ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷାଫଳ
ଭୁବନେଶ୍ୱର (ଏନ୍.ଏମ୍.):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ +୨ ତଥା ଦ୍ୱାଦଶ ଶ୍ରେଣୀ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ଦୂରନିରନ୍ତର ଶିକ୍ଷା ପାଠ୍ୟକ୍ରମର ପରୀକ୍ଷାଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ ଫାଇଛି । ଏହି ବିଜ୍ଞପ୍ତିରେ +୨ ତଥା ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ଓ ମୂଲ୍ୟାୟନ ପଦ୍ଧତ୍ତି ଏବଂ ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ନିଆଯାଇଛି । ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ମାର୍କିଂ ମ୍ୟାଟ୍ରିକ୍ ଭିତ୍ତିରେ ହେବ ବୋଲି ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି । ଏକ୍ସରେଗୁଲାର ପିଲାଙ୍କ ମାର୍କିଂ ପୂର୍ବଥର +୨ ପରୀକ୍ଷା ଭିତ୍ତିରେ ହେବ । ପୂର୍ବଥର +୨ ପରୀକ୍ଷା ଦେଇଥିଲେ ପାସ୍ କରିଥିବା ବିଷୟ ଭିତ୍ତିରେ ମାର୍କିଂ ବୋଲି ସିଏଚଏସଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନହେବେ, ପରେ ସେମାନେ ପରୀକ୍ଷା ଦେଇପାରିବେ । ପରିସ୍ଥିତି ସ୍ୱାଭାବିକ ହେଲା ପରେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ସିଏଚଏସଇ ସ୍ପଷ୍ଟ କରିଛି । କରୋନା ସ୍ଥିତିକୁ ଦେଇ ସିବିଏସ୍ଇ ଓ ସିଆଇଏସ୍ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ହୋଇଛି । ଏହାକୁ ଦେଖି ରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ୨ ପରୀକ୍ଷା ବାତିଲ କରିଥିଲେ । ମାତ୍ର କେଉଁ ଆଧାରରେ ପରୀକ୍ଷା ଫଳାଫଳ ପ୍ରକାଶ କରିବେ, ସେ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ି ଯାଇଥିଲେ । ତେବେ ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ବିଶେଷଜ୍ଞ କମିଟି ଗଠନ ହୋଇଥିଲା । ମାର୍କିଂକୁ ନେଇ କମିଟିର ବୈଠକ ଘନ ଘନ ବସିଥିଲା । ମାତ୍ର କୌଣସି ନିଷ୍ପର୍ଷରେ ପହଞ୍ଚି ପାରିନଥିଲା କମିଟି । ଗତକାଲି ବିଶେଷଜ୍ଞ କମିଟିର ତୃତୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।