ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମୂଲ୍ୟ ହ୍ରାସ ଦାବିରେ ଏସୟୁସିଆଇସି ପକ୍ଷରୁ୧୫ ଜୁଲାଇ ଓଡିଶା ପ୍ରତିବାଦ ଦିବସ

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମୂଲ୍ୟ ହ୍ରାସ ଦାବିରେ ଏସୟୁସିଆଇସି ପକ୍ଷରୁ୧୫ ଜୁଲାଇ ଓଡିଶା ପ୍ରତିବାଦ ଦିବସ


କଟକ(ଏନ୍‌.ଏମ୍‌.): ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଓ ନିତ୍ୟ-ପ୍ରୟୋଜନୀୟ ଦ୍ରବ୍ୟର ମୂଲ୍ୟ ହ୍ରାସ ଦାବିରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଆସନ୍ତା ଜୁଲାଇ ୧୫ ତାରିଖ ଦିନ ସାରା ଓଡିଶା ପ୍ରତିବାଦ ଦିବସ ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ପାଇଁ ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ସଂପାଦକ ବିଶ୍ୱାବସୁ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀଯୁକ୍ତ ଦାସ କହିଛନ୍ତି ଯେ କରୋନା ମହାମାରୀ ଯୋଗୁ ବର୍ତ୍ତମାନ ଦେଶ ହାହାକାରମୟ ପରିସ୍ଥିତି ଦେଇ ଗତି କରୁଛି । କୋଟି କୋଟି ଲୋକଙ୍କର କର୍ମ ସଂସ୍ଥାନ ଯାଇଛି, କୋଟି କୋଟି ଲୋକ ଅନାହାର ଅର୍ଦ୍ଧାହାରରେ କାଳାତିପାତ କରୁଛନ୍ତି ଓ ମଧ୍ୟବିତ୍ତ ଶ୍ରେଣୀର ଆର୍ôଥକ ମେରୁଦଣ୍ଡ ସଂପୂର୍ଣ୍ଣ ଦୋହଲି ଯାଇଛି । ପ୍ରତିଦିନ ପେଟ୍ରୋଲ, ଡିଜେଲ୍ ମୂଲ୍ୟ ବୃଦ୍ଧି ଘଟୁଛି । ଗତ ଦୁଇ ମାସ ମଧ୍ୟରେ ପେଟ୍ରୋଲର ୩୮ ଥର ଓ ଡିଜେଲର ୩୬ ଥର ମୂଲ୍ୟ ବୃଦ୍ଧି ଘଟିଛି । ତେଲ ଦର ବଢି ବଢି ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ଆମ ରାଜ୍ୟରେ ୧୦୧ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲ ୯୮ ଟଙ୍କାରେ ଓ ରନ୍ଧନ ଗ୍ୟାସର ମୂଲ୍ୟ ୯୦୦ ଟଙ୍କାରେ ପହଞ୍ଚିଛି । ଏହି ମୂଲ୍ୟ ବୃଦ୍ଧି ସଂପର୍କରେ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ମିଥ୍ୟା ସଫେଇ ଦେଉଛନ୍ତି । ଅନ୍ୟ ଦିଗରେ ତେଲ ଡାଲି ଠାରୁ ଆରମ୍ଭ କରି ପ୍ରତ୍ୟେକ ନିତ୍ୟ-ପ୍ରୟୋଜନୀୟ ଦ୍ରବ୍ୟର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ଜନ ଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି । ସାରା ଦେଶର ଜନଗଣଙ୍କ ସଙ୍ଗଠିତ ଓ ଶକ୍ତିଶାଳୀ ଗଣ ଆନ୍ଦୋଳନ ହିଁ କର୍ପୋରେଟ ସ୍ୱାର୍ଥରକ୍ଷାକାରୀ ଏଭଳି ଚରମ ଜନବିରୋଧି ମୂଲ୍ୟ ବୃଦ୍ଧିକୁ ପ୍ରତିହତ କରିପାରିବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଏସୟୁସିଆଇ(ସି) ପକ୍ଷରୁ କୁହାଯାଇଛି । ଆସନ୍ତା ୧୫ ଜୁଲାଇ ଦିନ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ନିତ୍ୟପ୍ରୟୋଜନୀୟ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବା ଦାବରେ ଏସୟୁସିଆଇ(ସି) ପକ୍ଷରୁ ଦିଆଯାଇଥିବା ରାଜ୍ୟସ୍ତରୀୟ ପ୍ରତିବାଦ ଦିବସ ଉପଲକ୍ଷେ କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ହେବାକୁ ଥିବା ବିକ୍ଷୋଭରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଦଳର ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସ ଆହ୍ୱାନ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ୟୁସିଆଇ(ସି)ର ଜିଲ୍ଲା କମିଟି ସଦସ୍ୟ ଖଗେଶ୍ୱର ସେଠୀ, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ଭାଗ୍ୟରବି ଦାସ, ଦିପକ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *