କରୋନା କଟକଣାରେ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ୩ ରଥ

କରୋନା କଟକଣାରେ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ୩ ରଥ

କରୋନା କଟକଣାରେ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ୩ ରଥ


ପୁରୀ(ଏନ୍‌.ଏମ୍‌.): ଦୋଳେଶ୍ଚ ଦୋଳ ଗୋବିନ୍ଦଂ, ଚାପେଶ୍ଚ ମଧୁସୂଦନ, ରଥେତ୍ୱଂ ବାମନଃ ଦୃଷ୍ଟା, ପୁର୍ନଃ ଜନ୍ମ ନ ବିଦ୍ୟତେ । ରଥରେ ପ୍ରଭୁଙ୍କ ଦର୍ଶନରେ ୧୮ଲକ୍ଷ ଜୋନିଜନ୍ମରୁ ମୁକ୍ତି ମିଳିଥାଏ । ସେଥିପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବା ପାଇଁ ସାରା ବିଶ୍ୱବାସୀଙ୍କ ଭିଡ ହୋଇଥାଏ ଶ୍ରୀକ୍ଷେତ୍ର ଧାମରେ । ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ଶ୍ରଦ୍ଧାଳୁଙ୍କ ସମାବେଶରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ୩ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ରଥ ଗଡ଼ିଛି । ରତ୍ନ ସିଂହାସନ ଛାଡ଼ି ଭାଇଭଉଣୀଙ୍କ ସହ ଆଜି ଜନ୍ମବେଦୀ ଅଭିମୁଖେ ବାହାରିଛନ୍ତି କାଳିଆ ସାଆନ୍ତ । ଆଜି ସବୁ ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ରଥଟଣା ଆରମ୍ଭ ହୋଇ ସାରିଲାଣି । ରଥ ଗଡ଼ିବା ପୂର୍ବରୁ ପ୍ରଥମେ ସ୍ୱାମୀ ନିଶ୍ଚଳାନନ୍ଦ ନିଜ ଅନୁଗାମୀଙ୍କ ସହ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହାପରେ ଗଜପତି ମହାରାଜା ପହଞ୍ଚି ୩ ରଥରେ ଛେରା ପହଁରା କରିଥିଲେ । ଏହାପରେ ୩ ରଥରେ ସାରଥୀ ଓ ଘୋଡ଼ାଯୋଚା କାମ ହେବାପରେ ରଥଟଣା ଆରମ୍ଭ ହୋଇଛି । ଲଗାତାର ଦ୍ୱିତୀୟ ବର୍ଷ ପାଇଁ କରୋନା କଟକଣା ମଧ୍ୟରେ ବଡ଼ଦାଣ୍ଡରେ ପ୍ରଭୁ ରଥାରୂଢ଼ ହୋଇ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିଛନ୍ତି । କୋଭିଡ଼ କଟକଣା ଯୋଗୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦିବ୍ୟ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ବିନା ଭକ୍ତରେ ସେବାୟତମାନେ ରଥ ଟାଣୁଛନ୍ତି । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିବା ପରେ ଦର୍ପଦଳନ ରଥରେ ଚାଲିଛନ୍ତି ଭଉଣୀ ସୁଭଦ୍ରା । ବଡ଼ଭାଇ ଓ ଭଉଣୀଙ୍କୁ ଜନ୍ମବେଦୀକୁ ପଠାଇ ଶେଷରେ ନନ୍ଦିଘୋଷରେ କାଳିଆ ଯାତ୍ରା ଆରମ୍ଭ କରିଛି । ହେଲେ ବଡ଼ ହଟିଆ, ନାଟ କୁଟିଆର ନାଟ ଚଳିତ ବର୍ଷ ହୋଇପାରି ନାହିଁ । ଭକ୍ତଙ୍କ ଦର୍ଶନ ଦେବା ପାଇଁ ଅଷ୍ଟଚାହାଣୀରେ କାହାରିକୁ ଅପେକ୍ଷା କରିବାକୁ ପଡ଼ିଲା ନାହିଁ । ସେବାୟତମାନେ କେବଳ ବିଧିପୂର୍ବକ ପହଣ୍ଡି କରି ରଥରେ ବସାଇ ନେଇ ନେଇ ଯାଉଛନ୍ତି ମାଉସୀ ମା’ ଘର ଅଭିମୁଖେ । ତେବେ ପ୍ରଭୁ ପତିତ ଉଦ୍ଧାର ପାଇଁ ରତ୍ନବେଦୀ ଛାଡ଼ି ବର୍ଷକେ ଥରେ ମାତ୍ର ଆସିଥାନ୍ତି । ଏହି ଶ୍ରୀଗୁଣ୍ଡିଚା ଦିନ ପ୍ରଭୁ ପତିତମାନଙ୍କୁ ସିଧା ସଳଖ ଦର୍ଶନ ଦେଇଥାନ୍ତି । ହେଲେ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ କରୋନା ଭକ୍ତ ଭଗବାନଙ୍କ ମଧ୍ୟରେ ଏକ ଦୂରତ୍ୱ ସୃଷ୍ଟି କରିଛି । ତେବେ ନିୟତିର ଖେଳକୁ କିଏ ବା ଖଣ୍ଡନ କରିବ । ହେଲେ ନଟକୁଟିଆ ସବୁଜାଣି ଅଜଣା ହେବାର ଅଭିନୟ କରୁଛି ବୋଲି କିଛି ଶ୍ରଦ୍ଧାଳୁ ବିଭିନ୍ନ ଗଣମାଧ୍ୟମରେ ରଥଯାତ୍ରାର ସିଧା ପ୍ରସାରଣ ଦେଖି ଭାବବିହ୍ୱଳ, ଅଶ୍ରୁଳ ନୟନ ଆଉ ବାଷ୍ପରୁଦ୍ଧ କଣ୍ଠରେ କହିକହି କାନ୍ଦି ପକାଇଛନ୍ତି । ତେବେ ଶ୍ରୀଗୁଣ୍ଡିଚା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର । ସେବାୟତମାନେ ମଧ୍ୟ ଗୁହାରି କରୁଛନ୍ତି ହେ ମଣିମା ଆରବର୍ଷକୁ କରୋନା ଦୂର କରି ପୂର୍ବଭଳି ସମସ୍‌ତ ଶ୍ରଦ୍ଧାଳୁ ଆଜି ଦିନରେ ତୁମ୍ଭକୁ କୋଳେଇବାକୁ ତୁମ୍ଭ ରଥ ଦଉଡ଼ି ଭିଡ଼ିବାକୁ ସୁଯୋଗ ଦିଅ ପ୍ରଭୁ ।…..

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ