ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
କଟକ(ଏନ୍.ଏମ୍.): ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ କର୍ମକର୍ତ୍ତାଙ୍କ ବିଭିନ୍ନ ସମସ୍ୟା ବିଷୟରେ ବହୁବାର ସମାଧାନ ପାଇଁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ । ଏହି ଅବସରରେ ସଂଘ ପକ୍ଷରୁ ସର୍ବସମ୍ମତି ନିଷ୍ପତିକ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳଙ୍କ ଜରିଆରେ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ କର୍ମଚାରୀଙ୍କ ବୟସ ସୀମା ୬୦ରୁ ୬୫କୁ ବୃଦ୍ଧି କରାଯିବା, ଦୀର୍ଘ ବର୍ଷ ଧରିି ସ୍ୱାସ୍ଥ୍ୟ ବିଭାଗରେ ଖାଲିପଡିଥିବା ଡି-ଗ୍ରେଡ ପଦବୀକୁ ଯଥାଶୀଘ୍ର ପୁରଣ କରାଯିବା, ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଯୋଗ୍ୟତା ଭିତିରେ ତୃତୀୟ ଶ୍ରେଣୀ କର୍ମଚାରୀଭାବେ ପଦୋନ୍ନତି ଦିଆଯିବା, ସମଗ୍ର ରାଜ୍ୟରେ ଅସ୍ଥାୟୀ ବା ଏଜେନ୍ସି ମାଧ୍ୟମରେ କାର୍ଯ୍ୟକରୁଥିବା କର୍ମଚାରୀମାନଙ୍କର କାର୍ଯ୍ୟକାଳ୬ବର୍ଷରୁ ଉର୍ଦ୍ଧ୍ୱଧାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା, ସମସ୍ତ ମେଡିକାଲ କର୍ମଚାରୀଙ୍କୁ ମେଡିକାଲ ପରିସରରେ ସ୍ଥାୟୀ ବାସଗୃହ ଯୋଗାଇବା, ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ କରୋନାରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ବୀମା ଅର୍ଥରାଶୀ ପ୍ରଦାନ କରିବା, ଯେଉଁ କର୍ମଚାରୀମାନେ ପୋଷ୍ଟମର୍ଟମ ଗୃହରେ କାର୍ଯ୍ୟକରୁଛନ୍ତି ସେମାନଙ୍କର ଅର୍ଥରାଶିକୁ ୫ଶହ ଟଙ୍କା କରିବା ସହ ନୂତନ କର୍ମଚାରୀ ନିଯୁକ୍ତି କରିବା, କର୍ମଚାରୀଙ୍କୁ ମିଳୁଥିବା ପୋଷାକ ବାବଦରେ ୧ହଜାର ଟଙ୍କା ଅର୍ଥ ରାଶିକୁ ୨ ହଜାର ଟଙ୍କା ବୃଦ୍ଧି କରାଯାଉ ଏବଂ ଏବଂ ଶୀତ କାଳୀନ ବସ୍ତ୍ର ବାବଦରେ ୨ ହଜାର ଟଙ୍କା, ବିପଦ ଭତ୍ତା ୫ଶହ ଟଙ୍କା, ପୋଷାକ ସଫା ପାଇଁ ଶହେ ଟଙ୍କାରୁ ୫ ଶହ ଟଙ୍କାକୁ ବୃଦ୍ଧି କରାଯାଉ, ସାରା ରାଜ୍ୟରେ ଖାଲି ପଡିଥିବା ଡ୍ରେସର, ଷ୍ଟ୍ରେଚର ବିଅରର, ମାଳି, ଚୌକିଦାର, ହେଲପର, ରୋଷେୟା ପଦବୀକୁ ତୁରନ୍ତ ପୁରଣ କରାଯାଉ ଏଥି ସହିତ ସରକାରଙ୍କ ନିୟମାନୁଯାୟୀ କର୍ମଚାରୀମାନେ ପାଉଥିବା ଘରଭଡାକୁ ବର୍ତ୍ତମାନର ଦରଦାମ ଅନୁଯାୟୀ ବୃଦ୍ଧି କରାଯିବା ପାଇଁ ଦାବି ହୋଇଛି ।
ଯଦି ଏହି ଦାବି ଉପରେ ଆସନ୍ତା ୧୫ଦିନ ମଧ୍ୟରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯାଏ ତାହାଲେ ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ବିରୁଦ୍ଧରେ ୨୧-୧୨-୨୦୨୧ରିଖ ଠାରୁ ସମଗ୍ର ଓଡିଶାରେ ୭ଦିନ ଧରି କଳାବ୍ୟଜ ପରିଧାନ କରି ରାଜ୍ୟ ସଚିବାଳୟ ସମ୍ମୁଖରେ ଗଣତାନ୍ତ୍ରିକ ଉପାୟରେ ରୋଗୀ ସେବାରେ ବାଧା ନଉପାଯାୟୀ ଶାନ୍ତି ପୂର୍ଣ୍ଣଭାବେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ହିନ୍ଦ ମଜଦୁର ସଭାର ଯୁବ ସଭାପତି ବିଜୟ ଭୂଷଣ ପତି, ସଂଘର ଉପସଭାପତି ସାକିର ଖାଁ, ଉପସମ୍ପାଦକ ଶିବପ୍ରସାଦ ମହାନ୍ତି, ସାଙ୍ଗଠନିକ ସମ୍ପାଦକ ବିଜୟ କୁମାର ନାୟକ, ଯୁଗ୍ମ ସମ୍ପାଦକ ନରେନ୍ଦ୍ର ଟୋପାକ, ମହିଳା ସଭାନେତ୍ରୀ ପ୍ରଭାତୀ ଅଚାର୍ଯ୍ୟଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।