ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ
ଭୁବନେଶ୍ୱର (ଏନ୍.ଏମ୍.): ଦ୍ୱୈତ୍ୟନଗରୀ ଭୁବନେଶ୍ୱରରୁ ୫ ଜଣ ସାଇବର ଠକ ଗିରଫ ହୋଇଛନ୍ତି । ଭରତପୁର ଥାନା ପୁଲିସ୍ ସହାୟତାରେ ହାଇଦ୍ରାବାଦ ପୁଲିସ୍ ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆଦିତ୍ୟ ନାରାୟଣ ମହାପାତ୍ର, ଲକ୍ଷ୍ମୀଧର ମୁର୍ମୁ, ପ୍ରମୋଦ ନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଦେବାଶିଷ ଓଝା ବୋଲି ଜଣାପଡ଼ିଛି । ଏହି ୫ଜଣଙ୍କ ମଧ୍ୟରୁ ୩ ଜଣ ଘାଟିକିଆ ଅଞ୍ଚଳର ହୋଇଥିବା ବେଳେ ୨ ଜଣ ବରମୁଣ୍ଡା ଅଞ୍ଚଳର ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏହି ଅଭିଯୁକ୍ତମାନେ ୨ଟି ଏକାଉଣ୍ଟରୁ ୧୫ ଲକ୍ଷ ଲେଖାଏଁ ଅର୍ଥାତ୍ ମୋଟ ୩୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ତେବେ ଗିରଫ ଅଭିଯୁକ୍ତମାନେ ଏହି ଲୁଟରେ ସମ୍ପୃକ୍ତି ଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା ଜଣାପଡ଼ିଛି । ସେମାନଙ୍କ ବିରୋଧରେ ଆଇପିସିର ଧାରା ୪୧୯ ଓ ୪୨୯ ଏବଂ ଆଇଟି ଆକ୍ଟ ୬୬-ସିରେ ମାମଲା ରୁଜୁ ହୋଇଛି । ସେମାନଙ୍କ ଠାରୁ ୫ଟି ମୋବାଇ ଜବତ କରାଯାଇଛି । ଆଜି ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ ପୁଲିସ୍ ଭୁବନେଶ୍ୱର କୋର୍ଟରେ ହାଜର କରାଇବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି ।