ରୁଷ ଓ ୟୁକ୍ରେନ ଲଢ଼େଇ: ଯୁଦ୍ଧ ରୋକିବାକୁ ପୁଟିନଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇ ଯାଇଛି । ଉଭୟସେନାଙ୍କ ମଧ୍ୟରେ ଗୁଳିବିନିମୟ ସାଙ୍ଗକୁ ବୋମା ବିସ୍ପୋରଣ ଜନସାଧାରଣଙ୍କୁ ମଧ୍ୟ ଭୟଭୀତ କରି ପକାଇଛି । ଗୋଟିଏ ପଟେ ୟୁକ୍ରେନକୁ କୌଣସି ରାଷ୍ଟ୍ର ସହାୟତା କରୁନଥିବା ନେଇ ୟୁକ୍ରେନ ମଧ୍ୟ ସ୍ୱୀକାର କରିଛି । କିଭରେ ଫସିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ୟୁକ୍ରେନ ତା’ର ବାୟୁସୀମାକୁ ବନ୍ଦ କରି ଦେଇଥିବାରୁ ଭାରତ ସରକାର ବିମାନ ମଧ୍ୟ ପଠାଇ ପାରୁନାହାନ୍ତି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ପୁଟିନ ତାଙ୍କୁ ୟୁକ୍ରେନ୍ ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି । ଏଥିସହ ଭାରତୀୟଙ୍କ ସୁରକ୍ଷିତ ଫେରାଇ ଆଣିବାକୁ ରୁଷ ପ୍ରତିଶ୍ରୁତିବଦ୍ଧ ବୋଲି ପୁଟିନ ଫୋନ ଯୋଗେ ମୋଦିଙ୍କୁ କହିଛନ୍ତି । ମୋଦି ମଧ୍ୟ ୟୁକ୍ରେନରେ ଚାଲିଥିବା ଲଢ଼େଇକୁ ତୁରନ୍ତ ବନ୍ଦ କରିବାକୁ ପୁଟିନଙ୍କୁ ନିବେଦନ କରିଛନ୍ତି । ଦୀର୍ଘ ୨୫ ମିନଟ୍ ଧରି ଉଭୟ ନେତା ଆଲୋଚନା କରିଥିଲେ । ଏହି ସମୟରେ ମୋଦି ଶାନ୍ତି ପ୍ରତିଷ୍ଠା ସମ୍ପର୍କରେ ପୁଟିନଙ୍କୁ ବୁଝାଇଛନ୍ତି । କୂଟନୀତିକସ୍ତରରେ ଆଲୋଚନା ବିବାଦର ସମାଧାନର ରାସ୍ତା ବାହାର କରିପାରିବ । ରୁଷିଆ ଓ ନାଟୋ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଆଲୋଚନା ଏକମାତ୍ର ରାସ୍ତା ବୋଲି ମୋଦି କହିଛନ୍ତି । ଏଥିସହ ସେ ସବୁ ପକ୍ଷଙ୍କୁ କୁଟନୀତିକ ବୁଝାମଣା ଓ ଆଲୋଚନା ଆରମ୍ଭ କରିବାକୁ ଆହ୍ୱାନ କରିଛନ୍ତି । ମୋଦି ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗରେ ପୁଟିନଙ୍କ ଆଗରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ସେମାନେ କେମିତି ସୁରକ୍ଷିତ ଭାବେ ସ୍ୱଦେଶ ଫେରିବେ, ସେଥିପାଇଁ ଭାରତ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ମୋଦି କହିଛନ୍ତି । ଆଞ୍ଚଳିକ ସ୍ୱାର୍ଥ ପ୍ରସଙ୍ଗରେ ଉଭୟ ଦେଶର କୁଟନୀତିକ ଟିମ୍ ନିୟମିତ ଯୋଗାଯୋଗରେ ରହିବେ ବୋଲି ଉଭୟ ମୋଦି ଓ ପୁଟିନ ରାଜି ହୋଇଥିବା ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପ୍ରସଙ୍ଗରେ ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ଜନିତ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ରୁଷ-ୟୁକ୍ରେନ ଯୁଦ୍ଧ ନେଇ ଭାରତର ଆଭିମୁଖ୍ୟ କ’ଣ ରହିବ ସେ ବାଦରେ ଆଲୋଚନା ହୋଇଛି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ କ୍ୟାବିନେଟ ସଚିବ ପ୍ରମୁଖ ସାମିଲ ହୋଇଥିଲେ । ଏହି ବୈଠକ ପରେ ହିଁ ମୋଦି ଫୋନ ଯୋଗେ ପୁଟିନଙ୍କ ସହ କଥା ହୋଇଥିଲେ । ପୁଟିନଙ୍କ ସହ କଥା ହୋଇ ଯୁଦ୍ଧ ବିପଦ ଟାଳିବାକୁ ୟୁକ୍ରେନ ମଧ୍ୟ ମୋଦିଙ୍କୁ ଅନୁରୋଧ କରିଥିଲା । ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ୟୁକ୍ରେନ ସମସ୍ୟାର ସମାଧାନ ପାଇଁ ଆମେରିକା ଓ ରୁଷ ସହ ଆଲୋଚନା କରିଛନ୍ତି । ଆମେରିକାର ପରରାଷ୍ଟ୍ର ସଚିବ ଆଣ୍ଟୋନୀ ବ୍ଲିନକେନ୍ ରୁଷର ପୂର୍ବ ନିର୍ଦ୍ଧାରିତ, ଅନ୍ୟାୟୋଚିତ ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ତେବେ ଜୟଶଙ୍କର ରୁଷର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ବେଳେ ଆପୋଷ ବୁଝାମଣା ଓ କୂଟନୀତିକସ୍ତରରେ ବିବାଦର ସାମାଧାନ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । ଏଥିସହ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ ରୋମାନିଆ, ହଙ୍ଗେରୀ ଓ ସ୍ଲୋଭାକିଆ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରିଛନ୍ତି । ରୁଷର ଆକ୍ରମଣ ପରେ ୟୁକ୍ରେନର କିଭ୍ ବିମାନବନ୍ଦରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଇଛି । ଏଥିଯୋଗୁ ସେଠାରେ ଫସି ରହିଥିବା ପ୍ରାୟ ୨୦ହଜାର ଭାରତୀୟଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି । ପୋଲାଣ୍ଡ ଓ ହଙ୍ଗେରୀ ରାସ୍ତା ଦେଇ ଭାରତୀୟଙ୍କୁ ଅଣାଯିବ । ସେହିପରି ରୋମାନିଆ ଓ ସ୍ଲୋଭାକିଆର ସଡ଼କ ପଥ ଦେଇ ଭାରତୀୟମାନେ ଆସିବା ପରେ ସେମାନଙ୍କୁ ସେଠାରୁ ଏୟାରଲିଫ୍ଟ କରାଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବ ସୂଚନା ଦେଇଛନ୍ତି । ଭାରତୀୟ ଦୂତାବାସ ପକ୍ଷରୁ ଲୋକଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି ।
ଅନ୍ୟପକ୍ଷରେ ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଥିବା ୟୁକ୍ରେନ ଏବେ ନିଜର ଅସହାୟତା ପ୍ରକାଶ କରିଛି । ରୁଷ ଆକ୍ରମଣ କଲେ ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନକୁ ସହଯୋଗ କରିବେ ବୋଲି କିଭ୍ ଆଶା ରଖିଥିଲା । ହେଲେ କେହି ବି ୟୁକ୍ରେନକୁ ସହଯୋଗ କରୁ ନଥିବାରୁ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ନିଜକୁ ଏକୁଟିଆ ଅନୁଭବ କରିବା ଆରମ୍ଭ କରିଛନ୍ତି । ସମସ୍ତେ ୟୁକ୍ରେନକୁ ଏକାକୀ ଲଢ଼ିବାକୁ ଛାଡ଼ି ଦେଇଥିବା ସେ ବେଶ କ୍ଷୋଭର ସହ କହିଛନ୍ତି । ରୁଷ ଆକ୍ରମଣର ପ୍ରଥମ ଦିନରେ ୟୁକ୍ରେନ ୧୩୭ ଜଣଙ୍କୁ ହରାଇଛି । ବର୍ତ୍ତମାନ ମସ୍କୋ କରୁଥିବା ହମଲାର ଜବାବ ଦେବାକୁ ହେବ ବୋଲି ମଧ୍ୟ ସେ ପରୋକ୍ଷରେ ଦେଶବାସୀଙ୍କୁ ଜଣାଇଛନ୍ତି । ମଧ୍ୟରାତ୍ରରେ ଦେଶକୁ ସମ୍ବୋଧନ କରି ଜେନେଲସ୍କି କହିଛନ୍ତି, ‘ଆମ ଦେଶର ସୁରକ୍ଷା ଆମକୁ କରିବା ପାଇଁ ସମସ୍ତେ ଏକା ଛାଡ଼ି ଦେଇଛନ୍ତି । ଆମ ସହିତ କିଏ ମିଶି କି ଲଢ଼ିବ? ମୁଁ କାହାକୁ ବି ଦେଖିପାରୁନି । ୟୁକ୍ରେନକୁ ନାଟୋ ସଦସ୍ୟତା ମିଳିବ ବୋଲି କିଏ ଗ୍ୟାରେଣ୍ଟୀ ଦେବ? ସମସ୍ତେ ଏବେ ଡରିବାରେ ଲାଗିଛନ୍ତି । ଏଥିପାଇଁ ସେମାନେ ଆମକୁ ଏକା ଛାଡ଼ି ଦେଇଛନ୍ତି । ଧୋକ୍କା ଦେବାରେ ପାରଙ୍ଗମ ରୁଷ ବାହିନୀ କିଭ୍ ଭିତରକୁ ଆସିଛନ୍ତି । ତେଣୁ ଲୋକମାନେ ଏଥିପ୍ରତି ସତର୍କ ରୁହନ୍ତୁ ଓ କର୍ଫ୍ୟୁକୁ ପାଳନ କରନ୍ତୁ । ୟୁକ୍ରେନ ରାଜନୀତିକସ୍ତରରେ ୟୁକ୍ରେନକୁ ଧ୍ୱଂସ କରିବାକୁ ଚାହୁଁଛି । ଏଥିପାଇଁ ସେ ଦେଶର ମୁଖ୍ୟଙ୍କ ମୁଣ୍ଡ ଚାହୁଁଛି । ହେଲେ ଆମେ ଏତେ ଶୀଘ୍ର ହାର ମାନିବୁ ନାହିଁ ।’ ରୁଷର ପ୍ରଥମ ଟାର୍ଗେଟରେ ଜେନେଲସ୍କି ଥିଲେ ମଧ୍ୟ ସେ ଆଦୌ ଭୟଭୀତ ନାହାନ୍ତି । ଏଥିସହ ସେ ଓ ତାଙ୍କ ପରିବାର ସଦସ୍ୟ ୟୁକ୍ରେନରେ ହିଁ ଅଛନ୍ତି ବୋଲି ଜେନେଲସ୍କି ଭିଡିଓ ବାର୍ତ୍ତାରେ କହିଛନ୍ତି ।