ଆସନ୍ତା ୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ (ଏଜେନ୍ସି): କରୋନା କଟକଣା ମଧ୍ୟରେ ଚଳିତ ମାସରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଅଧିବେଶନରେ ଅଗଷ୍ଟ ୧୩ରେ ଶେଷ ହେବ ବୋଲି ଜଣାପଡ଼ିଛି । ଏଥିରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି । ଜୁଲାଇ ୧୯ରେ ସଂସଦର ମୌସୁମୀ ଅଧିବେଶ ଆରମ୍ଭ ହେବା ପୂର୍ବରୁ ୧୮ରେ ସର୍ବ ଦଳୀୟ ବୈଠକ ବସିବ । ଏହି ବୈଠକରେ ଅଧିବେଶନ କିଭଳି ଚାଲିବ ଏବଂ କେଉଁ କେଉଁ ପ୍ରସଙ୍ଗ ଉଠିବ ସେ ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଥିବାରୁ ଅନେକ କମିଟିରେ ସଦସ୍ୟ ଖାଲି ରହିଛି । ଖୁବଶୀଘ୍ର ଖାଲିଥିବା କମିଟି ପଦ ପୂରଣ ହେବ ବୋଲି ବାଚସ୍ପତି କହିଛନ୍ତି । ମୌସୁମୀ ଅଧିବେଶନରେ ଯେଉଁ ସବୁ ବିଲ୍ ପାରିତ ହେବ ସେ ନେଇ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି । ଏହି ସମୟରେ ବାପା-ମା ଏବଂ ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ପ୍ରସ୍ତାବିତ ଆଇନ, ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଆନ୍ତଃ ନଦୀ ଜଳ ବିବାଦର ସମାଧାନ କମିଟି ଗଠନ ପାଇଁ ବିଲ୍ ଆସିବ ବୋଲି ଜଣାପଡ଼ିଛି । ତେବେ କରୋନା କଟକଣା ମଧ୍ୟରେ ମୌସୁମୀ ଅଧିବେଶନ ଚାଲିବ । କରୋନା ବେଳେ ମୋଟ୍ ୩ଟି ଅଧିବେଶନ ଆୟୋଜିତ ହୋଇଛି । ସୂଚନାଯୋଗ୍ୟ ଯେ, ଅନ୍ତିମ ଥର କରୋନା ଯୋଗୁଁ ଶୀତକାଳୀନ ଅଧିବେଶନକୁ ରଦ୍ଦ କରାଯାଇଥିଲା ।