କଟକ ସହରରେ ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକଙ୍କ ଗଲା ଜୀବନ!

କଟକ ସହରରେ ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକଙ୍କ ଗଲା ଜୀବନ!

ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକଙ୍କ ଗଲା ଜୀବନ!
ଏତେ ଛୋଟ ଡ୍ରେନ ଆଉ କମ୍ ପାଣିରେ ଯିବନି ଜୀବନ, ବ୍ୟବଛେଦ ରିର୍ପୋଟର ଆସିଲେ ସ୍ପଷ୍ଟ ହେବ – ସିଏମସି ମେୟର


#କଟକ(ଏନ୍‌.ଏମ୍‌.): କଟକ ସହର ଏବେ ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ଚାଲିଥିବାବେଳେ ଠିକାସଂସ୍ଥାର ବେପରୁଆ ନୀତି ଯୋଗୁଁ ସମ୍ପୂର୍ଣ୍ଣ ସହର ଏବେ ମୃତ୍ୟୁର ଫନ୍ଦା ପାଲଟି ଯାଇଛି । କେତେବେଳେ ମାଟି ଧସେଇ ଯାଇ ଲୋକେ ମୃତ୍ୟୁବରଣ କରୁଛନ୍ତି ତ ଆଉ କେତେବେଳେ ମୁକୁଳା ଡ୍ରେନରେ ପଡ଼ି ପ୍ରାଣ ହରାଉଛନ୍ତି । ସହରରେ ବିଗତ କିଛି ବର୍ଷ ଧରି ଲଗାତାର ଭାବେ ବିଭିନ୍ନ ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟି ବହୁ ମୁଣ୍ଡ ଯାଇ ସାରିଲାଣି । ତଥାପି ବିଭାଗୀୟ କର୍ତ୍ତୃପକ୍ଷ, ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଠିକା ସଂସ୍ଥା କାହାରି ନିଦ ଭାଙ୍ଗୁ ନଥିବା ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗ ହୋଇଛି । କଟକରେ ବିଭିନ୍ନ ସମୟରେ ମୁକୁଳା ଡ୍ରେନରେ ପଡ଼ି ଲୋକଙ୍କ ଜୀବନ ଯାଉଥିବାବେଳେ ଏ ନେଇ କେହି ଗୁରୁତ୍ୱ ଦେଉନଥିବା ଯୋଗୁଁ ଆଜି ସେହିଭଳି ଅଘଟଣର ପୁନରାବୃତ୍ତି ଘଟିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ନୂଆବଜାର ଅଞ୍ଚଳର ମହିମା ନଗରରେ ମୁକୁଳା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ରାଜମିସ୍ତ୍ରୀ କାମ କରୁଥିଲେ ବୋଲି ଜଣାଯାଇଛି । ତାଙ୍କ ଘର ଯାଜପୁର ଅଞ୍ଚଳରେ । ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ଯୁବକ ଜଣଙ୍କ ଡ୍ରେନରେ ପଡ଼ି ଭାସୁଥିବା ଆଜି ସକାଳେ ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୀର୍ଘ ମାସେ ତଳେ ଡ୍ରେନ ସ୍ଲାବ ଖୋଲି ଦେଇ ଠିକାଦାର ଛୁ ମାରିଛି । ଡ୍ରେନରେ ସ୍ଲାବ ପକାଇବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଡ଼ିନାହିଁ । ଫଳରେ ଏପରି ଦୁର୍ଘଟଣା ଘଟିଥିବ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ସିଏମସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ସହରବାସୀ ଅଭିଯୋଗ କରିବା ସହ ଏଭଳି ଅଘଟଣ ବାରମ୍ବାର ଘଟୁଥିବାରୁ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଏ ନେଇ ସିଏମସି ମେୟର ସଫେଇ ଦେଇ କହିଛନ୍ତି ଯେ, ଏ ଘଟଣାରେ ସିଏମସିର ଅବହେଳା ନାହିଁ । ଏତେ ଛୋଟ ଓ କମ ପାଣି ଥିବା ଡ୍ରେନରେ ପଡ଼ିଲେ ବି କାହାରି ଜୀବନ ଯିବ ନାହିଁ । ତେଣୁ ତାଙ୍କର ମୃତ୍ୟୁ କିଭଳି ହୋଇଛି ବ୍ୟବଛେଦ ରିପୋର୍ଟ ମିଳିଲେ ସ୍ପଷ୍ଟ ହେବ ବୋଲି ମେୟର ସୁବାସ ସିଂହ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ