ପୌର ନିର୍ବାଚନ ପାଇଁ ଘୋଷଣା: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଆଜିଠୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ପୌର ନିର୍ବାଚନ ପାଇଁ ଘୋଷଣା: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଆଜିଠୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ପୌର ନିର୍ବାଚନ ପାଇଁ ଘୋଷଣା: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଆଜିଠୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି


ଭୁବନେଶ୍ୱର(ଏନ.ଏମ୍‌.): ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ପୂର୍ବ ନିଷ୍ପତ୍ତି ଅନୁଯାୟୀ ପଞ୍ଚାୟତ ନିର୍ବାଚନ ପରେ ଆଜି ଫେବୃୟାରୀ ୨୫ତାରିଖରେ ପୌର ନିର୍ବାଚନ ନିମନ୍ତେ ଘୋଷଣା କରାଯାଇଛି । ଆଜି ଏ ନେଇ ନିର୍ବାଚନ ଆୟୁକ୍ତ ଘୋଷଣା କରିଛନ୍ତି । ଆଜିଠାରୁ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଜି ପୌର ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମରେ ପ୍ରାୟ ୪୧ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ୨୦୧୮ ମସିହାରୁ ଅଧିକାଂଶ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇ ସାରିଥିଲା । ତେବେ ବିଭିନ୍ନ କାରଣରୁ ପୌର ନିର୍ବାଚନ ହୋଇ ପାରିନଥିଲା । ତେବେ ରାଜ୍ୟର ବହୁ ପୌର ସଂସ୍ଥାର ନିର୍ବାଚନ ହେବାକୁ ଥିବାବେଳେ କେବଳ ପୁରୀ ପୌର ପରିଷଦ ଏବଂ ଭଦ୍ରକ ପୌର ପରିଷଦର ୪ ନମ୍ବର ୱାର୍ଡରେ ନିର୍ବାଚନକୁ ନେଇ ମାମଲା ବିଚାରଳୟରେ ଥିବାରୁୁ ସେଠାରେ ନିର୍ବାଚନ ହେବ ନାହିଁ । ତେବେ ଏହି ପୌର ନିର୍ବାଚନ ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ହେବ । ଏଥି ସହିତ ଭୋଟ ଗଣତି ମଧ୍ୟ ମାର୍ଚ୍ଚ ୨୬ ତାରିଖରେ ହେବ । ଚଳିତଥର ପୌର ପରିଷଦ ଓ ଏନଏସି ଅଧ୍ୟକ୍ଷ ପଦବୀ ଓ ମହାନଗର ନିଗମରେ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ ।
ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ମୋଟ ୪୭ଟି ପୌର ପରିଷଦ, ୫୯ଟି ଏନଏଏସି ଓ ୩ଟି ମହାନଗର (ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର)ରେ ଆସନ୍ତା ମାର୍ଚ୍ଚ ୨୪ତାରିଖରେ କାଉନସିଲର/କର୍ପୋରେଟର, ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ନିର୍ବାଚନ ହେବ । ଏଥିପାଇଁ ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ବିଧିବଦ୍ଧ ଭାବେ ଫେବୃୟାରୀ ୨୮ତାରିଖରେ ବିଜ୍ଞପ୍ତି ଜାରି କରିବେ । ମାତ୍ର ଆଜି ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହ ଭୋଟ ହେବାକୁ ଥିବା ସବୁ ପୌରାଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଯାହାକି ମାର୍ଚ୍ଚ ୨୬ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମସ୍ତ ପୌର ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ, ମାର୍ଚ୍ଚ ୯ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ୧୪ ତାରିଖ ଅପରାହ୍ନ ୩ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ୨୬ତାରିଖ ସକାଳ ୮ଟାରୁ ଭୋଟଗଣତି ହେବ । ଏପ୍ରିଲ ୭ତାରିଖରେ ପୌର ପରିଷଦ ଓ ଏନଏଏସି ଉପାଧ୍ୟକ୍ଷ ପଦବୀ ପାଇଁ ପରୋକ୍ଷ ନିର୍ବାଚନ ହେବ । ଏପ୍ରିଲ ୮ତାରିଖରେ ଡେପୁଟି ମେୟର ନିମନ୍ତେ ନିର୍ବାଚନ ହେବ । ତେବେ ହାଇକୋର୍ଟରେ ମାମଲା ଥିବାରୁ ପୁରୀ ପୌର ପରିଷଦରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ନବଗଠିତ ଚାନ୍ଦବାଲି, ଧାମନଗର, ବିଜେପୁର ଓ ରେମୁଣା ଏନଏସିରେ ନିର୍ବାଚନ ହେବ ବୋଲି ନିର୍ବାଚନ ଆୟୁକ୍ତ ସୂଚନା ଦେଇଛନ୍ତି । ତେଣୁ ରାଜ୍ୟର ୩ଟି ମହାନଗର ନିଗମରେ ମୋଟ ୧୪.୨୬ଲକ୍ଷ ଭୋଟର ଏବଂ ଅନ୍ୟ ୧୦୬ଟି ପୌରାଞ୍ଚଳରେ ପ୍ରାୟ ୨୫ଲକ୍ଷ ଭୋଟର ରହିଛନ୍ତି । ୩ଟି ମହାନଗର ନିଗମରେ ମୋଟ ୧୬୮ଟି ୱାର୍ଡ ଥିବାବେଳେ ମୋଟ ପୌରାଞ୍ଚଳର ୧୭୪୮ଟି ୱାର୍ଡରେ ଭୋଟ ଗ୍ରହଣ ହେବ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ