ଜବରଦଖଲକାରୀଙ୍କ କବ୍ଜାରେ ଗ୍ରାମ୍ୟରାସ୍ତା, ସମସ୍ୟାରେ ଗ୍ରାମବାସୀ
ଟାଙ୍ଗୀ-ଚୌଦ୍ୱାର (ଏନ୍.ଏମ୍.): ଗ୍ରାମ୍ୟରାସ୍ତା ଜମିକୁ ଜବରଦଖଲ କରିଥିବାରୁ ହୋଇପାରୁନି ରାସ୍ତାକାମ । ଯାହାଦ୍ୱରା ଅସୁବିଧା ଭୋଗୁଛନ୍ତି ଗାଁର ଶହେରୁ ଅଧିକ ପରିବାର । ଜବର ଦଖଲକାରୀ ପ୍ରଭାବଶାଳିବ୍ୟକ୍ତି ହୋଇଥିବାରୁ ଅଭିଯୋଗ କଲେବି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆସିଛି କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ସଫା ପଂଚାୟତ ହରିଡାପାଳ ଗାଁରୁ । ଏହି ରାସ୍ତା ଉପରେ ନିର୍ଭର କରନ୍ତି ଗାଁର ସମସ୍ତ ଲୋକେ । କାରଣ ଏହି ଗାଁର ସମସ୍ତ ବ୍ୟକ୍ତି ଚାଷ ଉପରେ ନିର୍ଭରଶୀଳ । ଏହି ରାସ୍ତାଟି ପଡିଛି ଚାଷଜମି ଓ ଗାଁ ପୋଖରୀକୁ । କେବଳ ଚାଷଜମି ନୁହେଁ ,୫ଟି ପରିବାରର ଏହା ହେଉଛି ନିତିଦିନିଆ ରାସ୍ତା । ଏହି ରାସ୍ତାର ଅବସ୍ଥା ବର୍ଷା ଦିନ ଆସିଲେ କାଦୁଅରେ ଭରିଯାଏ । ଯାହାଦ୍ୱରା ଏହି ରସ୍ତା ଦେଇ ଗ୍ରାମବାସୀ ବହୁ କଷ୍ଟରେ ଯାଆ ଆସ କରିଥାନ୍ତି । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ପ୍ରଶାସନ ତରଫରୁ ମନରେଗା ଯୋଜନାରେ ରାସ୍ତା କାମ ଆରମ୍ଭ ହୋଇଥିଲା । ହେଲେ କାମ ଆରମ୍ଭ ହେବାରୁ ସେହି ଗ୍ରାମର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏହି ରାସ୍ତା କାମ କରାଇଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନିର୍ମାଣ ହେଉଥିବା ରାସ୍ତାଟି ସରକାରୀ ଜମିରେ ହୋଇଥିବା ବେଳେ ଜବରଦଖଲକାରୀ କିନ୍ତୁ ଏହି ରାସ୍ତାରେ କାମ କରାଇଦେଉନାହିଁ । ଯାହାଦ୍ୱରା ଗ୍ରାମବାସୀ ମାନେ ଏନେଇ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ,ବିଡିଓ ଓ ଥାନାକୁ ଲିଖିତ ଭାବେ ଜଣାଇଛନ୍ତି । ହେଲେ ପ୍ରଶାସନ କୌଣସୀ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଲୋକ ମାନେ ଆଗାମୀ ଦିନରେ ତହସିଲ ଅଫିସ ଘେରାଉ କରିବେ ବୋଲି ଚେତାବନି ଦେଇଛନ୍ତି । ରାସ୍ତା କାମ ଚାଲୁଥିବା ବେଳେ ଜବରଦଖଲକାରୀ କାମ ବନ୍ଦ କରିବା ପାଇଁ କହିବା ସହିତ ଢେଲା ପଥର ପକାଇଥିଲେ । ଗାଳିଗୁଲଜ କରି କାମ ବନ୍ଦ କରାଇ ଦେଇଥିବା ଗ୍ରାମର ହରିହର ମାହୁନ୍ତଙ୍କ ସମେତ ଗ୍ରାମବାସୀ ମାନେ କହିଛନ୍ତି । ଏହି ବ୍ୟକ୍ତି ଜଣକ ସରକାରୀ ଚାକିରି କରିଥିବାରୁ ଟଙ୍କା ଦେଇ ପ୍ରଶାସନର ମୁହଁ ବନ୍ଦ କରିଥିବା ଗ୍ରାମବାସୀ ମାନେ କହିଛନ୍ତି । ଏନେଇ କାର୍ଯ୍ୟକୁ ବିରୋଧ କରୁଥିବା ବ୍ୟକ୍ତିର ପ୍ରତିକୀୟା ମିଳିପାରି ନାହିଁ । ମାତ୍ର ରାସ୍ତା ନିର୍ମାଣ ଏହି ଅଂଚଳରେ ନିହାତି ଆବଶ୍ୟକ ଥିବା ହେତୁ ୧୦ଲକ୍ଷଟଙ୍କା ବ୍ୟୟ ଅଟଳଳରେ ରାସ୍ତା କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆ ଯାଇ କାମ ଆରମ୍ଭ କରାଯାଇଥିଲା । ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ବିରୋଧ ଯୋଗୁ କାମ ବନ୍ଦ ଥିବା ପଂଚାୟତ ଅଫିସର କହିଛନ୍ତି । ଏହା ଉପରେ ତଦନ୍ତ କରାଯାଇଛି ସମସ୍ତ ଜମି ସରକାରୀ ବୋଲି ଜଣାପଡିଛି । ଖୁବ୍ଶିଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟାଙ୍ଗୀ-ଚୌଦ୍ୱାର ତହସିଲଦାର କହିଛନ୍ତି । ଯଦି ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନନିଅନ୍ତି ତେବେ ଏବର୍ଷ ଚାଷ ଜମିକୁ ଆମେ କେମିତି ଯିବୁ । ଆମେ ଚାଷ କରି ନପାରିଲେ କେମିତି ଚଳିବୁ । ବାଧ୍ୟ ହୋଇ ଗ୍ରାମବାସୀ ମାନେ ତହସିଲ ଅଫିସ ଆଗରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି । ସେଥିଲଗି ପ୍ରଶାସନ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।