ପୌର ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ
ଖୋର୍ଦ୍ଧା(ଏନ୍.ଏମ୍.): ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ଜଟଣୀ ମ୍ୟୁନିସିପାଲିଟି, ବାଲୁଗାଁ ଓ ବାଣପୁର ଏନ୍.ଏ.ସିର ଅଧ୍ୟକ୍ଷ ଏବଂ କାଉନସିଲର ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଏକ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପରୋକ୍ତ ପୌରାଞ୍ଚଳ ଓ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ନିଯୁକ୍ତ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ମନୋଜ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ଏବଂ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଆଗାମୀ ପୌର ନିର୍ବାଚନକୁ ଅବାଧ ଓ ମୁକ୍ତ ଭାବରେ ପରିଚାଳନା କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ମହାନ୍ତି ଯୋଗଦେଇ ନିର୍ବାଚନ ନିମନ୍ତେ ଷ୍ଟ୍ରଙ୍ଗରୁମର ସୁରକ୍ଷା ସହ ସମସ୍ତ ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦରେ ବ୍ୟବହାର ହେବାକୁ ଥିବା ଇଲେକ୍ଟ୍ରୋନିକଭୋଟିଙ୍ଗ ମେସିନ୍ ଷ୍ଟଙ୍ଗ ରୁମକୁ ସିସିଟିଭି ନଜରରେ ରଖିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ ଶ୍ରୀ ମହାପାତ୍ର ଇଭିଏମ୍ କମିଶନିଂ ସମୟରେ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିପାରିବା ଓ ପୋଲିଂ ପୂର୍ବରୁ ମକ୍ ପୋଲିଂ ସମୟରେ ପୋଲିଂ ଏଜେଣ୍ଟ ଉପସ୍ଥିତ ରହିବା ସମ୍ପର୍କରେ ଅବଗତ କରାଇଥିଲେ । ବୈଠକରୁ ପ୍ରାପ୍ତ ସୂଚନା ଅନୁସାରେ ପ୍ରତି ପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିଷଦ ପାଇଁ ପୌରାଧ୍ୟକ୍ଷ ଓ କାଉନସିଲର ମତଦାନ ପାଇଁ ୨ଟି ଲେଖାଏଁ ଅଲଗା ଅଲଗା ଇଭିଏମ୍ ବ୍ୟବହାର ହେବ । ଖୋର୍ଦ୍ଧା ପୌରପାଳିକା ପାଇଁ ୨୨ଟି ୱାର୍ଡର ୪୪ଟି ମତଦାନ କେନ୍ଦ୍ରରେ ୧୧୦ଟି ଇଭିଏମ୍ ବ୍ୟବହାର ହେବ । ପ୍ରତି ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ଅରିରିକ୍ତ ୨୫ ପ୍ରତିଶତ ଲେଖାଏଁ ଇଭିଏମ୍ ଜରୁରୀ ସେବା ପାଇଁ ସଂରକ୍ଷିତ ରଖାଯାଇଛି । ସେହିପରି ଜଟଣୀ ମ୍ୟୁନିସିପାଲିଟି ନିମନ୍ତେ ୨୩ଟି ୱାର୍ଡରେ ୫୪ଟି ବୁଥ ନିମନ୍ତେ ୧୩୫ ଟି ଇଭିଏମ୍, ବାଲୁଗାଁ ଏନ୍.ଏ.ସିର ୧୧ଟି ୱାର୍ଡର ୧୬ଟି ବୁଥ ପାଇଁ ୪୦ଟି ଇଭିଏମ୍ ଓ ବାଣପୁର ଏନ୍.ଏ.ସିର ୧୫ଟି ୱାର୍ଡର ୧୭ଟି ବୁଥ ପାଇଁ ୪୩ଟି ଇଭିଏମ୍ ବ୍ୟବହାର କରାଯିବ । ପ୍ରତ୍ୟକ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରାର୍ଥୀମାନେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଅନୁପାଳନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଉପରୋକ୍ତ ୪ ଟି ପୌରାଞ୍ଚଳରେ ନିର୍ବାଚନ ପାଇଁ ୧୬୫ଟି ଯାନ ବ୍ୟବହାର କରାଯିବାକୁ ଥିବା ବେଳେ ୧୫୫ ଜଣ ପ୍ରିଜାଇଡିଂ ଅଫିସର ନିୟୋଜିତ ହେବେ । ପ୍ରକାଶ ଥାଉକି ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ସହିତ ଅନ୍ୟ ଏକ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଭୁବନେଶ୍ୱର ମହାନଗର ନିଗମର ୭୦୫ଟି ବୁଥ ନିମନ୍ତେ ୧୭୬୩ ଟି ଇଭିଏମ୍, ୩୦୬ଟି ଯାନ ଏବଂ ୭୭୪ ଜଣ ପ୍ରିଜାଇଡିଂ ଅଫିସର ନିୟୋଜିତ ହେବେ । ଏଥି ସହିତ ନିର୍ବାଚନକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ବିଭିନ୍ନ ବିଷୟରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଖୋର୍ଦ୍ଧା ଉପ ଜିଲ୍ଲାପାଳ ଗୌରବ ଇଶଲୱାର ଶିବାଜୀ, ଭୁବନେଶ୍ୱର ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ଦାସ, ନିର୍ବାଚନ ପରିଚାଳନାରେ ନିୟୋଜିତ ଅନ୍ୟ ପ୍ରଶାସନିକ ଓ ପୁଲିସ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।