ଆଇପିଏସସ୍ତରରେ ଅଦଳବଦଳ: ଯଶୋବନ୍ତ ଜେଠୱା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ
ଭୁବନେଶ୍ୱର(ଏନ୍.ଏମ୍.): ବରିଷ୍ଠ ଆପିଏସ ସ୍ତରରେ ଅଦଳ ବଦଳ କରାଯାଇଛି । ରାଜ୍ୟସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ଅଦଳ ବଦଳରେ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଯଶୋବନ୍ତ ଜେଠୱାଙ୍କୁ ଦାୟିତ୍ୱ ମିଳିଛି । ସେହିପରି ଲଳିତ ଦାସ ହେଲେ ଗୁଇନ୍ଦା ନିର୍ଦ୍ଦେଶକ । ସଂଜୀବ ପଣ୍ଡା ହେଲେ କ୍ରାଇମବ୍ରାଞ୍ଚ ଏଡିଜି । ରାଧାକୃଷ୍ଣ ଶର୍ମା ହେଲେ ଆଇନଶୃଙ୍ଖଳା ଏଡିଜି । ଅରୁଣ ବୋଥ୍ରା ହେଲେ ପରିବହନ କମିଶନର । ଅସିତ ପାଣିଗ୍ରାହୀ ହେଲେ ଆଇଜି ଭିଜିଲାନ୍ସ ଏବଂ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ତେବେ ୩ ମାସ ମଧ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦ୍ୱିତୀୟଥର ବଦଳି କରାଯାଇଛି । କେବଳ ସେତିକି ନୁହେଁ, ୧୯୯୬ ବ୍ୟାଚ୍ ଆଇପିଏସ୍ ଅରୁଣ ବୋଥ୍ରା ଦୀର୍ଘଦିନ ଧରି ପୁଲିସ ବିଭାଗ ବାହାରେ ରହିଛନ୍ତି । ଯଦିଓ ପୁଞ୍ଜିଲାଲ ବୋମା ଓ ନୟାଗଡ଼ ଶିଶୁ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହୋଇଥିଲା ଓ ସେ ସଫଳତା ସହ ଏହାର ତଦନ୍ତ କରିଥିଲେ, ତଥାପି ତାଙ୍କୁ ପୁଲିସ ବିଭାଗ ଭିତରକୁ ଅଣାଯାଇନି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଦକ୍ଷ ଆଇପିଏସ ଅଫିସର ୧୯୯୪ ବ୍ୟାଚର ସଞ୍ଜିବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ବଦଳି କରାଯାଇଛି । ତାଙ୍କୁ ଅତିରିକ୍ତ ଭାବେ ପୁଲିସ ହାଉସିଂ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ତେବେ ଭିଜିଲାନ୍ସ ବିଭାଗକୁ ଅଧିକ ସକ୍ରିୟ କରିବାକୁ ୧୯୯୪ ବ୍ୟାଚ୍ ଆଇପିଏସ୍ ଯଶବନ୍ତ କୁମାର ଜେଠୱାଙ୍କୁ ନିର୍ଦ୍ଦେଶକ ଓ ୧୯୯୭ ବ୍ୟାଚ୍ ଆଇପିଏସ୍ ଅସିତ୍ କୁମାର ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ଭାବେ ନିଯୁକ୍ତି ମିଳିଛି ।