ସ୍କୁଲକୁ ଯିବାବେଳେ ଜଗିଥିଲା ଯମ: ଅଜଣା ଗାଡ଼ିଧକ୍କାରେ ଚାଲିଗଲା ବଡ଼ ଭାଇର ଜୀବନ
#କଟକ(ଏନ୍.ଏମ୍.): ବିଭାଗୀୟ ଅଧିକାରୀଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ ସହରରେ ବଢ଼ୁଛି ଦୁର୍ଘଟଣା । ଗୋଟିଏ ପଟେ କଟକ ସହରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବାବେଳେ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଧ୍ୟାନ ଦେଉ ନାହାନ୍ତି; ଫଳରେ ସହରରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ବହୁ ଧନଜୀବନ କ୍ଷୟକ୍ଷତି ହେଉଥିବାର ନଜୀର ରହିଛି । ତେବେ ଆଜି ସ୍କୁଲକୁ ଆସୁଥିବାବେଳେ ୨ଜଣ ଛାତ୍ର ସଡ଼କ ଦୁର୍ଘଟଣାର ଶିକାର ହେବା ଭଳି ଦୁଃଖଦ ଘଟଣା ଘଟିଛି । ତେବେ ସ୍ଥାନୀୟ ଅଞ୍ଚଳବାସୀ ଖବର ପାଇବା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଚାଉଳିଆଗଞ୍ଜ ସ୍ଥିତ କୁଞ୍ଜବିହାରୀ ଉଚ୍ଚ ବିଦ୍ୟାଳୟର ୨ଜଣ ଛାତ୍ର କାର ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଏସସିବି ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଆଜି ଚାଉଳିଆଗଞ୍ଜ ତଳସାହିର ନୃସିଂହ ଚରଣ ସାହୁଙ୍କ ଦୁଇ ପୁଅ ସତ୍ୟପ୍ରକାଶ ସାହୁ (୧୬) ତାଙ୍କ ସାନ ଭାଇ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଓମ ପ୍ରକାଶ ସାହୁ(୧୧) ସାଇକେଲ ଯୋଗେ ତାଳଦଣ୍ଡା କେନାଲ ରାସ୍ତା ଦେଇ ସ୍କୁଲକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ବଡ଼ ଭାଇ ସତ୍ୟପ୍ରକାଶର ମୃତ୍ୟୁ ହୋଇଥିବାବେଳେ ସାନଭାଇ ଏସସିବିରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ତେଣୁ ଏହାର ପ୍ରତିବାଦ କରି ଅଞ୍ଚଳବାସୀ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ । ଚାଉଳିଆଗଞ୍ଜ ଥାନା ଅଧିକାରୀ ଓ ଜୋନ ୫ ଏସିପିଙ୍କ ବୁଝାଶୁଝା ପରେ ରାସ୍ତା ଅବରୋଧ ହଟିଲା । ଏଥିରେ ୪୨ ନମ୍ୱର୍ କର୍ପୋରେଟର ମୀନା ସାହୁ ରାସ୍ତାରେ ବ୍ୟାରିକେଟ, ଲାଇଟ୍ ଓ ସିସି କ୍ୟାମେରା ଲଗାଯିବାକୁ ଦାବି କରିଥିଲେ । ଏଥିସହିତ ରାସ୍ତା ନିର୍ମାଣ ସରି ନଥିବା ବେଳେ ରାସ୍ତା କେମିତି ଖୋଲାଗଲା ଏହାକୁ ନେଇ ପ୍ରଶ୍ନ କରିବାଥିଲେ । ଏହାକୁ ନେଇ ଚାଉଳିଆଗଞ୍ଜ ଥାନାରେ ଗ୍ରାମବାସୀ ମାନେ ଅଭିଯୋଗ ମଧ୍ୟ କରିଛନ୍ତି ।