ବୋର୍ଡ଼ ପକ୍ଷରୁ ଶିକ୍ଷାରେ ସଂସ୍କରଣ: ୪ଟି ନୂଆ ବିଷୟରେ ପଢ଼ିବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ବୋର୍ଡ଼ ପକ୍ଷରୁ ଶିକ୍ଷାରେ ସଂସ୍କରଣ: ୪ଟି ନୂଆ ବିଷୟରେ ପଢ଼ିବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ବୋର୍ଡ଼ ପକ୍ଷରୁ ଶିକ୍ଷାରେ ସଂସ୍କରଣ: ୪ଟି ନୂଆ ବିଷୟରେ ପଢ଼ିବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନୂଆ ବିଷୟ ପଢ଼ିବାର ସୁଯୋଗ ପାଇବେ । ଏହି ନୂଆ ବିଷୟ ହେଉଛି ‘ଆସ୍ପିରେସନାଲ୍ କମ୍ପୋନେଣ୍ଟ’ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳିତବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ଏହି ନୂଆ ବିଷୟ । ଆସନ୍ତା ବର୍ଷଠାରୁ ଉଭୟ ନବମ ଓ ଦଶମରେ ଲାଗୁ ହେବ । ଆସ୍ପିରେସନାଲ୍ କମ୍ପୋନେଣ୍ଟରେ ୪ଟି ବିଭାଗ ରହିବ । ସେଗୁଡ଼ିକ ହେଉଛି- ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲମ ଆକ୍ଟିଭିଟି ଓ ବେସିକ୍ ଆଇଟି ସ୍କିଲ୍ । ପ୍ରତ୍ୟେକ ବିଭାଗ ପାଇଁ ୨୫ ଲେଖାଏଁ ମାର୍କ ରହିବ । ଏହିପରି ୪ଟି ବିଭାଗ ପାଇଁ ମୋଟ ୧୦୦ ମାର୍କ ରହିବ । ତେବେ ଏହି ବିଷୟଗୁଡ଼ିକ ସମ୍ପର୍କରେ ବୋର୍ଡ଼ ପକ୍ଷରୁ ସମ୍ପୂର୍ଣ୍ଣ ସୂଚନା ମଧ୍ୟ ଦିଆଯାଇଛି । ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଦ୍ୱନ୍ଦରେ ରହିବେ ନାହିଁ । ଆଗାମୀ ଦିନକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ବୈଦ୍ଧିକ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାରେ ଉନ୍ନତି ଆଣିବା ନିମନ୍ତେ ଏଭଳି ବିଷୟକୁ ପାଠ୍ୟକ୍ରମରେ ସାମିଲ କରିଥିବା ବୋର୍ଡ଼ ପକ୍ଷରୁ କୁହାଯାଇଛି ।
ବୁକ୍ ରିଭ୍ୟୁ: ପିଲାମାନେ ଗୋଟିଏ ବହି ପଢ଼ି ତା’ର ସମାରୀ ଲେଖିବେ । ପିଲାମାନେ ବେଷ୍ଟ ସେଲର ବହି, ଫିକ୍ସନ୍ ବହି, କ୍ଳାସିକ୍ ବହି ବା ସପ୍ତମ ଓ ଅଷ୍ଟମ ଶ୍ରେଣୀର କୌଣସି ବହିକୁ ପଢ଼ି ତାହାର ସମାରୀ ଲେଖିବେ । ପିଲାମାନଙ୍କୁ ଶିକ୍ଷକମାନେ ଗାଇଡ଼୍ କରିବେ । କିନ୍ତୁ ଛାତ୍ରଛାତ୍ରୀ ଗ୍ରାଫିକ୍ସ ନୋଭେଲ୍ ବା ଗ୍ରାଫିକ୍ସ ଫିକ୍ସନ୍ ବା କୌଣସି ବାୟୋଗ୍ରାଫିର ରିଭ୍ୟୁ କରିପାରିବେ ନାହିଁ ।
ପ୍ରୋଜେକ୍ଟ ୱାର୍କ: ଫରମେଟିଭ୍ ଆସେସମେଣ୍ଟରେ ଛାତ୍ରଛାତ୍ରୀ ପ୍ରୋଜେକ୍ଟ ୱାର୍କ କରୁଛନ୍ତି । ସାମାଜିକ ବିଜ୍ଞାନ, ବିଜ୍ଞାନ ଓ ଗଣିତରେ ପିଲାମାନେ ପ୍ରୋଜେକ୍ଟ ୱାର୍କ କରୁଥିବାବେଳେ ଏଥର ଛାତ୍ରଛାତ୍ରୀ ପାଠ୍ୟ ପୁସ୍ତକ ଭିତର ଓ ବାହାର ବିଷୟକୁ ନେଇ ପ୍ରୋଜେକ୍ଟ ୱାର୍କ କରିବେ । ଯେଉଁ ପ୍ରୋଜେକ୍ଟ ୱାର୍କ ଫରମେଟିଭ ଆସେସମେଣ୍ଟରେ କରିଥିବେ, ସେହି ବିଷୟକୁ ଦ୍ୱିତୀୟ ଥର କରିବେ ନାହିଁ । ଏଥିପାଇଁ ଦିଆଯାଇଥିବା ସର୍ତ୍ତ ଓ ଗାଇଡ୍ଲାଇନକୁ ଫଲୋ କରି ପିଲାମାନେ ପ୍ରୋଜେକ୍ଟ ୱାର୍କ କରିବେ ।
କୋ-କରିକୁଲମ ଆକ୍ଟିଭିଟି: ପ୍ରତି ସ୍କୁଲରେ କୋ-କରିକୁଲମ ଆକ୍ଟିଭିଟି ହେଉଛି । କିନ୍ତୁ ଏଥର ଯେଉଁ କୋ-କରିକୁଲମ ଆକ୍ଟିଭିଟି କରାଯାଉଛି, ତାହା ବାଧ୍ୟତାମୂଳକ ହେବ । କାରଣ ଏଥିପାଇଁ ମାର୍କ ଦିଆଯାଉଛି । କୋ-କରିକୁଲମ ଆକ୍ଟିଭିଟି ୭ଟି ଆକ୍ଟିଭିଟିକୁ ନିଆଯାଇଛି । ବାଧ୍ୟତାମୂଳକ କୋ-କରିକୁଲମ ଆକ୍ଟିଭିଟି ହେଉଛି ଫିଜିକାଲ୍ ଡେଭ୍ଲପ୍ମେଣ୍ଟ ଆକ୍ଟିଭିଟି (ଗେମ୍ସ, ସ୍ପୋର୍ଟ୍ସ, ଆଥଲେଟିକ୍ସ, ଯୋଗ, ସନ୍ତରଣ, ମାସ୍ ଡ୍ରିଲ, ଆସନ ପ୍ରମୁଖ) । ବାକି ୬ଟି(ଲିଟେରାସି, କଲ୍ଚରାଲ୍‌, ସୋସିଆଲ୍ ଡେଭଲପମେଣ୍ଟ, ସିଟିଜେନସିପ୍ ଟ୍ରେନିଂ ଆକ୍ଟିଭିଟି ଓ ଲିଜର ଟାଇମ୍ ଆକ୍ଟିଭିଟି)ରୁ ଯେ କୌଣସି ୨ଟି ବିଷୟକୁ ପିଲାମାନେ ନେଇପାରିବେ । ଯଦି କୌଣସି ପିଲା ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିବେ, ତାହାହେଲେ ସେମାନେ ୨ଟି ବିଷୟ ନେବେ ନାହିଁ ।
ବେସିକ୍ ଆଇଟି ସ୍କିଲ୍‌: ସବୁ ପିଲା ବେସିକ୍ ଆଇଟି ସ୍କିଲ୍ ପାଇବେ । କାରଣ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସବୁ ସ୍କୁଲ ୫-ଟିରେ ଅନ୍ତର୍ଭୁକ୍ତ ହୋଇଯିବେ । ଏଥିପାଇଁ ଆବଶ୍ୟକ ହେଉଥିବା ବୈଷୟିକ ଭିତ୍ତିଭୂମି ଯୋଗାଇ ଦିଆଯାଉଛି । ଏଥିରେ ଟାଇପିଙ୍ଗ ସ୍କିଲ୍ସ, ୱେବ୍ ବ୍ରାଉଜର ବ୍ୟବହାର, ମାଇକ୍ରୋସଫ୍ଟ ଅଫିସ୍ ଓ ୱାର୍ଡରେ କାମ କରିବା, ମାଇକ୍ରୋସଫ୍ଟ ଏକ୍ସଲ୍‌, ପାୱାର ପଏଣ୍ଟ ପ୍ରେଜେଣ୍ଟସନ୍ ଆଦି ଶିକ୍ଷା ଦିଆଯିବ । ଏଥିସହିତ ଇଣ୍ଟରନେଟ୍ କେମିତି ବ୍ୟବହାର କରିବେ, ତାହା ମଧ୍ୟ ପିଲାଙ୍କୁ ତାଲିମ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି