ପୁଣି କୋଳାହଳ ହୋଇଉଠିବ ଶିଳ୍ପନଗରୀ ଚୌଦ୍ୱାର: ଅଞ୍ଚଳବାସୀଙ୍କ ମୁହଁରେ ଫୁଟୁଛି ହସ ; ଓଟିଏମ ଜମିରେ ଖୋଲିବ ଟେକ୍ସଟାଇଲ ଆଣ୍ଡ ଲଜିଷ୍ଟିକ ପାର୍କ : ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ !

ପୁଣି କୋଳାହଳ ହୋଇଉଠିବ ଶିଳ୍ପନଗରୀ ଚୌଦ୍ୱାର: ଅଞ୍ଚଳବାସୀଙ୍କ ମୁହଁରେ ଫୁଟୁଛି ହସ ; ଓଟିଏମ ଜମିରେ ଖୋଲିବ ଟେକ୍ସଟାଇଲ ଆଣ୍ଡ ଲଜିଷ୍ଟିକ ପାର୍କ : ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ !

ପୁଣି କୋଳାହଳ ହୋଇଉଠିବ ଶିଳ୍ପନଗରୀ ଚୌଦ୍ୱାର: ଅଞ୍ଚଳବାସୀଙ୍କ ମୁହଁରେ ଫୁଟୁଛି ହସ
ଓଟିଏମ ଜମିରେ ଖୋଲିବ ଟେକ୍ସଟାଇଲ ଆଣ୍ଡ ଲଜିଷ୍ଟିକ ପାର୍କ : ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ !


#ଚୌଦ୍ୱାର/କଟକ(ଏନ୍‌.ଏମ୍‌.): ଶିଳ୍ପନଗରୀ ଚୌଦ୍ୱାରର ହୃତ ଗୌରବ ପୁଣି ଫେରିବ । ବର୍ଷ ବର୍ଷ ଧରି ଶିଳ୍ପଶୂନ୍ୟ ହୋଇ ଶ୍ରୀହୀନ ହୋଇ ପଡ଼ିଥିବା ଚୌଦ୍ୱାର ପୁନର୍ବାର ଶିଳ୍ପ ସମୃଦ୍ଧ ହେବ । ଏଥି ପାଇଁ ରାଜ୍ୟସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଓଟିଏମ୍ ପୁନରୁଦ୍ଧାର ଯୋଜନାରେ ଓଟିଏମ୍ ଜମିରେ ଖୋଲାଯିବ ଟେକ୍ସଟାଇଲ ଆଣ୍ଡ ଲଜିଷ୍ଟିକ୍ ପାର୍କ । ଏଥିପାଇଁ ଆସନ୍ତା ୧୭ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଦିନ ୧୧ଟାରେ ଏହାର ଶୁଭ ଦେବେ । ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ହେବ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ସ୍ଥାନରେ ଉପସ୍ଥିତ ରହିବେ ତାହା ଏଯାଏ ଚୂଡାନ୍ତ ହୋଇନି । ଖୁବ୍‌ଶୀଘ୍ର ଏହା ସ୍ପଷ୍ଟ ହେବ ବୋଲି ଡିଆଇସି ଜିଏମ୍ ତରୁଣକାନ୍ତି ମହାନ୍ତି ସୂଚନା ଦେଇଛନ୍ତି ।
ସରକାର ଓଟିଏମର ଯେଉଁ ୫୨୨ଏକର ଜମି ନିଜ ଅଧୀନକୁ ନେଇ ସେଠାରେ ପ୍ରଥମ ପର୍ଯ୍ୟାୟରେ ୱେଲ୍ ସ୍ପୁନ୍ କମ୍ପାନି ଓ ଅନ୍ୟ କିଛି କମ୍ପାନିକୁ ମୋଟ ୪୭୮ଏକର ଜମି ଦେଇଛି ଇଡକୋ । ବାକି ପାଖାପାଖି ୫୦ ଏକର ଜମି ଜଳାଶୟ, ରେଳଲାଇନ୍ ଓ ଜାତୀୟ ରାଜପଥ ସମ୍ପ୍ରସାରଣରେ ଯାଇଛି । ପୁନଶ୍ଚ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସାଢେ ୪ହଜାର ଶ୍ରମିକଙ୍କ ପ୍ରାପ୍ୟ ପ୍ରଦାନ କରାଯିବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ୪ ହଜାର ଶ୍ରମିକ ଓଟିଏମ୍ ଶ୍ରମିକ ତାଙ୍କର ପ୍ରାପ୍ୟ ବାବଦକୁ ୯୭ କୋଟି ଟଙ୍କା ପାଇଛନ୍ତି । ଅବଶିଷ୍ଟ ଯେଉଁ ୫୦୦ ଶ୍ରମିକ ପ୍ରାପ୍ୟ ପାଇନାହାନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କ ଠିକଣା ମିଳୁନି । ଅନ୍ୟପକ୍ଷରେ ଇଡକୋ ଡିମାରକେସନ୍ ୱାଲ ନିର୍ମାଣ ଆରମ୍ଭ କରିଛି । ଟେକ୍ସଟାଇଲ୍ ଆଣ୍ଡ ଲଜିଷ୍ଟିକ୍ ପାର୍କ ପାଇଁ ୩ ହଜାର ୫୦ କୋଟି ଟଙ୍କା ବିନିଯୋଗ ସହ ୨୦ ହଜାର ନିଯୁକ୍ତି ସୃଷ୍ଟି ଯୋଜନା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗତ ୨୦୦୫ ଅଗଷ୍ଟ ୩୦ତାରିଖରେ ହାଇକୋର୍ଟଙ୍କ ରାୟ ଅନୁସାରେ ଲିକ୍ୟୁଡେଟରଙ୍କ ଜରିଆରେ ଓଟିଏମ ପ୍ଲାଣ୍ଟ ଓ ତତସଂଲଗ୍ନ ପ୍ଲାଣ୍ଟ ସହ ରହିଥିବା ପାଖାପାଖି ୮୨ଏକର ଜମିକୁ ଗୁଜୁରାଟର ଆଇବି ଏଣ୍ଟରପ୍ରାଇଜର୍ସକୁ ୨୩ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ୨୦୦୬ରେ ପ୍ରଥମଥର ପାଇଁ ସରକାର କୋର୍ଟରେ ହାଜର ହୋଇଥିଲେ । ୨୦୦୬, ସେପ୍ଟେମ୍ବର ୧୯ତାରିଖରେ ଓଟିଏମକୁ ଚଳାଇବେ ବୋଲି ସରକାର କହିଥିଲେ । ଯାହା ଫଳରେ ସବୁ ଟେଣ୍ଡର ବାତିଲ କରି ସାନି ଟେଣ୍ଡର କରାଗଲା । ସେଥିରେ ସର୍ତ୍ତ ରହିଲା ଯେ ସମଗ୍ର ଓଟିଏମ ଜମିକୁ ଜଣେ ନେବ ଓ କାରଖାନା ବଦଳରେ କାରଖାନା କରିବ । ୨୦୧୫ ମସିହା ଫେବ୍ରୁଆରି ୧୦ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉଚ୍ଚସ୍ତରୀୟ କମିଟି ବୈଠକ ବସି ଓଟିଏମ ବଦଳରେ ଇଣ୍ଟିଗ୍ରେଟେଡ ଇଣ୍ଡଷ୍ଟ୍ରିଆଲ ପାର୍କ ହେବ ବୋଲି କହିଥିଲେ । ଯେଉଁଠି ବୟନ ଶିଳ୍ପକୁ ଅଗ୍ରାଧିକାର ଦିଆଯିବ । ତେବେ ୨୦୨୨ ମସିହା ଅଗଷ୍ଟ ୨ତାରିଖରେ ହାଇକୋର୍ଟ ଚୂଡାନ୍ତ ରାୟ ଦେଇଥିଲେ । ନିଷ୍ପତ୍ତି ଅନୁଯାୟୀ ସରକାର ଦେଢ଼ ଶହ କୋଟି ଟଙ୍କା କୋର୍ଟରେ ଦାଖଲ କଲେ । ତା’ ପୂର୍ବରୁ ୨୦୦୬ମସିହାରେ ସରକାର ପର୍ଯ୍ୟାୟକ୍ରମେ ୩୫ କୋଟି ଟଙ୍କା ଦାଖଲ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୬ ମସିହାରେ ଓଟିଏମର ପରିକଳ୍ପନା ଓ ଶୁଭ ଦିଆଯାଇଥିଲା । ୧୯୫୦ରେ ଏଠାରେ ଲୁଗା ଉତ୍ପାଦନ ଆରମ୍ଭ ହୋଇଥିଲା । ପ୍ରଥମେ ୯ହଜାର ଲୋକ ସେଥିରେ କାମ କରୁଥିଲେ । ରାଜ୍ୟର ରାୟଗଡା ଓ ଭବାନୀପାଟଣାରୁ ତୁଳା ଆସୁଥିଲା । ଓଡିଶାର ତୁଳା ଯୋଗାଣ ଆବଶ୍ୟକତା ଅନୁସାରେ ନହେବାରୁ ବାହାର ରାଜ୍ୟରୁ ବି ତୁଳା ଅଣାଯାଉଥିଲା । ୧୯୮ମସିହାରେ ଓଟିଏମ ଏସିଆର ସର୍ବବୃହତ୍ତ କାମ୍ପୋଜିଟ୍ ମିଲ (ତୁଳାରୁ ସୂତା ଓ ସୂତାରୁ କପଡା) ମାନ୍ୟତା ପାଇଥିଲା । କେବଳ ସେତିକି ନୁହେଁ ପିପିଲିର ଚାନ୍ଦୁଆ ପାଇଁ ଓଟିଏମରୁ ଯାଉଥିଲା କପଡା । ଦୈନିକ ଏକ ଲକ୍ଷ ମିଟର ଏହାର ଉତପାଦନ କ୍ଷମତା ରହିଥିଲା । ରାଜ୍ୟରେ କପଡା ବିକ୍ରି ପାଇଁ ଶହେରୁ ଉର୍ଦ୍ଧ୍ୱ ସୋରୁମ୍ ରହିଥିଲା । ଏହାର ମୁଖ୍ୟ ବଜାର ଥିଲା କଲିକତା ଓ ଦିଲ୍ଲୀ । ଦେଶ ବାହାରକୁ ବିକ୍ରି ପାଇଁ ୬୦ ପ୍ରତିଶତ କପଡା ଯାଉଥିଲା; ଏପରିକି ଋଷିଆ, ଚାଇନା, ଇଣ୍ଡୋନେସିଆକୁ ବି ଓଟିଏମ୍ କପଡା ଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପରିଚାଳନାଗତ ତ୍ରୁଟି ଓ କ୍ଷତି ଦର୍ଶାଇ ଜୁଲାଇ ୨୦୦୧ରେ ଓଟିଏମକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଗଲା । ଆଜି ପର୍ଯ୍ୟନ୍ତ ଶ୍ରମିକମାନେ କାମ ହରାଇବା ସହ ବକେୟା ଟଙ୍କା ନପାଇ ବହୁ ଶ୍ରମିକ ରୋଗ ବ୍ୟାଧିରେ ପ୍ରାଣ ହରାଇଥିବାବେଳେ ଅନେକ ଶ୍ରମିକ ଅର୍ଥାଭାବକୁ ସହ୍ୟ କରିନପାରି ଆତ୍ମହତ୍ୟା ମଧ୍ୟ କରିଥିବାର ନଜୀର ରହିଛି । ତେବେ ଓଟିଏମର ପୁନରୁଦ୍ଧାର ଦାବିରେ ସମାଜସେବୀ ଦୀପକ ବାରିକଙ୍କ ନେତୃତ୍ୱରେ ଶ୍ରମିକମାନେ ଦୀର୍ଘ ବର୍ଷ ଧରି ଓଟିଏମ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ତେବେ ରାଜ୍ୟ ସରକାର ଏହି ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଇ ମାଲିମକଦ୍ଦମାରୁ ଓଟିଏମକୁ ମୁକୁଳାଇବା ପରେ ଏବେ ଏହାର ପୁନରୁଦ୍ଧାର ପାଇଁ ସରକାର ଉଦ୍ୟମ କରିଛନ୍ତି । ଏହି ଅଞ୍ଚଳରେ ଏକାଧିକ ଶିଳ୍ପ ଖୋଲିବା ସମ୍ଭାବନା ଥିବାରୁ ଅଞ୍ଚଳବାସୀଙ୍କ ମୁହଁରେ ହସ ଫୁଟିଥିବା ଦେଖିବାକୁ ମିଳିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ