ଠିକାଦାରଙ୍କ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ : ସୁନାରିବଣ ପରେ ଭୁସୁଡିଲା ହୁରାସାହି କେନାଲ ବନ୍ଧ
ଜଗତପୁର(ଏନ୍.ଏମ୍.): ଗ୍ରାମ୍ୟ ଉନୟନ୍ନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନାରେ ଚମ୍ପତି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ହୁରାସାହି-ସୁନାରିବଣ ଅଧିବାସୀଙ୍କ ପାଇଁ କେନ୍ଦ୍ରାପଡା କେନାଲ ମଧ୍ୟରେ ଫୁଟ ବ୍ରିଜ ନିର୍ମାଣ କରାଯାଉଛି । ପଞ୍ଚାୟତ ନିର୍ବାଚନ ସମୟରେ ଆଚରଣ ବିଧି ଲାଗୁହେବା ପରେ ଏହି ପ୍ରକଳ୍ପକୁ ବିନା ଫଳକରେ ଶିଳାନ୍ୟାସ କରାଯାଇଥିଲା । ଫୁଟ୍ ବ୍ରିଜଟି ନିର୍ମାଣ କରାଗଲେ ୫ଗୋଟି ପଞ୍ଚାୟତର ଲୋକେ ଉପକୃତ ହୋଇଥାନ୍ତେ । ତେବେ ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ହୁରାସାହି ପାଶ୍ୱର୍ କେନାଲବନ୍ଧ ୫ଫୁଟ ଧସେଇ ଯାଇଥିବା ଦେଖିବାକୁ ମିଳିଛି । ଏଥି ସହ କେନାଲ ବନ୍ଧ ରାସ୍ତା ଫାଟ ସୃଷ୍ଟି ହେବା କାରଣରୁ ରାସ୍ତା ଉପରେ ଯାତୟାତ କରୁଥିବା ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏବେ କେନାଲ ବନ୍ଧ ରାସ୍ତାରେ ଠିକାଦାର ଜଣକ ବାରିକେଡ ଦ୍ୱାରା ଆବଦ୍ଧ କରି ରାସ୍ତାଟିକୁ ସଂକୁଚିତ କରିବାକୁ ବାଧ୍ୟ ହୋଇଛନ୍ତି । ଏଠାରେ ସୂଚନା ଥାଉକି, ଗତ ୨୩ ତାରିଖରେ ସୁନାରିବଣ ପାଶ୍ୱର୍ କେନାଲ ବନ୍ଧ ରାସ୍ତା ପାଖାପାଖି ୪୦ ଫୁଟ ଚଉଡାରେ ଧସି ପଡିବା ସହ ବନ୍ଧ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା । ଯାହା ଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବନ୍ଧ ରାସ୍ତାଟି ବନ୍ଦ କରାଯିବା କାରଣରୁ ସେମାନେ ଗହିର ମଧ୍ୟରେ ଯାତାୟତ କରିବାକୁ ବାଧ୍ୟ ହୋଇଥିଲେ । ଯଦି କୌଣସି ଯାନ ବାହନ ଅନ୍ଧାର ରାତିରେ ଦୂର୍ଘଟଣାର ଶିକାର ହୁଅନ୍ତି ଏଥିପାଇଁ କିଏ ଦାୟୀ ରହିବେ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିବାକୁ ଦାବି କରାଯାଇଛି ।