ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ସ୍ପଷ୍ଟୋକ୍ତି: ଲଢ଼ିବେନି ନିର୍ବାଚନ, ୧୪୭ ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କରିବେ

ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ସ୍ପଷ୍ଟୋକ୍ତି: ଲଢ଼ିବେନି ନିର୍ବାଚନ, ୧୪୭ ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କରିବେ

ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ସ୍ପଷ୍ଟୋକ୍ତି: ଲଢ଼ିବେନି ନିର୍ବାଚନ, ୧୪୭ ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କରିବେ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସ୍ପଷ୍ଟ କରିଛନ୍ତି ନବୀନ ଓଡ଼ିଶା ଓ ଫାଇପ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । କ୍ଷମତାସୀନ ବିଜେଡିର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଭିକେ ପାଣ୍ଡିଆନଙ୍କ ଡେବ୍ୟୁ ହୋଇଛି । ପାଣ୍ଡିଆନ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ନାହିିଁ ବୋଲି ନିଜଆଡ଼ୁ ଘୋଷଣା କରିବା ସହ ନବୀନ ପଟ୍ଟନାୟକଙ୍କୁ ସେ ନିଜର ‘ଗୁରୁ’ ଓ ‘ବାପା’ ସମ୍ବୋଧନ କରିଛନ୍ତି । ବିଜେଡିରେ ଯୋଗ ଦେବା ପରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଦଳର କୌଣସି ପଦପଦବୀ ପାଇ ନାହାନ୍ତି । ଆଜି କାର୍ଯ୍ୟକାରିଣୀରେ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ସେପରି କିଛି ଘୋଷଣା ହୋଇ ନଥିଲା । ତେବେ ଶ୍ରୀ ପାଣ୍ଡିଆନ ମଞ୍ଚ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ।
କାର୍ଯ୍ୟକାରିଣୀ ବୈଠକରେ ପାଣ୍ଡିଆନଙ୍କ ସଫଳତାର କାହାଣୀକୁ ଦଳ ପକ୍ଷରୁ ଏକ ଭିଡିଓ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହାପରେ ପ୍ରାୟ ୧୦ମିନିଟ୍ ଧରି ସଂଗଠନକୁ ସୁଦୃଢ଼ କରିବାକୁ ସେ ଗୁରୁମନ୍ତ୍ର ଦେଇଥିଲେ । ସେ କହିଥିଲେ ଯେ, ସର୍ବଭାରତୀୟ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ଅନେକ ମୋ ସମ୍ପର୍କରେ ଅତ୍ୟଧିକ ଉତ୍ସୁକତା ପ୍ରକାଶ କରିଛନ୍ତି । ମୁଁ ନିର୍ବାଚନ ଲଢ଼ିବି କି ନାହିଁ; ଯଦି ଲଢ଼ିବି କେଉଁଠୁ ଲଢ଼ିବି ତାକୁ ନେଇ ଚର୍ଚ୍ଚା ହେଉଛି । ମୋତେ ମଧ୍ୟ ଅନେକ ଏ ସମ୍ପର୍କରେ ପଚାରିଛନ୍ତି । ଦଳରେ ମୋତେ କି ପଦ ମିଳିବ ତାକୁ ନେଇ ଅନେକ ଆଲୋଚନା ଚାଲିଛି । କେହି କେହି ମୋତେ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ନିମନ୍ତେ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ମାତ୍ର ଏ ସମ୍ପର୍କରେ ଆପଣ ସମସ୍ତଙ୍କୁ ମୁଁ ଅତ୍ୟନ୍ତ ବିନମ୍ର ଭାବରେ ଗୋଟିଏ ଉତ୍ତର ଦେବି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ କାମ କରିବାକୁ ମୋର ସୌଭାଗ୍ୟ ମନେ କରୁଛି । ମୁଁ କ୍ଷମତା ପାଇଁ ଆସିନି, ସେବା ପାଇଁ ଆସିଛି । ଆଗାମୀ ନିର୍ବାଚନରେ ଲଢ଼ିବି ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ୧୪୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ଆଉ ମୁଁ ମୁଖ୍ୟମନ୍ତ୍ରୀଙ୍କ ପଛରେ ୧୪୭ ନିର୍ବାଚନମଣ୍ଡଳୀରେ ଠିଆ ହେବି ।
ଶ୍ରୀ ପାଣ୍ଡିଆନ ପୁଣି କହିଥିଲେ ଯେ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ଦଳରେ ସାମିଲ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି । ମୁଁ ଦୁଇଟି ଆଶୀର୍ବାଦ ପାଇଛି । ଗୋଟିଏ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ସେବା ଓ ଅନ୍ୟଟି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କାର୍ଯ୍ୟକରିବା । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି ଓ ତାଙ୍କ ପ୍ରତି ମୁଁ ସମ୍ପୂର୍ଣ୍ଣ ସମର୍ପିତ । ମୁଁ ମୋର ଭବିଷ୍ୟତ ମହାପ୍ରଭୁ ଜଗନ୍ନାଥ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସମର୍ପଣ କରି ଦେଇଛି । ବିଜୁ ଜନତା ଦଳକୁ ଅଧିକ ସୁଦୃଢ଼ କରି ରାଜ୍ୟର ବିକାଶକୁ ଶୀର୍ଷରେ ପହଞ୍ଚାଇବାକୁ କାର୍ଯ୍ୟ କରିବି । ଏହି ପରିବାରରେ ମୁଁ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କାର୍ଯ୍ୟ କରିବାର ପ୍ରତ୍ୟକ୍ଷ ସୁଯୋଗ ପାଇଛି । ଦଳର ଲକ୍ଷଲକ୍ଷ କର୍ମୀଙ୍କ ପାଇଁ କାମ କରିବାକୁ କେବେ ସୁଯୋଗ ମିଳି ନଥିଲା, ଏବେ ତାହା ମୋତେ ମିଳିଛି । ଏବେ ସରକାର ଓ ଲୋକଙ୍କ ସେବାରେ ଯେଉଁ ରୂପାନ୍ତରୀକରଣ ଆସିଛି ତାହା ସୁଉଚ୍ଚ ହେବାର ପ୍ରତିଶ୍ରୁତି ଦେଉଛି । ବିଜେଡିକୁ ସାମାଜିକ ଆନ୍ଦୋଳନ ବୋଲି କହୁଥିବା ଓ ରାଜ୍ୟବାସୀଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ସେ ଦୀର୍ଘ ୧୨ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ୭୭ବର୍ଷ ବୟସରେ ‘ମୋ ଗୁରୁ’, ‘ମୋ ବାପା’ ନବୀନ ପଟ୍ଟନାୟକ ଯଦି ଲୋକଙ୍କ ପାଇଁ କାମ କରିପାରୁଛନ୍ତି ତା’ହେଲେ ମୁଁ କାହିଁକି କରିପାରିବି ନାହିଁ ବୋଲି ପାଣ୍ଡିଆନ କହିଛନ୍ତି । ଜନସେବା କରିବା ପାଇଁ ଚାକିରି ଛାଡ଼ିଛି । ଶେଷପର୍ଯ୍ୟନ୍ତ ଜନସେବାରେ ବ୍ରତୀ ହୋଇ ରହିବି ବୋଲି ପାଣ୍ଡିଆନ ନିଜଆଡ଼ୁ ଘୋଷଣା କରିଥିଲେ । ଶ୍ରୀ ପାଣ୍ଡିଆନ ମଞ୍ଚରୁ ବିଜେଡି ସରକାରର ସଫଳତା ବହନ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ନେତାମାନଙ୍କଠୁ ଉତ୍ତର ଲୋଡ଼ିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଆମ ଓଡ଼ିଶା ନବୀନ ଓଡ଼ିଶା, ଦେଶର ଏକ ନମ୍ବର ରାଜ୍ୟ, ଦେଶର ଶ୍ରେଷ୍ଠ ପ୍ରଶାସକ ଭଳି ପ୍ରାୟ ୧୮-୧୯ଟି ପ୍ରଶ୍ନ ସେ ଦଳର ନେତାମାନଙ୍କୁ ପଚାରି ତା’ର ଉତ୍ତର ଲୋଡ଼ିଥିଲେ । ସବୁ ପ୍ରଶ୍ନର ଉତ୍ତର ସିଧାସଳଖ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରର ସଫଳତା ସହ ଜଡ଼ିତ ଥିଲା । ପାଣ୍ଡିଆନ ଦଳରେ କୌଣସି ପଦପଦବୀରେ ନରହି ମଧ୍ୟ ରାଜ୍ୟ ପଦାଧିକାରୀ ବୈଠକରେ ଦଳର ‘ନମ୍ବର-ଟୁ’ ଭାବେ ତାଙ୍କୁ ସମ୍ମାନ ଦିଆଯାଇଥିଲା । ଗତ କାର୍ତ୍ତିକ ପୂର୍ଣ୍ଣିମାରେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକାରିଣୀ ବୈଠକ ଶେଷ ହେବାପରେ ଗଣମାଧ୍ୟମକୁ ବିଜେଡି ଉପସଭାପତି ବିଧାୟକ ଦେବୀପ୍ରସାଦ ମିଶ୍ର, ମହିଳା ବିଜେଡି ସଭାନେତ୍ରୀ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକାରିଣୀ ବୈଠକରେ ମୋଟ ୧୧ଟି ରାଜନୀତିକ ପ୍ରସ୍ତାବ ପାରିତ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ‘କେନ୍ଦ୍ରୀୟ ଅବହେଳା’ ପ୍ରସଙ୍ଗକୁ ଭୁଲି ଯାଇଥିବା ବିଜେଡି ଏବେ ପୁଣିଥରେ ‘କେନ୍ଦ୍ରୀୟ ଅବହେଳା’କୁ ଜୋରଦାର ଢଙ୍ଗରେ ଉତଥାପନ କରିବ ବୋଲି ଜଣାପଡ଼ିଛି । ଦଳ ଆସନ୍ତା ଜାନୁୟାରୀ ୨୩ ନେତାଜୀ ଜୟନ୍ତୀରୁ ମାର୍ଚ୍ଚ ୫ତାରିଖ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଜେଡି ସରକାରଙ୍କ ସଫଳତାର ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟକ୍ରମ ହାତକୁ ନେବ ।
ସୂଚନା ଅନୁସାରେ, ଶଙ୍ଖ ଭବନରେ ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି ଓଡ଼ିଶାବାସୀଙ୍କ ସହ ଯୋଡ଼ି ହୋଇ ରହିବା ନିମନ୍ତେ ଦଳୀୟ ପଦାଧିକାରୀଙ୍କୁ ଆହ୍ୱାନ ଦେଇଥିଲେ । ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ପରିଚାଳନାରେ ବୈଠକ ଆରମ୍ଭ ହୋଇଥିଲା ଓ ଶେଷରେ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ୧୧ଟି ରାଜନୀତିକ ପ୍ରସ୍ତାବ ସମେତ ଅନ୍ୟାନ୍ୟ ପ୍ରସ୍ତାବ ପାରିତ ହୋଇଥିଲା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ