ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ


#କଟକ(ଏନ୍‌.ଏମ୍‌.): ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । କଟକର ସିଡିଏ ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ଅନାଦି ସାହୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ଅନାଦି ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ୨ରୁ୩ ବର୍ଷ ହେବ ସେ ଶଯ୍ୟାଶାୟୀ ଥିଲେ । ଅନାଦି ସାହୁ ଜଣେ ଦକ୍ଷ ପୁଲିସ ପ୍ରଶାସକ ଥିଲେ । ଏହାସହ ସେ ରାଜନୀତିରେ ମଧ୍ୟ ସାମିଲ ହୋଇଥିଲେ । ବ୍ରହ୍ମପୁରରୁ ବିଜେପିର ସାଂସଦ ହୋଇ ଥିଲେ । କିଛି ବର୍ଷ ହେଲା ଅନାଦି ସାହୁ ରାଜନୀତିରୁ ଦୂରେଇ ଯାଇଥିଲେ । ସାହିତ୍ୟ କ୍ଷେତ୍ରରେ ଅନାଦିଙ୍କର ଅନେକ ସୃଷ୍ଟି ସମ୍ଭାର ରହିଛି । ସେ ବିଭିନ୍ନ ପୁସ୍ତକ ଲେଖିଛନ୍ତି । ଅନାଦି ସାହୁଙ୍କ ଶେଷ ଦର୍ଶନ କରିବା ପାଇଁ ସିଡିଏ ସ୍ଥିତ ବାସଭବନରେ ନେତା ଓ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି । ସ୍ଥାନୀୟ ସତୀ ଚଉରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ତାଙ୍କ ବିୟୋଗରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ସ୍ୱର୍ଗତ ଅନାଦି ସାହୁଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟୁଇଟ୍ କରି ଅନାଦିଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିଭଳି ସ୍ୱର୍ଗତ ସାହୁ ୧୯୯୨ରୁ ୧୯୯୫ ଯାଏ ଉତ୍କଳ ସାହିତ୍ୟ ସମାଜର ସଭାପତି ଦାୟିତ୍ୱ ନିର୍ବାହ କରିଥିବାରୁ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା । ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସେମତ କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ବ୍ରହ୍ମାନନ୍ଦ ମହାନ୍ତି, ତପନ କୁମାର ସ୍ୱାଇଁ, ମୁରଲୀଧର ଶତପଥୀ, ରାଧାଶ୍ୟାମ ରାଉଳ ଉପସ୍ଥିତ ରହି ଅନୁଷ୍ଠାନର ପରମ୍ପରା କ୍ରମେ ସ୍ୱର୍ଗତ ସାହୁଙ୍କ ମରଶରୀରକୁ ଅନୁଷ୍ଠାନର ପତକାରେ ଆଚ୍ଛାଦିତ କରିବା ସହ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଏହି ସମୟରେ ଉତ୍କଳ ସାହିତ୍ୟ ସମାଜର ପୂବର୍ତନ ଉପସଭାପତି ସତ୍ୟ ରାୟ, ପୂବର୍ତନ କୋଷାଧ୍ୟକ୍ଷ ତଥା କଟକ ଲେଖକ ସହେଯାଗ ସମିତିର ସାଧାରଣ ସଂପାଦକ ରଘୁନାଥ ମହାପାତ୍ର ଓ ଆଜୀବନ ସଦସ୍ୟ ସ୍ୱରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉତ୍କଳ ସାହିତ୍ୟ ସମାଜର ପ୍ରାକ୍ତନ ସଭାପତି ପ୍ରେଫସର ବିଜୟାନନ୍ଦ ସିଂହ ଓ କୋଷାଧ୍ୟକ୍ଷ ଶିବାଶିଷ କରି ଶେଷଦର୍ଶନ କରି ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ