ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ: କରୋନା ଯୋଦ୍ଧା ସହ ସାମାଜିକ ସୁରକ୍ଷା ପାଇଁ ଦାବି, ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ

ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ: କରୋନା ଯୋଦ୍ଧା ସହ ସାମାଜିକ ସୁରକ୍ଷା ପାଇଁ ଦାବି, ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ

ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ

କରୋନା ଯୋଦ୍ଧା ସହ ସାମାଜିକ ସୁରକ୍ଷା ପାଇଁ ଦାବି, ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ


#କଟକ/ଭୁବନେଶ୍ୱର(ଏନ୍‌.ଏମ୍‌.): ଦୀର୍ଘ ୨ ମାସ ହେବ ୧୦ ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ଏହାକୁ ସରକାର କର୍ଣ୍ଣପାତ କରୁ ନଥିବା ପ୍ରତିବାଦରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ନବୀନ ନିବାସ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଡ୍ରାଇଭରମାନେ ଗୋଟିଏ ଜାଗାରୁ ଅନ୍ୟତ୍ର ଯାଉଥିବା ବେଳେ ସେମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ମିଳୁନାହିଁ । ତେଣୁ ନିଜ ନାର୍ଯ୍ୟ ଦାବି ପୂରଣ ଲାଗି ଷ୍ଟିଅରିଂ ଛାଡ଼ି ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ନବୀନ ନିବାସ ମୁହାଁ ହୋଇଛନ୍ତି । ସମ୍ବଲପୁରରୁ ଏହି ଶୋଭାଯାତ୍ରା ବାହାରିବା ପରେ ଚୌଦ୍ୱାର ଓ ମଙ୍ଗୁଳି ନିକଟରେ ବିଭିନ୍ନ ଡ୍ରାଇଭର ସଂଘ ପକ୍ଷରୁ ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଆଞ୍ଚଳିକ ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ରାଜଧାନୀ ରାଜରାସ୍ତାରେ ଓଡିଶା ଡ୍ରାଇଭର ମହାସଂଘର ବିଶାଳ ଶୋଭାଯାତ୍ରା ହେତୁ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ରସୁଲଗଡ଼, ବାଣୀବିହାର ହୋଇ ହଜାର ହଜାର ଡ୍ରାଇଭର ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଇ ନବୀନ ନିବାସ ଅଭିମୁଖେ ଯାଇଥିଲେ ।
ସୂଚନାଯୋଗ୍ୟ, ୧୦ ଦଫା ଦାବି ପୂରଣ ନିମନ୍ତେ ଗତ ସେପ୍ଟେମ୍ବର ୧ତାରିଖରେ ଡ୍ରାଇଭର ଦିବସ ଅବସରରେ ଓଡ଼ିଶାର ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା । ମାତ୍ର ଡ୍ରାଇଭରଙ୍କ ଦାବି ପୂରଣ ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ମହାସଂଘ ରାସ୍ତାକୁ ଓହ୍ଲାଇଛି । ଏପରିକି ଗତ ୨୧ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଚାଲି ଚାଲି ଭୁବନେଶ୍ୱର ମୁହାଁ ହୋଇଥିଲେ । ଏହାପରେ ଆଜି ରାଜଧାନୀରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ପହଞ୍ଚିବା ପରେ ନବୀନ ନିବାସ ମୁହାଁ ହୋଇଛନ୍ତି । ଆନ୍ଦୋଳନରତ ଡ୍ରାଇଭରଙ୍କ ଦାବି ମୁତାବକ, କରୋନା କାଳରେ ଡ୍ରାଇଭରମାନେ ଅହରହ କାମ କରିଥିଲେ । ହେଲେ ତାଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ତାଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ନଥିବା ବେଳେ ଏ ଯାଏ ବହୁ ଡ୍ରାଇଭର କରୋନା ଟିକା ବି ପାଇପାରି ନାହାନ୍ତି । ସେହିଭଳି ରାଜ୍ୟରେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଡ୍ରାଇଭରମାନଙ୍କ ସୁରକ୍ଷା ପ୍ରତି ସରକାର ଧ୍ୟାନ ଦେଉନଥିବା ମଧ୍ୟ ଅଭିଯୋଗ ହେଉଛି । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ଇନସୁରାନ୍ସ ତଥା ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ପ୍ରତି ୧୦୦ କିମି ଦୂରତାରେ ବସ୍ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯିବାକୁ ଦାବି ହୋଇଛି । ପୁନଶ୍ଚ ୫୫ ବର୍ଷ ପରେ ଲାଇସେନ୍ସ ରଦ୍ଦ କରାଯାଉ ଥିବାରୁ ପେନସନ୍ ବ୍ୟବସ୍ଥା ସହ ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ଦାବି ହୋଇଛି । ସେହିପରି ଡ୍ରାଇଭରଙ୍କ ପ୍ରତିଦିନ କାମ କରିବାର ସମୟ ସୀମା ୮ ଘଣ୍ଟା ରଖିବା ସହ ଛୋଟ ଗାଡ଼ି ଡ୍ରାଇଭରଙ୍କ ଦରମା ଅତି କମରେ ୧୫ ହଜାର ଟଙ୍କା ଓ ଲାଇନ୍ ଗାଡ଼ି ଡ୍ରାଇଭରଙ୍କ ଦରମା ୨୦ ହଜାର ଉପରେ ରଖିବାକୁ ଦାବି ହୋଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବାକୁ ଡ୍ରାଇଭର ମହାସଂଘ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି