ସିଏମସି ୪୮ ନମ୍ବର ୱାର୍ଡ଼ ଜଗତପୁରରେ ୬ ପ୍ରାର୍ଥିନୀଙ୍କ ଟକ୍କର
କଟକ(ଏନ୍.ଏମ୍.): ସିଏମସି ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ମୋଟ ୬ ଜଣ ପ୍ରାର୍ଥିନୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସେଥି ମଧ୍ୟରୁ ବିଜେଡି, ବିଜେପି, କଂଗ୍ରେସ ଓ ୩ ସ୍ୱାଧିନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୬ ଜଣ ପ୍ରାର୍ଥିନୀଙ୍କ ମଧ୍ୟରେ ପ୍ରଚାର ଟକ୍କର ଆରମ୍ଭ ହୋଇଛି । ସେଥିମଧ୍ୟରୁ ମୁଖ୍ୟତଃ ଶାସକ ଦଳ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆର୍ଦଶ, ଲୋକଙ୍କ ସେବାକୁ ପୁଞ୍ଜିକରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥିନୀ । ବର୍ଷା ଦିନେ ୪୮ ନମ୍ବର ୱାର୍ଡରେ ବର୍ଷା ଜଳ ଡ୍ରେନରେ ମିଶି ରାସ୍ତା ଉପରୁ କିପରି ଏହି ଜଳ ନିଷ୍କାସନ କରାଯିବ ଏ ନେଇ ଶଙ୍ଖ ଚିହ୍ନରେ ନଳିନୀ ବେହେରାଙ୍କ ପାଇଁ ଭୋଟରଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ସେହିପରି ବିଜେପି ଦଳ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ସମ୍ପର୍କରେ ଭୋଟରମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ରାସ୍ତା ଘାଟ ସମସ୍ୟା, ଡ୍ରେନେଜ ସମସ୍ୟା, ରାସନ କାର୍ଡ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଭଳି ବିଭିନ୍ନ ସମସ୍ୟାକୁ ଦୁର କରିବେ ବୋଲି ସରିତା ଶୁକ୍ଳ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ତାର ନିର୍ବାଚନୀ ମୁଦାରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀଙ୍କର ଅପାରଗତା ବିଷୟରେ ଲୋକମାନଙ୍କୁ ବୁଝାଇ ସାରିଛି । ଜନ ସାଧାରଣ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଥିବାବେଳେ ମୁଖ୍ୟତଃ ବର୍ଷାଜଳ ନିଷ୍କାସନ ଓ କେତେକ ସ୍ଥାନରେ ପାନୀୟ ଜଳ ସମସ୍ୟା, ଜାଇକା ପ୍ରକଳ୍ପରେ ଏ ପର୍ଯ୍ୟନ୍ତ ୪୮ନମ୍ବର ୱାର୍ଡକୁ ଅନ୍ତର୍ଭୁକ୍ତ କରାନଯିବା ଦୁର୍ଭାଗ୍ୟ ଜନକ ବୋଲି ପ୍ରାର୍ଥିନୀ ଜୟଶ୍ରୀ ସାମଲ କହିଛନ୍ତି । ଏଥି ସହିତ ଏହି ଅଞ୍ଚଳର ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥା, ଆଦର୍ଶ ବିଦ୍ୟାଳୟ ତାଲିକାରେ ନିମପୁର ଓ ଜଗତପୁର ୨ଗୋଟି ବିଦ୍ୟାଳୟକୁ ଆର୍ଦଶ ବିଦ୍ୟାଳୟରେ ସାମିଲ କରାଯାଇ ନାହିଁ । ଏହି ସବୁ ମୁଦା ନେଇ କଂଗ୍ରେସ ଶ୍ରୀମତୀ ସାମଲଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜିତାଇବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ । ଅନ୍ୟପକ୍ଷରେ ସ୍ୱାଧୀନ ପ୍ରାର୍ଥିନୀ ପ୍ରତିଭା ବେହେରା ମଧ୍ୟ ନିଜର ପ୍ରଚାର ଅଭିଯାନ ଚଳାଇଛନ୍ତି । ଲୋକଙ୍କ ସେବା କରିବା ତାଙ୍କର ମୂଳ ଲକ୍ଷ୍ୟ, ଆଉ ଯେଉଁ ସବୁ କାମ ଅଧାରେ ପଡି ରହିଛି ସେ କାମକୁ ସେ ପୁରା କରିବା ପାଇଁ ସଂକଳ୍ପ ନେଇଛନ୍ତି । ତେଣୁ ମାଠିଆ ଚିହ୍ନରେ ଭୋଟ ଦେବାକୁ ସେ ଭୋଟରଙ୍କୁ ନିବେଦନ କରିଛନ୍ତି । ସେହିଭଳି ବିଜେପିର ଅସନ୍ତୁଷ୍ଟ ପ୍ରାର୍ଥିନୀ ମଧୁସ୍ମିତା ସାମଲ ମଧ୍ୟ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଦୀର୍ଘ ଦିନ ଧରି ଦଳରେ ରହି ଜନସାଧାରଣଙ୍କ ସେବା କରିଆସିଥିଲେ ମଧ୍ୟ ଦଳୀୟ ମୁଖିଆ ତାଙ୍କୁ କୋଣଠେସା କରିଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କଟକରେ ବିଜେପିର କିଛି ଛାମୁଆ ନେତା ନିଜସ୍ୱ ସ୍ୱାର୍ଥପାଇଁ ପାର୍ଟିକୁ ଆଗକୁ ବଢ଼ିବାକୁ ଦେଉନଥିବା ମଧ୍ୟ ତାଙ୍କ ସମର୍ଥକମାନେ ଅଭିଯୋଗ ଆଣିଛନ୍ତି । ତେବେ ଏଥର ନିର୍ବାଚନରେ ସେ ବିଜୟୀ ହେଲେ ଜଗତପୁର ୪୮ନମ୍ବର ୱାର୍ଡ଼ର ନାଳ ନର୍ଦମା ଗୁଡିକୁ ସଫା ସୁତରା କରାଇବା, ଯେଉଁ ସ୍ଥାନରେ ଯାତୟାତର ସୁବିଧା ନାହିଁ ସେଠାରେ ନୂତନ ରାସ୍ତା ନିର୍ମାଣ, ଆଲୋକୀକରଣ ସୁବିଧା, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା କାର୍ଡ କରାଇବା, ବାକି ଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ମାନଙ୍କର ହୋଇ ନାହିଁ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ଭଳି ଅନେକ ଜନହିତକର କାର୍ଯ୍ୟକରିବା ପାଇଁ ପ୍ରତିଶ୍ରୁତି ଦେବା ସହ ତାଙ୍କର ନିର୍ବାଚନୀ ଚିହ୍ନ ଫଳନ୍ତି ନଡ଼ିଆଗଛରେ ମୋହର ଦେବାକୁ ନିବେଦନ କରିଛନ୍ତି । ବହୁତ ପ୍ରକାର ପ୍ରତିଶୃତି ଦେଇ ଫଳନ୍ତି ନଡିଆ ଗଛ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ଶ୍ରୀମତୀ ସାମଲ ଜଣେ ଉଚ୍ଚ ଶିକ୍ଷିତା ହୋଇଥିବାବେଳେ ସେ ଭୂବନେଶ୍ୱରରେ ଡିପ୍ଲୋମା ଇନଜିନିୟରିଙ୍ଗ କରି ଏବେ ରାଜନିତୀରେ ପାଦ ଥାପିଛନ୍ତି ସେହିଭଳି କଂଗ୍ରେସରୁ ଅସନ୍ତୁଷ୍ଟ ସ୍ୱାଧିନ ପ୍ରାର୍ଥୀନୀ ମମତା ନାୟକ ପୁରୁଣା ଜଗତପୁର ଅଞ୍ଚଳର ଝିଅ ଓ ବୋହୁ ହୋଇ ତାଙ୍କ ମାଟି ମା’ ପାଇଁ କିଛି କାମକରିବା, ଜନସାଧାରଣଙ୍କ ମୌଳିକ ସମସ୍ୟାକୁ ଦୁର କରିବା ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା କହିଛନ୍ତି । ଜଗତପୁରରେ ରାସ୍ତା ଘାଟ ସମସ୍ୟା ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ଏ ପ୍ରର୍ଯ୍ୟନ୍ତ ପୁରୁଣା ଜଗତପୁରରୁ କେହି କର୍ପୋରଟର ହୋଇ ନଥିବାରୁ ତାଙ୍କ ଅଞ୍ଚଳର ରାସ୍ତା ଘାଟ, ପିଇବା ପାଣି ଭଳି ମୌଳିକ ସମସ୍ୟା ଗୁଡିକ ଏ ପର୍ଯ୍ୟନ୍ତ କୌଣସି ନେତା ମନ୍ତ୍ରୀ ସମାଧାନ କରିନାହାନ୍ତି । ଏ ସବୁ ପ୍ରସଙ୍ଗକୁ ନେଇ ଶ୍ରୀମତୀ ନାୟକ ତାଲା ଚାବି ଚିହ୍ନରେ ତାଙ୍କୁ ଭୋଟ ଦେବାପାଇଁ ଭୋଟରଙ୍କ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ତେବେ ଏହି ଅଞ୍ଚଳରେ ଦଳୀୟ ପ୍ରାର୍ଥିନୀଙ୍କ ପାଇଁ ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥିନୀମାନେ କଣ୍ଟା ହେବେ ବୋଲି ଆଲୋଚନା ହେଉଛି ।