ସୂଚନା ଓ ଲୋକସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଅଶୋକ କୁମାର ଷଢଙ୍ଗୀଙ୍କ ଅବସର ଗ୍ରହଣ

କଟକ(ଏନ୍.ଏମ୍.): ସୂଚନା ଓ ଲୋକସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଅଶୋକ କୁମାର ଷଢଙ୍ଗୀ ଆଜି ଅବସର ଗ୍ରହଣ କରିଛନ୍ତି । ଶ୍ରୀ ଷଢଙ୍ଗୀ ନିଷ୍ଠାପରତାର ସହ ସରକାରୀ ସେବାରେ ନିଜକୁ ନିୟୋଜିତ କରି ବହୁ ପ୍ରଶଂସା ପାଇଛନ୍ତି । ବିଶେଷ କରି ବିଭିନ୍ନ ସମୟରେ କଟକ ଜିଲ୍ଲାରେ ଶିଳ୍ପ ବିଭାଗରେ ଲୋକସମ୍ପର୍କ ଅଧିକାରୀ ତଥା ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦକ୍ଷତାର ସହ ନିଜର କାର୍ଯ୍ୟ ସମ୍ପାଦନା କରିବା ସହ ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ଉତ୍ତମ ସାମଞ୍ଜସ୍ୟ ରକ୍ଷା କରି ସଫଳତାର ସହ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । ବିଶେଷ କରି କୋଭିଡ ମହାମାରୀ ସମୟରେ ସୂଚନା ସମ୍ବନ୍ଧୀତ ତଥ୍ୟ ଉପଲବ୍ଧ କରାଇବାରେ ତଥା ଗତ ସାଧାରଣ ନିର୍ବାଚନ, ବାଲିଯାତ୍ରା ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସଠିକ ସମୟରେ ସଠିକ ସୂଚନା ଜନସାଧାରଣଙ୍କ ଠାରେ ପହଞ୍ଚାଇବାରେ ଗଣମାଧ୍ୟମକୁ ଉପଯୁକ୍ତ ସହଯୋଗ କରିଥିଲେ । ତାଙ୍କ କାର୍ଯ୍ୟକଳାପକୁ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ମନେ ପ୍ରଶଂସା କରୁଥିଲେ । ଆଜି ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ତାଙ୍କ କାର୍ଯ୍ୟାଳୟରେ ଶ୍ରୀ ଷଢଙ୍ଗୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସମ୍ବର୍ଦ୍ଧନା ସମୟରେ ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନିକାନ୍ତ ସାହୁ, ଭାରପ୍ରାପ୍ତ ସୂଚନା ଅଧିକାରୀ ଅଭିରାମ ଦାସ, ସ୍ମଲ ସେଭିଂସ ଅଧିକାରୀ ରଞ୍ଜନ ଦାସ, ଆସିଷ୍ଟାଣ୍ଟ କଲେକ୍ଟର ଅଳକାରାଣୀ ଦେବତା ଓ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।