ମହିଳା ଓ ଶିଶୁ ଅପରାଧ ରୋକିବା ପାଇଁ ଓଡ଼ିଶା ପୁଲିସର ବୈଠକ

ମହିଳା ଓ ଶିଶୁ ଅପରାଧ ରୋକିବା ପାଇଁ ଓଡ଼ିଶା ପୁଲିସର ବୈଠକ

ମହିଳା ଓ ଶିଶୁ ଅପରାଧ ରୋକିବା ପାଇଁ ଓଡ଼ିଶା ପୁଲିସର ବୈଠକ

News by Smruti Ranjan Tripathy (Cuttack)

କଟକ (ଏନ୍‌.ଏମ୍‌.): ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ହେଉଥିବା ଅପରାଧକୁ ରୋକିବାକୁ ରାଜ୍ୟ ପୋଲିସ୍ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ପୂର୍ବରୁ “ଅପରେସନ୍ ସ୍ମାଇଲ୍‌”, “ଅପରେସନ୍ ମୁସ୍କାନ୍‌” ଏବଂ ବିଭିନ୍ନ ସମୟରେ ସ୍ପେଶାଲ ଡ୍ରାଇଭ୍ କରାଯାଇ ମହିଳା ଓ ଶିଶୁ ଅପରାଧ ରୋକିବାକୁ ରାଜ୍ୟ ପୋଲିସ୍ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ମଧ୍ୟ ପୋଲିସ୍ ଅଧିକାରୀମାନେ ଏ ଦିଗରେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବେ ବୋଲି ପୋଲିସ୍ କମିଶନର, କଟକ-ଭୁବନେଶ୍ୱର ସୌମେନ୍ଦ୍ର ପ୍ରିୟଦର୍ଶୀ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ପୋଲିସ୍ ମୁଖ୍ୟାଳୟ ସ୍ଥିତ ଆର୍‌.କେ ପାଢୀ ମେମୋରିଆଲ୍ ହଲ୍ ଠାରେ ରାଜ୍ୟମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଓ ୟୁନିସେଫ୍ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ଦୁଇ ଦିନିଆ କର୍ମଶାଳାରେ ମୁଖ୍ୟଅତିଥି ଭାବେ ପୋଲିସ୍ କମିଶନର ଶ୍ରୀ ପ୍ରିୟଦର୍ଶୀ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ପୋଲିସ୍ ଅଧିକାରୀ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହେଉଥିବା ଅପରାଧକୁ ଗମ୍ଭୀରତାର ସହ ନେବା ଉଚିତ ୍‌ଏବଂ ସେମାନଙ୍କୁ ସୁରକ୍ଷା ତଥା ନ୍ୟାୟ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ସହ ମାନବ ଚାଲାଣ ପରି ଧର୍ତବ୍ୟ ଅପରାଧ ରୋକିବାରେ ନିଜକୁ ସାମିଲ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ । ମାନବ ଚାଲାଣରୁ ଉଦ୍ଧାର କରାଯାଇଥିବା ମହିଳା କିମ୍ବା ଶିଶୁଙ୍କୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କଲେ ଯେଉଁ ଆତ୍ମସନ୍ତୋଷ ମିଳିଥାଏ ତାହାର ପଟ୍ଟାନ୍ତର ନାହିଁ ବୋଲି ନିଜ ଅଭି ଭାଷଣରେ ସେ ମତବ୍ୟକ୍ତ କରିଥିଲେ ।
ଆଜିର କର୍ମଶାଳାରେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଡିଜିପି (କ୍ରାଇମ୍‌ବ୍ରାଞ୍ଚ) ଅରୁଣ କୁମାର ବୋଥ୍ରା ଯୋଗଦେଇ ମାନବ ଚାଲାଣ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିବା ଉଚିତ୍ ଏବଂ ଅଭିଯୋଗକାରୀଙ୍କ ପ୍ରତି ଉତମ ବ୍ୟବହାର ପ୍ରଦର୍ଶନ କରିବାକୁ ପ୍ରାଥମିକତା ଦେବାକୁ ମତ ପ୍ରକାଶ କରିଥିଲେ । ଏହା ସହ ମାନବ ଚାଲାଣ ରୋକିବା ଏବଂ ସେ ସମ୍ପର୍କିତ ଆଇନ୍ ଓ ନୀତିନିୟମ ସମ୍ପର୍କରେ ମଧ୍ୟ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ବହୁ ସମୟରେ ପାରିବାରିକ ପରିସ୍ଥିତି ଯୋଗୁଁ କିମ୍ବା ମିଛ ସ୍ୱପ୍ନ ଦେଖାଇ ଦଲାଲମାନେ ମାନବ ଚାଲାଣ କରିଥାନ୍ତି । ପରବର୍ତ୍ତୀ ସମୟରେ ମହିଳା ଏବଂ ଶିଶୁମାନେ ରାଜ୍ୟ ବାହାରକୁ ଯାଇ ସେଠାରେ ଦଲାଲଙ୍କ ହାବୁଡ଼ରେ ଫସି ଯାଇ ମୁକୁଳି ପାରନ୍ତି ନାହିଁ । ଏଭଳି ପରିସ୍ଥିତିରେ ସ୍ଥାନୀୟ ଥାନା ଅଧିକାରୀ ଅଭିଯୋଗକୁ ଗୁରୁତର ସହ ନେଇ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ଶ୍ରୀ ବୋଥ୍ରା ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
ଅତିରିକ୍ତ ଡିଜିପି, ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ରେଖା ଲୋହାନୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ କର୍ମଶାଳା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ କୋଲକାତା ଉଚ୍ଚ ନ୍ୟାୟାଳୟର ଆଇନ୍‌ଜୀବୀ କୌଶିକ୍ ଗୁପ୍ତା, ଆର୍ନ୍ତଜାତିକ ଜଷ୍ଟିସ ମିଶନ୍‌ର ମୁଖ୍ୟ ଏମ୍‌. ଦେବସିଥମ୍‌, ୟୁନିସେଫ ୍‌ଓଡ଼ିଶାର ନେହା ନାଇଡୁ ପ୍ରମୁଖ ଉପସ୍ଥିତ ରହି ମାନବ ଚାଲାଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଶେଷରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଡିଏସ୍‌ପି ଇମନ୍ କଲ୍ୟାଣ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ସୂଚନଯୋଗ୍ୟ ଯେ, ପୂର୍ବରୁ ଏହି କର୍ମଶାଳା ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇ ସାରିଛି । ଆଜିର କର୍ମଶାଳାରେ ୧୬ଟି ଜିଲ୍ଲାର ଅତିରିକ୍ତ ଏସ୍‌ପି କ୍ରାଇମ୍‌, ଡିଏସ୍‌ପି କ୍ରାଇମ୍‌, ଆଇୟୁସିଏଡବ୍ଲୁ, ଆଇଏଏଚଟିୟୁ ଏବଂ ସାଇବର ୍‌ୟୁନିଟ୍‌ର ଅଧିକାରୀମାନେ ଯୋଗ ଦେଇଥିଲେ ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ