ଏନଓସିପିଏଲରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର
#ଆଠଗଡ଼(ଏନ୍.ଏମ୍.): ଏନ୍ଓସିପିଏଲ ଆଠଗଡ ଶାଖାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ହାଇଟେକ୍ ମେଡିକାଲ୍ କଲେଜର ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏ ସମ୍ପର୍କରେ ଏନ୍ଓସିପିଏଲର ପୂର୍ବାଞ୍ଚଳ ମୁଖ୍ୟ ପ୍ରଦୀପ୍ତ ଦାସ ଯୋଗଦେଇ କହିଥିଲେ ଯେ, ଏହି ସଂସ୍ଥା ଗ୍ରାମାଞ୍ଚଳରେ କାର୍ଯ୍ୟରତ ବ୍ୟାଙ୍କ୍ କର୍ମଚାରୀମାନଙ୍କୁ ହାଇଟେକ୍ ମେଡ଼ିକାଲ କଲେଜର ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ନିଶୁଳ୍କରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ । ଆଜି ଏହି ଶିବିରରେ ନିଶୁଳ୍କ ସେବା ଆରମ୍ଭ କରାଯାଇଛି । ହାଇଟେକ୍ ମେଡିକାଲ୍ କଲେଜର ଉପସଭାପତି ଡକ୍ଟର ସୁରେଶ ଚନ୍ଦ୍ର ପାଣିଗ୍ରାହୀ କହିଥିଲେ ଯେ, ପୂର୍ବାଞ୍ଚଳରେ ଡାକ୍ତର ତିରୁପତି ପାଣିଗ୍ରାହୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ ଥିବା ଏହି କଲେଜ ପୂର୍ବାଞ୍ଚଳରେ ପ୍ରଥମ ଘରୋଇ ମେଡିକାଲ କଲେଜ ଅଟେ । ଗରିବ ଶ୍ରେଣୀର ରୋଗୀମାନଙ୍କୁ ଏଠାରେ ସର୍ବନିମ୍ନ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥାଏ । ସର୍ବନିମ୍ନ ୨୫୦ ଟଙ୍କା ମୂଲ୍ୟରେ ଖାଦ୍ୟ ସହ ଖଟିଆ ରୋଗୀମାନଙ୍କୁ ଏହି ହସ୍ପିଟାଲରେ ଯୋଗାଇ ଦିଆଯାଇଥାଏ । ରାଷ୍ଟ୍ରୀୟ ବାଳ ସୁରକ୍ଷା ଯୋଜନାରେ ଦେଢ଼ ବର୍ଷରୁ ୧୪ ବର୍ଷ ବୟସର ଶିଶୁ ଯେଉଁମାନଙ୍କ ହୃଦୟରେ ଛିଦ୍ର ଥାଏ ସେମାନଙ୍କର ଚିକିତ୍ସା କରାଯାଏ । ପୂର୍ବରୁ ଏହି ରୋଗୀମାନେ ବେଙ୍ଗାଳୁରୁ ଅଥବା ଅହମଦାବାଦ ଯାଇ ଚିକିତ୍ସିତ ହେଉଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ ଧାରୀମାନଙ୍କୁ ଏଠାରେ ଚିକିତ୍ସା ସୁବିଧା ଦିଆଯାଏ । ହାଇଟେକ୍ ମେଡିକାଲ୍ କଲେଜର ଇନସୁରାନସ ମୂଖ୍ୟ ଦେବାଶିଷ ମହାନ୍ତି ଉପସ୍ଥିତ ଥିଲେ ।