ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆସନ୍ତା ୪୮ ଘଣ୍ଟାରେ ନେବ ଅବପାତର ରୂପ

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆସନ୍ତା ୪୮ ଘଣ୍ଟାରେ ନେବ ଅବପାତର ରୂପ

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆସନ୍ତା ୪୮ ଘଣ୍ଟାରେ ନେବ ଅବପାତର ରୂପ


ଭୁବନେଶ୍ୱର(ଏନ୍‌.ଏମ୍‌.): ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗତ ୪ ତାରିଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ତେଣୁ ସମ୍ଭବତଃ ୮ତାରିଖ ବେଳକୁ ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଆଇଏମଡି ପକ୍ଷରୁ ଆହୁରି କୁହାଯାଇଛି ଯେ, ଅବପାତ ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ । ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାକାନ୍ତ ଦାସ କହିଛନ୍ତି ଯେ, ଆଜି ଶୁକ୍ରବାର ପୂର୍ବାହ୍ନରେ ଲଘୁଚାପ କ୍ଷେତ୍ର ଦକ୍ଷିଣ ଆଣ୍ଡାମାନ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପିଛି । ଲଘୁଚାପ କ୍ଷେତ୍ର ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଆସନ୍ତା ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହି ସମୟରେ ଆଣ୍ଡାମାନ ସାଗର ଅଞ୍ଚଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୪୦ରୁ ୫୦ କିମି ବେଗରେ ପବନ ପ୍ରବାହିତ ହେଉଛି । ଧିରେ ଧିରେ ଏହା ବୃଦ୍ଧି ପାଇବ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଉଛି । ଗତ କିଛି ଦିନ ଧରି ଦେଖାଯାଉଥିବା ମେଘଖଣ୍ଡଗୁଡ଼ିକ ଏକତ୍ରିତ ହୋଇ ଘୂର୍ଣ୍ଣୟମାନ ଗତିରେ ରହୁଛନ୍ତି । ଏହା ଧିରେ ଧିର ବୃଦ୍ଧିପାଇ ୮ ତାରିଖ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପବନର ବେଗ ୫୫ରୁ ୬୫ ଓ ସର୍ବାଧିକ ୭୫ କିମି ରହିବ ବୋଲି ଆକଳନ କରାଯାଉଛି । ଏହା ପ୍ରଭାବରେ ଏବେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଣ୍ଡାମାନ ସାଗର ଅଞ୍ଚଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ୮ ତାରିଖ ପର୍ଯ୍ୟନ୍ତ ବାରଣ କରାଯାଇଛି । ଏବେ ବାତ୍ୟା ସମ୍ପର୍କୀତ କୌଣସି ସୂଚନା ଜାରି କରାଯାଇନି । ତେଣୁ ଲୋକଙ୍କ ମଧ୍ୟରେ ଗୁଜବ ସୃଷ୍ଟି କରିବା ଉଚିତ ନୁହେଁ । ବାତ୍ୟା ସମ୍ପର୍କୀତ ସ୍ପଷ୍ଟ ସୂଚନା ମିଳିବା ପରେ ଏହା ତୀବ୍ରତା, କେଉଁ ଆଡ଼େ ମୁହାଁଇବ, କେଉଁ ଉପକୂଳ ଆଡ଼କୁ ଗତି କରିବ ଜଣାପଡ଼ିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଶ୍ରୀ ଦାସ । ଅନ୍ୟପକ୍ଷରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଲଘୁଚାପ କ୍ଷେତ୍ରଟି ବାତ୍ୟାରେ ପରିଣତ ହେବା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ତାହା ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ । ଯାହାକି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ସମୁଦ୍ର । ବାତ୍ୟାର କେନ୍ଦ୍ରସ୍ଥଳରେ ୮୦ରୁ ୯୦ କିମି ବେଗରେ ପବନ ବହିପାରେ । ଏହା ପ୍ରଭାବରେ ଓଡ଼ିଶା ଉପକୂଳକୁ ଲାଗିକି ଥିବା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ୯ ତାରିଖରୁ ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀ ଉପକୂଳକୁ ଫେରି ଆସିବା ଉଚିତ ବୋଲି ଆଇଏମଡି ଡିଜି କହିଛନ୍ତି । ଅନ୍ୟପକ୍ଷେ ଯଦି ବାତ୍ୟା ହୁଏ, ତା’ହେଲେ ତା’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ କୁମାର ଜେନା । ରାଜ୍ୟରେ ଏବେ ୧୭ଟି ଏନଡିଆରଏଫ ଟିମ୍ , ୨୦ଟି ଓଡ୍ରାଫ ଟିମ୍ (୬୦ଟି ସବ୍ ଟିମ ହୋଇପାରିବ) ଓ ୧୭୫ଟି ଅଗ୍ନିଶମ ଟିମ୍ ଅଛନ୍ତି । ସେମାନଙ୍କୁ ଯେକୌଣସି ମୁହୂର୍ତ୍ତରେ ସେବା ଯୋଗାଇ ଦେବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହାସହିତ ଏନଡିଆରଏଫକୁ ମଧ୍ୟ ଆବଶ୍ୟକ ସ୍ଥଳେ ଅଧିକ ସହାୟତା ଦେବାକୁ ଅନୁରୋଧ କରାଯାଇଛି ବୋଲି ଏସଆରସି କହିଛନ୍ତି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ