ରାଜ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା: ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ
ଭୁବନେଶ୍ୱର (ଏନ୍.ଏମ୍.): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ମତଦାନ ଆରମ୍ଭ ହେବ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ଚାଲିଚି । ରାଜ୍ୟରେ ମୋଟ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ତେବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କର ମୃତ୍ୟୁହେଲେ ଦିଆଯାଉଥିବା ଅନୁକମ୍ପା ରାଶିକୁ ରାଜ୍ୟ ନିର୍ବାଚନ କମିଶନର ବୃଦ୍ଧି କରିଛନ୍ତି ।
ଏହି ପରିପ୍ରେକ୍ଷରୀରେ ରାଜ୍ୟ ନିର୍ବାଚନ କମିଶନ କରିଥିବା ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ଅସାମାଜିକ ତତ୍ତ୍ୱ ବା ଚରମପନ୍ଥୀଙ୍କ ଦ୍ୱାରା ସଂଘଠିତ ହିଂସାକାଣ୍ଡ, ବୋମା ବିସ୍ଫୋରଣ ଓ ସଶସ୍ତ୍ର ଆକ୍ରମଣରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରଶି ପ୍ରଦାନ କରାଯିବ । ସେହିଭଳି ନିର୍ବାଚନ ଡ୍ୟୁଟିରେ ଥାଇ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ । ପୁନଶ୍ଚ ନିର୍ବାଚନ ଡ୍ୟୁଟି ସମୟରେ ଅସାମାଜିକ ତତ୍ତ୍ୱ ବା ଚରମପନ୍ଥୀଙ୍କ ଦ୍ୱାରା ସଂଘଠିତ ହିଂସାକାଣ୍ଡ, ବୋମା ବିସ୍ଫୋରଣ ଓ ସଶସ୍ତ୍ର ଆକ୍ରମଣରେ କୌଣସି ସରକାରୀ କର୍ମଚାରୀ ଭିନ୍ନକ୍ଷମ ହୋଇଗଲେ ତାଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଏଥି ସହିତ ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣା ଯୋଗୁଁ ବା ଅନ୍ୟ କୌଣସି କାରଣରୁ ଭିନ୍ନକ୍ଷମ ହୋଇଗଲେ ତାଙ୍କୁ ସାଢ଼େ ୭ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ସହିତ କୌଣସି କର୍ମଚାରୀ ଦୁର୍ଘଟଣାଗ୍ରସ୍ତ ହୋଇ ବା ଅନ୍ୟ କୌଣସି କାରଣରୁ ଗୁରୁତର ଆହତ ହେଲେ ତାଙ୍କୁ ସର୍ବାଧିକ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି ।
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନର ଆଜି ଦ୍ୱିତୀୟ ଦିନରେ ସରପଞ୍ଚ ପ୍ରାର୍ଥୀଙ୍କ ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟ, ସମିତି ସଭ୍ୟଙ୍କ ନିମନ୍ତେ ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲାପରିଷଦ ସଦସ୍ୟ ନିମନ୍ତେ ସ୍ଥାନୀୟ ଉପଖଣ୍ଡ ମୁଖ୍ୟ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ଗତକାଲି ପ୍ରଥମ ଦିନରେ ୮ ହଜାର ୭ଶହ ୨୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଏହାବାଦ ନିର୍ବାଚନ ଲାଗି ଜିଲ୍ଲାଗୁଡ଼ିକୁ ବାଲଟ ପେପର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ୧୦ଟି ଜିଲ୍ଲାକୁ ବାଲଟ ପେପର ପଠାଯାଇଥିବାବେଳେ ବ୍ଲକ କାର୍ଯ୍ୟାଳୟରେ ଭୋଟ ବାକ୍ସ ମଧ୍ୟ ପହଞ୍ôଚଥିବା ଜଣାପଡ଼ିଛି ।