ଘୋଷଯାତ୍ରା ପାଇଁ ପ୍ରସ୍ତୁତ ରଥ, ପଥ ଜଗନ୍ନାଥ: ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ

ଘୋଷଯାତ୍ରା ପାଇଁ ପ୍ରସ୍ତୁତ ରଥ, ପଥ ଜଗନ୍ନାଥ: ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ

ଘୋଷଯାତ୍ରା ପାଇଁ ପ୍ରସ୍ତୁତ ରଥ, ପଥ ଜଗନ୍ନାଥ: ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ


ପୁରୀ (ଏନ୍‌.ଏମ୍‌.): ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାପ୍ରଭୁ । ଏଥିପାଇଁ ରଥ, ପଥ, ଜଗନ୍ନାଥ ସମସ୍ତେ ପ୍ରସ୍ତୁତ । ଏହି ଅବସରରେ ଆଜି ସିଂହଦ୍ୱାର ସମ୍ମୁଖରେ ୩ରଥ ବି ଲାଗି ସାରିଛନ୍ତି । ଆଜି ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ଆସିବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲା । ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜ ରଥକୁ ଅଣାଯାଇଥିଲା । କୋଭିଡ୍ ନିୟମ ପାଳନ ଅନୁଯାୟୀ ସେବାୟତମାନେ ୩ରଥକୁ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣିଥିଲେ । ସେହିପରି ପରମ୍ପରା ଅନୁସାରେ ରଥଯାତ୍ରା ଲାଗି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନିମନ୍ତ୍ରଣ କରିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣ କୁମାର ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି । ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେ ଜଗଦଗୁରୁଙ୍କୁ ନିମନ୍ତ୍ରଣ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣ ରକ୍ଷା କରି ନିଜର ୬ ଜଣ ଅନୁଗାମୀଙ୍କ ସହ ଯିବାକୁ ସମ୍ମତି ପ୍ରଦାନ କରିଛନ୍ତି ଶଙ୍କରାଚାର୍ଯ୍ୟ । ଏହା ସହିତ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମାପନ କରିବାକୁ ସେ ପ୍ରଶାସନକୁ କହିଛନ୍ତି । ସେହିପରି କରୋନା କଟକଣା ଥିବାରୁ ଶ୍ରଦ୍ଧାଳୁମାନେ ଘରେ ରହି ବିଭିନ୍ନ ବୈଦୂତିକ ଗଣମାଧ୍ୟମ ଜରିଆରେ ରଥଯାତ୍ରା ଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ କରୋନା ଯୋଗୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ବିନା ଭକ୍ତରେ ପୁରୀରେ ରଥଯାତ୍ରା ଆୟୋଜନ କରାଯାଉଛି । ପୁରୀ ସହରରେ ଆଜି ଠାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଆରମ୍ଭ ହେଉଛି । ଆଜି ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏଠାରେ କର୍ଫ୍ୟୁ ବଳବତ୍ତର ରହିବ । ବଡ଼ଦାଣ୍ଡରେ ଦୁଇ ପାର୍ଶ୍ୱରେ ଥିବା ସମସ୍ତ ହୋଟେଲ୍‌, ଲଜ୍ ଓ ଧର୍ମଶାଳାକୁ ଖାଲି କରାଯାଇଛି । ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା ଲୋକେ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ ।
କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି । କର୍ଫ୍ୟୁ ସମୟରେ ଲୋକଙ୍କ ସୁବିଧା ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ଜରୁରୀ ସ୍ଥିତିରେ ଲୋକେ ୧୮୦୦୩୪୫୭୪୯୫ ନମ୍ବରରେ ଫୋନ୍ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାବ୍ୟତୀତ ବଡ଼ଦାଣ୍ଡରେ ଥିବା କୌଣସି ଦୋକାନ ଖୋଲାଯିବ ନାହିଁ । କର୍ଫ୍ୟୁ ସମୟରେ ସହରର ଅନ୍ୟ ସ୍ଥାନଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିଛି । ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟ କରାଯାଇଥିବା ଜଣାପଡ଼ିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ