କରୋନା କଟକଣାରେ କୋହଳ: ଜୁଲାଇ ୧ତାରିଖ ଯାଏ ଲାଗୁହେବ ଆଂଶିକ ଲକଡାଉନ

କରୋନା କଟକଣାରେ କୋହଳ: ଜୁଲାଇ ୧ତାରିଖ ଯାଏ ଲାଗୁହେବ ଆଂଶିକ ଲକଡାଉନ

କରୋନା କଟକଣାରେ କୋହଳ: ଜୁଲାଇ ୧ତାରିଖ ଯାଏ ଲାଗୁହେବ ଆଂଶିକ ଲକଡାଉନ


ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ଲକଡାଉନ ଅବଧି ଶେଷ ହେବା ପରେ ଆଜି ରାଜ୍ୟସରକାର ଅନଲକ ଘୋଷଣା କରିବା ପରିବର୍ତ୍ତେ ଲକ୍‌ଡାଉନକୁ ଆଂଶିକ କୋହଳ କରିଛନ୍ତି । ଆସନ୍ତା ୧୪ ଦିନ ପାଇଁ ଏହି କୋହଳ ଜାରି କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏ ନେଇ ଘୋଷଣା କରିଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ୧୭ତାରିଖ ସକାଳ ୫ଟା ପରଠୁ ଆଂଶିକ ଲକଡାଉନ୍ ଲାଗୁ ହେବ । ଜୁଲାଇ ୧ ତାରିଖ ସକାଳ ୫ଟା ଯାଏ ଏହା ବଳବତ୍ତର ରହିବ । ଆଂଶିକ ଲକଡାଉନ ଘୋଷଣା କରିବା ସହିତ ସରକାର ରାଜ୍ୟର ସମସ୍ତ ଜିଲ୍ଲାକୁ ୨ଟି ବର୍ଗରେ ବିଭକ୍ତ କରିଛନ୍ତି । ୫ପ୍ରତିଶତରୁ କମ୍ ସଂକ୍ରମଣ ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକୁ ‘ଏ’ ବର୍ଗରେ ରଖାଯାଇଛି । ଏହା ମଧ୍ୟରେ ରହିଛନ୍ତି- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା ।
‘ଏ’ ବର୍ଗରେ ଅନ୍ତର୍ଭୁକ୍ତ ଥିବା ୧୭ଟି ଜିଲ୍ଲାରେ କଟକଣା ନିୟମକୁ ଟିକେ ଅଧିକ କୋହଳ କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ଦୋକାନ ବଜାର ଖୋଲା ରହିବ । କିନ୍ତୁ ମଲ୍‌, ଜିମ୍‌, ସେଲୁନ୍ ଓ ସ୍ପା ଆଦି ବନ୍ଦ ରହିବ । ଉଠା ଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ । ତେବେ ଲୋକେ ସେଠାରେ ଛିଡ଼ା ହୋଇ ଖାଇପାରିବେ ନାହିଁ । ଲୋକେ ଏଠାରୁ ଜିନିଷ କିଣି ନେଇପାରିବେ ।
ସେହିଭଳି ରାଜ୍ୟର ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଆଦି ଜିଲ୍ଲାଗୁଡ଼ିକୁ ‘ବି’ ବର୍ଗରେ ରଖାଯାଇଛି । ଏସବୁ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଲକଡାଉନ୍ କଟକଣାକୁ କୋହଳ କରାଯାଇଛି । ଏସବୁ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ । ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟ୍ରି ଦୋକାନ ଆଦି ଖୋଲା ରହିବ । ସେହିପରି ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଦୋକାନ ଓ କୃଷି ଉପକରଣ ଦୋକାନ ବିଖୋଲା ରହିବ । ମୁଖ୍ୟ ଶାସନ ସଚିବ କହିଛନ୍ତି, ଦୁଗ୍ଧ ଚାଷୀଙ୍କ ହିତ ପାଇଁ ସାରା ରାଜ୍ୟରେ ମିଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ସେହିପରି ସକାଳ ୬ରୁ ୯ଟା ଯାଏ ସାରା ରାଜ୍ୟରେ ମର୍ଣ୍ଣିଂ ୱାକ୍‌, ଜଗିଂ ଓ ସାଇକେଲିଂ ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ପାର୍କ ବନ୍ଦ ରହିବ । ପୁନଶ୍ଚ ପୂର୍ବଭଳି ନାଇଟ କର୍ଫ୍ୟୁ ଏବଂ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ବିବାହ, ବ୍ରତଘର ପାଇଁ ଥିବା କଟକଣା ବଳବତ୍ତର ରହିବ । ସିନେମା ହଲ୍‌, ସେଲୁନ୍ ଓ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ । ସେହିଭଳି ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିବ । ମନ୍ଦିରରେ କେବଳ ନୀତିକାନ୍ତି ଚାଲିବ । ଯାତ୍ରା ଓ ଆଉଟ୍ ଡୋର୍ ସୁଟିଂ ବନ୍ଦ ରହିବ । ସରକାରୀ ଓ ଘରୋଇ ଅଫିସ୍ ୫୦ପ୍ରତିଶତ ଷ୍ଟାଫରେ କାର୍ଯ୍ୟ କରିପାରିବ । ସେହିଭଳି ସାଇକେଲ, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ