ମୃତ ସୁକପାଇକା ନଦୀ ଓ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ସାଂସଦଙ୍କ ସମୀକ୍ଷା ବୈଠକ

ମୃତ ସୁକପାଇକା ନଦୀ ଓ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ସାଂସଦଙ୍କ ସମୀକ୍ଷା ବୈଠକ

ମୃତ ସୁକପାଇକା ନଦୀ ଓ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ସାଂସଦଙ୍କ ସମୀକ୍ଷା ବୈଠକ


କଟକ(ଏନ୍‌.ଏମ୍‌.): କଟକ ସଦର ଉପଖଣ୍ଡ ଅଧୀନ ୨୭.୫ କିଲୋମିଟର ଦୈର୍ଘ୍ୟ ମୃତ ସୁକପାଇକା ନଦୀ ଏବଂ ସେରୁଆ ବାମ ଅବବାହିକା ୧୩.୧୨ କିଲୋମିଟର ଦୈର୍ଘ୍ୟ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ଆଲୋଚନା ହୋଇଛି । ସାଂସଦ ଭର୍ତ୍ତୁହରି ମହତାବଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ମହାନଦୀରୁ ବାହାରିଥିବା ଶାଖା ସୁକପାଇକ ନଦୀକୁ ବନ୍ୟା ନିୟନ୍ତ୍ରଣ ପାଇଁ ଦୀର୍ଘ ୧୯୫୧ ମସିହାରୁ ମୁହାଣକୁ ବନ୍ଦ କରାଯାଇଥିବାବେଳେ ବର୍ତ୍ତମାନ ଏହାର ପୁନରୁଦ୍ଧାର କରାଯାଇ ପାରିଲେ ପନି ପରିବା ଚାଷ, ଧାନ ଚାଷ, ମତ୍ସ୍ୟ ଚାଷ, ଆଖୁ ଚାଷ ସହ ଜୀବନ ଜୀବିକାର ଉନ୍ନତି ଓ ଜିଲ୍ଲାର ଅର୍ଥନୀତି ବିକାଶରେ ଏହା ବହୁଳ ମାତ୍ରାରେ ସହାୟକ ହୋଇ ପାରିବ ବୋଲି ସାଂସଦ ଗୁରୁତ୍ୱାରୋପ କରିଥିଲେ । ସେହି ପରି ସେରୁଆ ନଦୀର ବାମ ପାର୍ଶ୍ୱ ଅବବାହିକା ମାଲିଆ ଡ୍ରେନେଜର ପୁନରୁଦ୍ଧାର କରାଗଲେ ଜଳ ଉତ୍ସ ସଂଗ୍ରହ, ଜଙ୍ଗଲ ସୃଷ୍ଟି ଏବଂ ବିଭିନ୍ନ ଜନ ସାଧାରଣଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶରେ ଏହା ଏକ ସାଧନ ହୋଇପାରିବ ବୋଲି ସାଂସଦ କହିଥିଲେ ।
ବୈଠକରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ ସୁକପାଇକା ନଦୀ ଏବଂ ମାଲିଆ ଡ୍ରେନେଜର ଏକ ସର୍ବଜନ ବହୁମତ ଅଭିଯାନ ମାଧ୍ୟମରେ ଜବର ଦଖଲ ଉଚ୍ଛେଦ ଓ ଥଇଥାନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରି ବିସ୍ତ୍ରୁତ ଡ଼ି.ପି.ଆର. ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ରାଜ୍ୟ ଜଳସମ୍ପଦ ବିଭାଗରୁ ମିଳିଥିବା ସୁକପାଇକା ନଦୀ ଓ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ୪୪ କୋଟି ଅନୁଦାନ ରାଶିର ବିସ୍ତୃତ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରି ପରବର୍ତ୍ତି ବୈଠକରେ ଉପସ୍ଥାପନ କରିବାକୁ ନିର୍ବାହୀ ଯନ୍ତ୍ରୀ ଜଳସମ୍ପଦ ବିଭାଗକୁ ନିର୍ଦେଶ ଦେଇଥିଲେ । ମାଲିଆ ଡ୍ରେନେଜର ଯୁଗ୍ମ ସର୍ବେକ୍ଷଣ ତହସିଲଦାର କିଶୋର ନଗର ଏବଂ ଜଳସମ୍ପଦ ବିଭାଗ ମିଳିତ ଆନୁକୁଲ୍ୟରେ ଶେଷ କରି ସରକାରୀ ଜମି ଜବର ଦଖଲକାରୀଙ୍କ ତାଲିକା ପ୍ରସ୍ତୁତ ସହ ଆବଦ୍ଧ ସରକାରୀ ଜମିର ସବିଶେଷ ତଥ୍ୟ ପରବର୍ତ୍ତୀ ବୈଠକରେ ପ୍ରଦାନ କରିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ତହସିଲଦାର କଟକ ସଦର, ତହସିଲଦାର କିଶୋରନଗର, ମହାନଦୀ ଉତ୍ତରଖଣ୍ଡ ନିର୍ବାହୀ ଯନ୍ତ୍ରୀ, ଡ୍ରେନେଜ ଡିଭିଜନ ନିର୍ବାହୀ ଯନ୍ତ୍ରୀ, ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ