟୁ ପରେ ଭାଙ୍ଗିପଡ଼ିଛନ୍ତି ତାଙ୍କ ଝିଅ ପ୍ରିତିନନ୍ଦା ରାଉତରାୟ । କୋହଭରା କଣ୍ଠରେ ସେ କାନ୍ଦିକାନ୍ଦି ଏପରି କହିଛନ୍ତି । ସେ ଆହୁରି କହିଛନ୍ତି, ବହୁତ ଦିନ ହେଲା ବାପାଙ୍କ ଦେହ ଖରାପ ରହୁଥିଲା । ପରେ ଭଲ ହୋଇଯାଉଥିଲା । ଆଜି ହଠାତ୍ ଏପରି ହୋଇଗଲା । ଆଜି ଦିନଟି ଆମ ପାଇଁ କଷ୍ଟର ଦିନ । ମୋ ବାପା ଜଣେ ଭଲ ଓ ଦରଦୀ ମଣିଷ ଥିଲେ ବୋଲି ସେ କହିଛନ୍ତି । ଦାମ ରାଉତଙ୍କ ପୁଅ ସମ୍ୱିତ ରାଉତରାୟ କହିଛନ୍ତି, ବାପା ଚାଲିଗଲେ । ଭଗବାନଙ୍କ ଇଚ୍ଛା, ଆମେ କ’ଣ କରିପାରିବା?

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ