ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତକୁ ସହାୟତା ରାଶି ପ୍ରଦାନ
କଟକ(ଏନ.ଏମ.): କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତ ଏକ ଯୁବକକୁ ସହାୟତା ଯୋଗାଇ ଦିଆଯାଇଛି ।
ସୁଚନା ଥାଉକି, ୨୦୧୯ ମସିହା ନଭେମ୍ବର ମାସରେ ଉକ୍ତ ଅଞ୍ଚଳର ଜଣେ ୩୨ ବର୍ଷୀୟ ଯୁବକକୁ ତାର ପ୍ରେମିକା ଓ ପ୍ରେମିକାର ମା’ ଘରକୁ ଡାକି ତା’ ମୁହଁକୁ ଏସିଡ ପକାଇ ଥିଲେ । ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ(ଏସସିବି)ରେ ଚିକିତ୍ସା ହେବାରୁ ଜଣାପଡିଥିଲା ଯେ, ତାଙ୍କର ଆଖିଦୁଇଟି ଖରାପ ହୋଇ ଯାଇଛି । ପରେ ପରେ ପଟିଆ ପାଖରେ ଥିବା ଆଖି ବିଭାଗ ଏଲ୍.ଭି. ପ୍ରସାଦ ହସ୍ପିଟାଲରେ ସେବେଠାରୁ ଚିକିତ୍ସାରେ ଅଛି । ଦୁଇ ଆଖିକୁ ଦେଖା ଯାଉନାହିଁ । ବାମପଟ ଆଖି ୫ଥର ଓ ଡାହାଣ ଆଖି ୨ଥର ଅସ୍ତ୍ରୋପଚାର ସରିଲାଣି । ତାର ଚିକିତ୍ସାରେ ସହାୟତା ପାଇଁ ପିଏଲଭି ଲୋକନାଥ ଶତପଥୀ ପ୍ରାଧିକରଣର ସଚିବ ସ୍ୱୟମ୍ ପ୍ରଭା ଆଚାର୍ଯ୍ୟଙ୍କ ଦୁଷ୍ଟି ଗୋଚରକୁ ଆଣିବା ସହିତ ତାର ସମସ୍ତ କାଗଜପତ୍ର ଓ ଦରଖାସ୍ତ ଦାଖଲ କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ କଟକର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ରାଜ କୁମାର ସାହୁଙ୍କୁ ତାର ଚିକିତ୍ସା ପାଇଁ ଭିଡିତ ସହାୟତା ପାଇବା ପାଇଁ ଜଣାଇବାରୁ ବୋର୍ଡ ବୈଠକର ନିଷ୍ପତ୍ତି ଅନୁଯାୟୀ ୩ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ । ପ୍ରଥମେ ୧ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ପାଇଁ ଜିଲ୍ଲା ଦୌରାଜଜ୍ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଓ ପ୍ରାଧିକରଣର ସଚିବ ସ୍ୱୟମ୍ ପ୍ରଭା ଆଚାର୍ଯ୍ୟଙ୍କ ଉପସ୍ଥିତିରେ ପୀଡ଼ିତଙ୍କୁ ଏହି ସହାୟତା ରାଶିର ଚେକ୍ ପ୍ରଦାନ କରିଥିଲେ । ଏହି ସହାୟତା ରାଶି ଓ ଚିକିତ୍ସା ପାଇଁ ଉକ୍ତ ଯୁବକଟିକୁ ପିଏଲଭି ଲୋକନାଥ ଶତପଥୀ ସହାୟତା କରୁଛନ୍ତି ।