ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡର ଚଢାଉ: ପିକ୍ଅପ୍ଭ୍ୟାନ୍ ସହ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୨ ଗିରଫ

କଟକ(ଏନ୍.ଏମ୍.): ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ପକ୍ଷରୁ ଅତର୍କୀତ ଚଢ଼ାଉ କରାଯାଇ ସ୍ଥାନୀୟ ଜଗତପୁର-ଚଣ୍ଡିଖୋଲ ରାସ୍ତାର ଟାଙ୍ଗୀ ଥାନା ଅନ୍ତର୍ଗତ-ମଙ୍ଗୁଳି ଛକରେ ୧କ୍ୱିଣ୍ଟାଲ ୨ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି । ଏହି ଚୋରା କାରବାରରେ ସଂପୃକ୍ତ ୨ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ସେମାନେ ବ୍ୟବହାର କରିଥିବା ଓଡି-୩୩-ଏସି-୯୧୨୦ ନମ୍ବରର ପିକ୍ଅପ୍ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତଦ୍ୱୟ ନୟାଗଡ ଜିଲ୍ଲା ଗୋପାଳପୁରର ମନୋଜ ବଳିଆରସିଂହ(୨୬) ଓ ଗଞ୍ଜାମ ଜିଲ୍ଲା ସୋରଡାର କୀର୍ତ୍ତନ ଗୌଡ(୨୨) ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଦୁହେଁ ଏକ ପିକ୍ଅପ୍ ଭ୍ୟାନ୍ରେ କନ୍ଧମାଳରୁ ଗଞ୍ଜେଇ ନେଇ କୋଲକତା ଅଭିମୁଖେ ଯାଉଥିଲେ । ଏ ସଂକ୍ରାନ୍ତ ଗୁପ୍ତ ଖବରକୁ ଭିତ୍ତକରି ଅବକାରୀ ଆୟୁକ୍ତ ଆଶିଷ ସିଂହଙ୍କ ପରାମର୍ଶ କ୍ରମେ ସ୍କ୍ୱାଡର ଉପ ଅଧିକ୍ଷକ ଦେବାଶିଷ ପଟେଲ, ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ, ସଚିନ ବେହେରା ଓ ସରୋଜ କୁମାର ପରିଡା, ନଟବର ମଲ୍ଲିକ, ସାକିର ଉଲ୍ଲା, ପ୍ରଦୀପ ବେହେରା, ଅନ୍ତର୍ଯ୍ୟାମୀ ରଘୁନନ୍ଦନ ମଲ୍ଲିକ ପ୍ରମୁଖ ଡ୍ରିମ୍ସ ଛକରେ ଜଗି ରହି ଗାଡିିକୁ ଅଟକାଇ ତଲାସୀ କରିଥିଲେ । ତଲାସୀ ନେବା ପରେ ଗାଡି ଡାଲାରେ ଥିବା ଏକ ସିକ୍ରେଟ ଚାମ୍ବରରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଜରି ପ୍ୟାକ୍ରେ ୧୦୨କେଜି ୫୦୦ ଗ୍ରାମ୍ର ଗଞ୍ଜେଇ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଉଭୟ ଅଭିଯୁକ୍ତଙ୍କୁ ପିଆର କେସ ନମ୍ବର ୨୬୫/୨୨ରେ କୋର୍ଟ ଚାଲାଣ କରାଯାଇଛି ।