ବାବା ଧବଳେଶ୍ୱରଙ୍କ ନବ ଦୋଳ ଯାତ୍ରା : ଚାନ୍ଦି ବିମାନରେ ଝୁଲିଲେ ପ୍ରଭୁ ଦୋଳ ଗୋବିନ୍ଦ
ଗୁରୁଡ଼ିଝାଟିଆ(ଏନ୍.ଏମ୍.): ଧବଳେଶ୍ୱରଙ୍କ ନବ ଦୋଳ ଯାତ୍ରା ବହୁ ଆଡମ୍ବରରେ ଅନୁଷ୍ଟିତ ହୋଇଯାଇଛି । ଧବଳେଶ୍ୱର ପୂଜକ ସମିତି ପକ୍ଷରୁ ବାବା ଧବଳେଶ୍ୱରଙ୍କ ସହ ଦୋଳଗୋବିନ୍ଦଙ୍କୁ ଚାନ୍ଦି ବିମାନରେ ବିଜେ କରାଯାଇ ମଞ୍ଚେଶ୍ୱର ଗ୍ରାମ ସହ ବିଭିନ୍ନ ସାହି ପରିକ୍ରମା କରି ପ୍ରଭୁଙ୍କୁ ଯାତ୍ରା ପଡିଆକୁ ନିଆଯାଇ ଥିଲା । ୨୦୨୦ରୁ ଏହି ଚାନ୍ଦି ବିମାନ ନିର୍ମାଣ କରାଯାଇଥିଲେ ବି କରୋନା ମହାମାରୀ ଯୋଗୁଁ ପ୍ରଭୁଙ୍କ ଦୋଳ ଯାତ୍ରା ସ୍ଥଗିତ ରହିଥିଲା । ତେବେ ଚଳିତ ବର୍ଷ ଏହି ନବଦୋଳ ଯାତ୍ରା ପାଇଁ ଅନୁମତି ମିଳିବା ପରେ ପୂଜକ ସମାଜ ପକ୍ଷରୁ ବେଶ ଉତ୍ସାହ ପ୍ରକାଶ ପାଇଥିଲା । ଏହି ନବ ଦୋଳ ଯାତ୍ରା ଉପଲକ୍ଷେ ଧବଳେଶ୍ୱର ଯାତ୍ରା ପଡିଆରେ ବିଶ୍ୱ ଦରବାର ଯାତ୍ରା ପାର୍ଟି ପକ୍ଷରୁ ୪ରାତି ଯାତ୍ରା ପରିବେଷଣ କରାଯାଇଛି । ସୂଚନା ଯୋଗ୍ୟ ଯେ, ପବିତ୍ର ଦୋଳ ପୂର୍ଣ୍ଣିମାର ନବମ ଦିନରେ ଏହି ଯାତ୍ରା ହେଉଥିବାରୁ ଏହାକୁ ନବ ଦୋଳ ମେଳଣ ବୋଲି କୁହାଯାଏ । ଏହି ମେଳଣରେ ପ୍ରଭୁ ଧବଳେଶ୍ୱର ଓ ଦୋଳଗୋବିନ୍ଦଙ୍କୁ ବିମାନାରୂଢ଼ ଭାବେ ଦର୍ଶନ କଲେ ଚୌରାଅସୀ ଯୋନି ଜନ୍ମରୁ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି ।