ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଇମ୍ଫାକୁ ‘ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସନୀୟ ପୁରସ୍କାର – ୨୦୨୬’

#ଚୌଦ୍ୱାର (ଏନ୍.ଏମ୍.): ପ୍ରଗତିର ଅନ୍ୟନାମ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ (ଇମ୍ଫା)। ଏହି ଶିଳ୍ପାନୁଷ୍ଠାନ ଶିଳ୍ପ କ୍ଷେତ୍ରରେ ଏକ ନୂତନ ଆଶା ସଞ୍ଚାର କରିଛି। ଏହି ଶିଳ୍ପ ଜରିଆରେ ରାଜ୍ୟ ଓ ଦେଶର ଆର୍ôଥକ ପ୍ରଗତି ହେଉଥିବାବେଳେ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ହଜାର ହଜାର ପରିବାର ମୁହଁରେ ହସ ଖେଳୁଛି। ତେବେ ଏହି ଶିଳ୍ପ ନିଜ ଆୟ ଉପରେ ଯେତିକି ଗୁରୁତ୍ୱ ଦେଇନଥାଏ ତାହା ଠାରୁ ଅଧିକ ଧ୍ୟାନ ଦେଇଥାଏ ସାମାଜିକ ସୁରକ୍ଷା ଉପରେ। ବିଶେଷ କରି ଶିଳ୍ପର ଅନ୍ୟନାମ ପ୍ରଦୂଷଣ କୁହାଯାଉଥିଲେ ମଧ୍ୟ ଇମ୍ଫା ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଅନ୍ୟ ଶିଳ୍ପ ଠାରୁ ଆଗରେ ରହିଛି। ଏକଥା ସ୍ୱୀକାର କରିଛନ୍ତି ଖୋଦ ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ଼। ଚୌଦ୍ୱାର ସ୍ଥିତ ଇମ୍ଫାରେ ୧୨୦ ମେଗାୱାଟ ପାୱାର ପ୍ଲାଣ୍ଟକୁ ଏହାର ପରିବେଶ ଅନୁକୂଳ ଏବଂ ସୁରକ୍ଷିତ ପରିଚାଳନା ପାଇଁ “ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସନୀୟ ପୁରସ୍କାର – ୨୦୨୬’ରେ ସମ୍ମାନିତ କରାଯାଇଛି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବିଭାଗରେ ଇମ୍ଫାକୁ ଏହି ଗୌରବ ସୂଚକ ପୁରସ୍କାର ପ୍ରଦାନ କରାଯାଇଛି।
ଏହି ଉତ୍ସବରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ଜଙ୍ଗଲ ବାହିନୀ ପ୍ରମୁଖ ଡଃ କେ. ମୁରୁଗେସନ୍ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଦସ୍ୟ ସଚିବ ଶ୍ରୀ ମନୋଜ ଭି. ନାୟାର ପ୍ରମୁଖ ଉପସ୍ଥିତ ଥିଲେ। ଇମ୍ଫା ପକ୍ଷରୁ ପାୱାର ବିଜନେସ୍ ୟୁନିଟ୍ର ମୁଖ୍ୟ ତଥା ଉପସଭାପତି ବିନୟ ଅଗ୍ରୱାଲା ଏହି ପୁରସ୍କାର ଗ୍ରହଣ କରିଥିଲେ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ସ୍ଥାୟୀ, ଦାୟିତ୍ୱବାନ ଏବଂ ପରିବେଶ ଅନୁକୂଳ ଶିଳ୍ପ ପରିଚାଳନା ପାଇଁ କମ୍ପାନୀ ସଦା ସର୍ବଦା ପ୍ରୟାସ କରିବ ବୋଲି ପ୍ରକାଶ କରିଛନ୍ତି।

