ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଭାସ୍କର୍ଯ୍ୟରେ ଚମକୁଛି ପୁରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଭାସ୍କର୍ଯ୍ୟରେ ଚମକୁଛି ପୁରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଭାସ୍କର୍ଯ୍ୟରେ ଚମକୁଛି ପୁରୀ


ପୁରୀ(ଏନ୍‌.ଏମ୍‌.): ମର୍ତ୍ତ୍ୟର ବୈକୁଣ୍ଠ କୁହାଯାଉଥିବା ଶ୍ରୀକ୍ଷେତ୍ର ଧାମ ଏବେ ଚମକୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ନିମନ୍ତେ ପୁରୀ ସହର ଏବେ ନବ ବଧୂ ଭଳି ସଜେଇ ହୋଇଛି । କେବଳ ସେତିକି ନୁହେଁ ଶ୍ରୀସେତୁର ଶିରି ବଢ଼ାଉଛି ପଥର କାରୁକାର୍ଯ୍ୟ । ସେତୁର ଉଭୟ ପାର୍ଶ୍ୱରେ ଶ୍ରୀଜଗନ୍ନାଥ ସଂସ୍କୃତିର ଅନୁଭବ ଦେଉଛି ପଥର ଭାସ୍କର୍ଯ୍ୟ । ସେତୁ କାନ୍ଥରେ ଆକର୍ଷଣ ସାଜିଛି ମାଣବସା ଝୋଟି ଚିତା । ଅତ୍ୟାଧୁନିକ ସେତୁରେ ପରମ୍ପରାର ଛିଟା ଦେଖିବାକୁ ମିଳିଛି । ଶ୍ରୀସେତୁ ହିଁ କଳିଙ୍ଗ କଳା ସ୍ଥାପତ୍ୟର ନିଦର୍ଶନ ପାଲଟିଛି । ଭକ୍ତ ଟ୍ରମ୍ପେଟ୍ ସେତୁର ଅନୁଭବ କେବଳ ନେବେ ନାହିଁ, ବରଂ ଯାତାୟାତ ବେଳେ ଓଡ଼ିଶା ପଥର କାରିଗରଙ୍କ ସୃଜନୀରେ ମୋହଗ୍ରସ୍ତ ହେବେ । ଶ୍ରୀସେତୁରେ ପ୍ରବେଶ ପଥରୁ ନେଇ ଜଗନ୍ନାଥବଲ୍ଲଭ ପାର୍କିଂରେ ପହଞ୍ଚିବା ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ପଥରର କାରୁକାର୍ଯ୍ୟ ଦେଖିବେ ଶ୍ରଦ୍ଧାଳୁ । ଏହି ଭାସ୍କର୍ଯ୍ୟ ପର୍ଯ୍ୟଟକଙ୍କୁ ଦଣ୍ଡେ ଠିଆ ହୋଇ ସେଲ୍ଫି ନେବାକୁ ବାଧ୍ୟ କରିବ । ଉଭୟ ପାର୍ଶ୍ୱରେ ଖୋଣ୍ଡଲାଇଟ୍ ପଥରରେ ୩୦ଟି ବୃହତ୍ ଭାସ୍କର୍ଯ୍ୟ ଶୋଭା ବଢ଼ାଇବ । ୫-ଟି ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନଙ୍କ ମାର୍ଗଦର୍ଶନ ଓ ସ୍ଥପତି ଭବାନୀ ମିଶ୍ରଙ୍କ ପରାମର୍ଶରେ ଶ୍ରୀସେତୁକୁ କଳାକୃତିରେ ସୁସଜ୍ଜିତ କରାଯାଇଛି । ସେତୁର ଉଭୟ ପାର୍ଶ୍ୱରେ ସବୁଜିମାର କୋଳରେ ପଥର କାରିଗରୀ ଶୋଭାକୁ ଦ୍ୱିଗୁଣିତ କରୁଛି । ଶ୍ରୀ ଚୈତନ୍ୟଙ୍କ ଭକ୍ତି ବିଭୋର ମୁଦ୍ରା ହେଉ ଅବା ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର କାଞ୍ଚି ଅଭିଯାନରେ ଯିବା ବେଳେ ମାଣିକ ଗଉଡ଼ୁଣିର ଦହି ବିକ୍ରି କଥା । ଅବଢ଼ା କୁଡ଼ୁଆ ହେଉ ଅବା ତାଳପତ୍ର ଭୋଗେଇ । ବଳରାମ ଦାସଙ୍କ ବାଲି ରଥ ଗଢ଼ିବାର ଦୃଶ୍ୟଠୁ ନେଇ ବିଷ୍ଣୁ ଅବତାର; ସବୁର ନିଦର୍ଶନ ପଥର ଭାସ୍କର୍ଯ୍ୟରେ ପ୍ରସ୍ତୁତ ହୋଇଛି । ନୀଳଚକ୍ରର ଶୋଭା ବଢ଼ାଉଥିବା ଫରଫର ପତିତପାବନ ବାନାଠୁ ନେଇ ଗରୁଡ଼, ରାମାନନ୍ଦୀ ତିଳକ, ମହାପ୍ରଭୁଙ୍କ ଶଙ୍ଖ, ଚକ୍ର, ଗଦା, ପଦ୍ମ, କଠଉ, କୁଡ଼ୁଆରେ ଶ୍ରୀମନ୍ଦିରର ଭାସ୍କର୍ଯ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଶୋଭା ପାଇବ । ପଥର ନିର୍ମିତ ସିଂହ ମୂର୍ତ୍ତି ଓ ଶଙ୍ଖ ଚକ୍ର ମଧ୍ୟ ଭାଗରେ ଭକ୍ତଙ୍କୁ ସ୍ୱାଗତ କରିବ । କିଛି ଭାସ୍କର୍ଯ୍ୟ ଏପରି ଭାରସାମ୍ୟରେ ସ୍ୱଳ୍ପ ସ୍ଥାନରେ ପଥର ଉପରେ ଦଣ୍ଡାୟମାନ ହୋଇଛି, ଯାହା ଦେଖିଲେ ଭକ୍ତ ଓ କଳାପ୍ରିୟ ବ୍ୟକ୍ତିମାନେ ଅଭିଭୂତ ହେବେ । ଏହିଭଳି ୩୦ଟି ପଥର କଳାକୃତି ଶ୍ରୀସେତୁର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଛି । ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି) ପକ୍ଷରୁ ପୁରୀରେ ପଥର କାରିଗରଙ୍କର କର୍ମଶାଳା କରାଯାଇ ପଥର ମୂର୍ତ୍ତି ନିର୍ମାଣ କରାଯାଇଛି । ଭୁବନେଶ୍ୱରର ବିଭୂତି କାନୁନଗୋ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ (ବିକେ ଆର୍ଟ କଲେଜ) ସହଯୋଗରେ ଏହି କର୍ମଶାଳା କରାଯାଇଥିଲା । ୩୦ ଜଣ ସ୍ଥପତି ଓ ୩୦ ଜଣ ସହାୟକ, ଏହିଭଳି ମୋଟ୍ ୬୦ ଜଣ କାରିଗର ପଥରରେ ଶ୍ରୀକ୍ଷେତ୍ରର ଭାସ୍କର୍ଯ୍ୟ ଉତାରିଥିଲେ । ଓବିସିସି ପକ୍ଷରୁ ସ୍ଥପତିମାନଙ୍କୁ ପ୍ରାୟ ୫ଫୁଟରୁ ୭ ଫୁଟ ପର୍ଯ୍ୟନ୍ତ ବଡ଼ବଡ଼ ବଉଳମାଳିଆ ପଥର ଯୋଗାଇ ଦିଆଯାଇଥିଲା । ଶ୍ରୀକ୍ଷେତ୍ରର ସଂସ୍କୃତିକୁ ନେଇ ସ୍ଥାପତ୍ୟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା । ସେଇ କର୍ମଶାଳା ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ପଥର ସ୍ଥାପତ୍ୟକୁ ଶ୍ରୀସେତୁର ଉଭୟ ପାର୍ଶ୍ୱରେ ସ୍ଥାନିତ କରାଯାଇଛି । ଅବଢ଼ା (ଅଗମେଣ୍ଟେସନ୍ ବେସିକ୍ ଆମେନିଟିଜଖ ଆଣ୍ଡ୍ ଡେଭଲପମେଣ୍ଟ ଅଫ୍ ହେରିଟେଜ୍ ଆଣ୍ଡ୍ ଆର୍କିଟେକଚର) ଯୋଜନାରେ ପ୍ରଥମ କରି ଓଡ଼ିଶାରେ ୧୬୧.୪୩କୋଟି ବ୍ୟୟରେ ନିର୍ମିତ ହେଉଛି ଟ୍ରମ୍ପେଟ୍ ବା ତୂରୀ ସଦୃଶ ଶ୍ରୀସେତୁ । ଏହି ସେତୁରେ ଭକ୍ତଯିବା ବେଳେ ଯେପରି ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅନୁଭବ କରିବେ ସେନେଇ ପଥର କାରୁକାର୍ଯ୍ୟକୁ ସ୍ଥାନିତ କରାଯାଇଛି । ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ପୁରୀର ଶ୍ରୀସେତୁକୁ ନିରୀକ୍ଷଣ କରିବା ସହ ଦୁଇ ପାର୍ଶ୍ୱକୁ ସୌନ୍ଦର୍ଯ୍ୟ ବିମଣ୍ଡିତ କରିବା ଲାଗି ଶ୍ରୀଜଗନ୍ନାଥ ସଂସ୍କୃତିର ଛାପ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କମିଟି ସଦସ୍ୟ ତଥା ସ୍ଥପତି ଭବାନୀ ମିଶ୍ରଙ୍କ ପରାମର୍ଶ କ୍ରମେ ଲହି ସବୁ ଭାସ୍କର୍ଯ୍ୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଶ୍ରୀ ମିଶ୍ର କହିଛନ୍ତି, ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ବାରମ୍ବାର ଶ୍ରୀସେତୁକୁ ନିରୀକ୍ଷଣ ପାଇଁ ଆସୁଥିଲେ । ଉଭୟପାର୍ଶ୍ୱରେ ପଥରର ଭାସ୍କର୍ଯ୍ୟ ନେଇ ଆଲୋଚାନା ହେବା ପରେ ସେ ପଥର ସ୍ଥାପତ୍ୟଗୁଡ଼ିକ କେଉଁଠାରେ ସ୍ଥାନିତ ହେବ ଓ କେଉଁଭଳି ଭାସ୍କର୍ଯ୍ୟ ଏହି ଶ୍ରୀସେତୁ ମଧ୍ୟରେ ସ୍ଥାନ ପାଇବ ସେ ବାବଦ ପରାମର୍ଶ ଦେଇଥିଲେ । ଶ୍ରୀସେତୁର ନିର୍ମାଣ ଶୈଳୀ ଯେତିକି ଚମକ ଆଣିଛି, ତା’ ମଧ୍ୟରେ ଭରପୂର କଳା ସ୍ଥାପତ୍ୟ ଏହାର ଶୋଭାକୁ ବହୁଗୁଣିତ କରୁଛି । ଭକ୍ତମାନେ ଗାଡ଼ି ନେଇ ଶ୍ରୀସେତୁକୁ ପ୍ରବେଶ ପଥରେ ପ୍ରଥମେ ଏକ ଶଙ୍ଖାକୃତି ଉଦ୍ୟାନ ଦେଖିବେ । ସେଠାରୁ ଆସିବା ପରେ ସେତୁର ଉଭୟ ପାର୍ଶ୍ୱ ବାଡ଼ରେ ମାଣବସା ପାରମ୍ପରିକ ଝୋଟି ଚିତା ସହ ଉଭୟ ପାର୍ଶ୍ୱରେ ପଥରର ଭାସ୍କର୍ଯ୍ୟ ଦେଖିବେ । ମଧ୍ୟ ଭାଗ ଡିଭାଇଡର ଓ ଉଭୟ ପାର୍ଶ୍ୱରେ ସବୁଜିମାର ଆକର୍ଷଣକୁ ମଧ୍ୟ ଉପଭୋଗ କରିବେ ବୋଲି ସୂଚନା ଦିଆଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ