ଲସି ଓ ସର୍ବତ ଦୋକାନରେ ସିଏମସି ସ୍ୱାସ୍ଥ୍ୟ ଓ ଖାଦ୍ୟସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ
କଟକ(ଏନ୍.ଏମ୍.): କଟକରେ ଏତେ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବାବେଳେ ଥଣ୍ଡା ପାନୀୟଜଳ ତଥା ଲସି ସର୍ବତର ଚାହିଦା ବେଶ ବଢ଼ିଯାଇଛି । ଫଳରେ ସହରର ବିଭିନ୍ନ ସ୍ଥାନରେ ଶହ ଶହ ଲସି ସର୍ବତ ଦୋକାନ ଖୋଲାଯାଇଛି । ଖରା ଯେତିକି ଯେତିକି ବଢ଼ିଚାଲିଛି ଥଣ୍ଡା ବା ସର୍ବତ ବ୍ୟବସାୟ ସେତିକି ବୃଦ୍ଧି ପାଉଛି । ପ୍ରତ୍ୟେକ ଲସି ସର୍ବତ ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ହେଲେ ଗରମରୁ ରକ୍ଷା ପାଇବା ପାଇଁ ପକେଟରୁ ଟଙ୍କା ଖର୍ଚ୍ଚ କରି ଲସି ସର୍ବତ ପିଇବା ସହ ଦେହକୁ ରୋଗ କିଣୁଥିବା ଆଜି ସିଏମସିର ଚଢ଼ାଉ ସମୟରେ ଜଣାପଡ଼ିଛି । ସହରରେ ହୋଲି ଦିନ ଠାରୁ ବିଭିନ୍ନ ସ୍ଥାନରେ ସର୍ବତ ଲସି ଦୋକାନ ମାନ ଖୋଲିଯାଇଛି । ଆକର୍ଷଣୀୟ ଫଳକ ଲଗାଇ ଗ୍ରାହକଙ୍କୁ ଆକୃଷ୍ଟ କରାଯାଉଛି । କିନ୍ତୁ ଗ୍ରାହକଙ୍କୁ ଯେଉଁ ସର୍ବତ ବା ଲସି ଦିଆଯାଉଛି ତାହା କେତେ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ତାହାର କୌଣସି ଗ୍ୟାରେଣ୍ଟି ନାହିଁ । ତେବେ ଏଭଳି ଅଭିଯୋଗ ପାଇବା ପରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗର ମିଳିତ ଚଢ଼ାଉ କରାଯାଇଥିଲା । ତେବେ ଏହି ଲସି ଓ ସର୍ବତ ଦୋକାନରେ ବ୍ୟବହାର ହେଉଥିବା କଞ୍ଚାମାଲ ଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ଥିବା ଜଣାପଡ଼ିବା ପରେ ଏହାକୁ ନଷ୍ଟ କରାଯାଇଛି । ଏହି ଟିମ ଚଢ଼ାଉ କରି ବିଭିନ୍ନ ଲସି ଓ ସର୍ବତ ଦୋକାନରୁ ପ୍ରାୟ ୧କ୍ୟୁଣ୍ଟାଲ ଦହି ସହିତ ଏଥିରେ ମିଶ୍ରଣ କରାଯାଉଥିବା ବିଭିନ୍ନ ସାମଗ୍ରୀକୁ ନଷ୍ଟ କରାଯାଇଛି । ଏଥି ସହିତ ସର୍ବତ ଓ ଲସିରେ ବ୍ୟବହୃତ ହେଉଥିବା ବରଫ ମଧ୍ୟ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଟିମ ପକ୍ଷରୁ କୁହାଯାଇଛି । ଏହି ବରଫ ଗୁଡ଼ିକ ବିଶେଷ କରି ମାଛ ମାଂସ କିମ୍ବା ଅନ୍ୟ କିଛି ସାମଗ୍ରୀକୁ ସଂରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଇ ପାରିବ କିନ୍ତୁ ସିଧାସଳକ ଖାଦ୍ୟ ଭାବେ ଗ୍ରହଣ କରିହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷ କରି ବ୍ୟବହୃତ ଦହି ରହୁଥିବା ପାତ୍ରକୁ ଠିକ୍ ଭାବେ ବିଶୋଧନ କରାନଯିବା, ବ୍ୟବହୃତ ହେଉଥିବା ନଡ଼ିଆ କୋରା, ଚିନି ଘୋଳା(ସିରା), ଛେନା, ଖୁଆ, ମଲେଇ ଆଦି ରହୁଥିବା ଯାଗାରେ ମାଛି ବୁଲିବା ଭଳି ଦେଖିବାକୁ ମିଳିଥିଲା । ଏଥି ସହିତ ବରଫଗୁଡ଼ିକୁ ଥର୍ମକୁଲ ବାକ୍ସ ଆଦି ସୁରକ୍ଷିତ ଭାବେ ନରଖି ପାଳ, ଚଷୁ ଘୋଡ଼ାଇ ବାହାରେ ରଖିବା ଏବଂ ସେହି ବରଫକୁ ସିଧା ସଳଖ ଲସି ଓ ସର୍ବତରେ ପକାଇବା ଦ୍ୱାରା ଗ୍ରାହକ ଅଜାଣତରେ ରୋଗ କିଣୁଛନ୍ତି ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ପ୍ରକାଶ କରିଛନ୍ତି । ଏଥି ସହିତ ଅନ୍ୟ କିଛି ଦୋକାନରେ କିଛି ସର୍ବତ ଓ ଲସିକୁ ମଧ୍ୟ ଜବତ କରାଯାଇ ଏହା ପିଇବା ଉପଯୋଗୀ କି ନାହିଁ ତାହାକୁ ଯାଞ୍ଚ କରାଯାଇଛି । ପୁନଶ୍ଚ ଅନେକ ଲସି ସର୍ବତ ଦୋକାନ ଖାଦ୍ୟ ସୁରକ୍ଷା ପଞ୍ଜିକରଣ ନଥିବାରୁ ସମ୍ପୃକ୍ତ ଦୋକାନୀକୁ ଚେତାବନୀ ମଧ୍ୟ ଦିଆଯାଇଛି । ଉକ୍ତ ଦୋକାନୀ ମାନଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ପଞ୍ଜିକୃତ ସାର୍ଟିଫିକେଟ କରେଇବା ପାଇଁ ତାଗିଦ କରିଛନ୍ତି । ଯଦି ୭ ଦିନ ମଧ୍ୟରେ ପଞ୍ଜିକରଣ ନକରାଯାଏ ତେବେ ସର୍ବତ ଦୋକାନକୁ ସିଲ କରାଯିବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି । ଏଥି ସହିତ କଟକ ସହରରେ କେବଳ ଲସି ସର୍ବତ ନୁହେଁ ଫାଷ୍ଟଫୁଡ଼, ବିରିୟାନୀ ଷ୍ଟଲ, ରାସ୍ତାକଡ଼ ଠେଲାଗାଡ଼ିରେ ବିକ୍ରି ହେଉଥିବା ଖାଦ୍ୟ ଦୋକାନରେ ମଧ୍ୟ ଚଢ଼ାଉ କରାଯାଇ ସେମାନଙ୍କ ଖାଦ୍ୟକୁ ଯାଞ୍ଚ କରାଯାଇଛି । ଏହି ଟିମ ଆଜି ପୂର୍ବାହ୍ନରୁ ବାଦାମବାଡ଼ି, ଦୋଳମୁଣ୍ଡାଇ, ହରିପୁର, ବକ୍ସିବଜାର, ମଣିସାହୁଛକ, ଚଣ୍ଡିଛକ, ମହମ୍ମଦିଆ ବଜାର, ଚାନ୍ଦିନଚୌକ, ତେଲେଙ୍କା ବଜାର ଅଞ୍ଚଳରେ ଥିବା ଦୋକାନ ଉପରେ ଏହି ଟିମ ଅଚାନକ ଚଢ଼ାଉ କରିଥିଲା । ଏହି ଟିମରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହାପାତ୍ରଙ୍କ ସମେତ ଖାଦ୍ୟସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର, ଫୁଡ ଇନ୍ସପେକ୍ଟର ଭଗବାନ ଲେଙ୍କା ପ୍ରମୁଖ ଉପସ୍ଥିତଥିଲେ ।