ପ୍ରାଣୀ ସମ୍ବଳକୁ ବିଏମ୍‌ସିର ଗୁରୁତ୍ୱ: ଆହୁରି ଉନ୍ନତ ହେବ ଏବିସି କାର୍ଯ୍ୟକ୍ରମ

ପ୍ରାଣୀ ସମ୍ବଳକୁ ବିଏମ୍‌ସିର ଗୁରୁତ୍ୱ: ଆହୁରି ଉନ୍ନତ ହେବ ଏବିସି କାର୍ଯ୍ୟକ୍ରମ

ପ୍ରାଣୀ ସମ୍ବଳକୁ ବିଏମ୍‌ସିର ଗୁରୁତ୍ୱ: ଆହୁରି ଉନ୍ନତ ହେବ ଏବିସି କାର୍ଯ୍ୟକ୍ରମ

News by B. Mishra (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ମାର୍ଟସିଟିରେ ପ୍ରାଣୀ ସମ୍ବଳର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କର୍ତ୍ତୃପକ୍ଷଙ୍କ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଭାରତ ସରକାରଙ୍କ ଡଗ୍ ରୁଲ୍‌କୁ ପାଥେୟ କରି ବିଏମସି କର୍ତ୍ତୃପକ୍ଷଙ୍କ ଅଧିନରେ ବୁଲା କୁକୁର ମାନଙ୍କ ବନ୍ଧ୍ୟାକରଣ କରାଯାଉଛି । ଏହା ଏକ ପ୍ରଚଳିତ ସେବା ହୋଇଥିବା ବେଳେ ଏହାକୁ ନେଇ କେତେକ ପ୍ରାଣୀ ହିତ ପ୍ରେମୀଙ୍କ ସାମାଜିକ ଗଣମାଧ୍ୟମ ଉକ୍ତିକୁ ଗୁରୁତ୍ୱର ସହ ନେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ । ଏଥିପାଇଁ ବିଏମସି କମିଶନର ସଞ୍ଜୟ କୁମାର ସିଂହ ସହିଦନଗରସ୍ଥିତ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ପରିଦର୍ଶନ କରି ଉପସ୍ଥିତ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ଚିକିତ୍ସାଳୟର ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ଏହାପରେ ପ୍ରକଳ୍ପର ବିକାଶ ପାଇଁ କେଉଁ ସବୁ ପଦକ୍ଷେପ ନିଆଗଲେ ତାହା ପ୍ରକଳ୍ପ ବିକାଶକୁ ତ୍ୱରାନ୍ୱିତ କରିବ ସେ ନେଇ ନିର୍ଦ୍ଦେଶ ଦେଇଥିଲେ ।
ସୂଚନା ଯୋଗ୍ୟ ଯେ, ବୁଲା କୁକୁରଙ୍କ ବନ୍ଧ୍ୟାକରଣକୁ ସେବା ପ୍ରଦାନ କାରୀ ସଂସ୍ଥା ପାଇକ୍ ସିକ୍ୟୁରିଟି ସେଂଟିନେଲ୍ ମାଧ୍ୟମରେ କରାଯାଉଛି । ବ୍ୟବସ୍ଥା ଅନୁଯାୟୀ ସଂପୃକ୍ତ ସଂସ୍ଥା ଡାକ୍ତର ଏବଂ ପାରାମେଡ଼ିକ୍ସ ନିୟୋଜିତ କରି ବନ୍ଧ୍ୟାକରଣକୁ ଆଗେଇନେବା ଉଚିତ୍ । ରହିଥିବା ମାନକ କାର୍ଯର୍୍ୟାନ୍ୱୟନ ପଦ୍ଧତି(ଏସ୍‌ଓପି)ର ଅନୁସରଣ କରି କାର୍ଯ୍ୟ କରିବାକୁ କୁହାଯାଇଛି । ଏହି କାର୍ଯ୍ୟରେ କିଛି ତ୍ରୁଟି ବିଚ୍ୟୁତି ଲକ୍ଷ୍ୟ କରାଯାଇଥିବାରୁ ଏବଂ ପ୍ରାଣୀ ହିତ ପ୍ରେମୀଙ୍କ ଭାବାବେଗକୁ ବିଚାରକୁ ନେଇ ପ୍ରଚଳିତ ଏସ୍‌ଓପିର ସୁଧାର ଆଣି ଏହାକୁ ଦ୍ୱିଭାଷିକ କରିବାକୁ କମିଶନର ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଏହି ଏସ୍‌ଓପି ଅନୁସାରେ କିପରି ସଂପୃକ୍ତ ସଂସ୍ଥା ନିୟମାନୁଯାୟୀ କାର୍ଯ୍ୟ କରିବ ସେଥିପାଇଁ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ (ଏସଡିଭିଓ)ଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ପୂର୍ବରୁ ଥିବା ଏସ୍‌ଡ଼ିଭିଓଙ୍କୁ ତୁରନ୍ତ ବଦଳି କରାଯାଇଛି । ଏହି ଚିକିତ୍ସାଳୟରେ ତିନୋଟି ଶ୍ୱାନଗୃହ ୧୨୦ଟି କୁକୁରଙ୍କ ପାଇଁ ବନ୍ଧ୍ୟାକରଣ ବ୍ୟବସ୍ଥା ରହିଛି । ଥରେ ଆସିଥିବା କୁକୁରକୁ ଅନ୍ୟୁନ ୭ଦିନ ପରେ ନିଜ ସ୍ଥାନକୁ ନେଇ ଛଡ଼ା ଯାଇଥାଏ । ତେବେ ଏଥିରେ କେବଳ ଯୁବ ଡାକ୍ତରଙ୍କୁ ନରଖି ଉଭୟ ପୁରୁଖା ଏବଂ ଯୁବ ଡାକ୍ତରଙ୍କୁ ରଖି କାର୍ଯ୍ୟକୁ ସୂଚନାପେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ପ୍ରକଳ୍ପର ସମସ୍ତ କାର୍ଯ୍ୟକଳାପ ନଜରରେ ରହିବ ସେଥିପାଇଁ ଅଧିକ ସଂଖ୍ୟକ ସିସିଟିଭି ଲଗାଇବାକୁ ନିଷ୍ପତି ନିଆଯାଇଛି । ଯାହାଦ୍ୱାରା ଏସ୍‌ଓପିକୁ ମାନି କାର୍ଯ୍ୟ କରିବା ଏବଂ ପ୍ର୍ରାଣୀ ସମ୍ବଳ ବିକାଶର ନିୟମକୁ ସମ୍ମାନ ଦେବା ତଥା ସ୍ୱଚ୍ଛତା ବଜାୟ ରହିବାକୁ ଆହୁରି ନିଶ୍ଚିତ କରାଯାଇ ପାରିବ । ଚିକିତ୍ସାଳୟର ବିଭିନ୍ନ ସ୍ଥାନରେ କେଉଁ ସବୁ ସେବା ଦିଆଯାଉଛି, କେଉଁ ସ୍ଥାନ କେଉଁଥି ପାଇଁ ପ୍ରଯୁଜ୍ୟ ଏବଂ ପ୍ରକଳ୍ପ ସମ୍ବନ୍ଧୀୟ ନିୟମାବଳୀ ଏନେଇ ସ୍ୱତନ୍ତ୍ର ସୂଚନାଫଳକ, ପୋଷ୍ଟର, ସମୟ ନିର୍ଘଣ୍ଟ, ସେବା ଯୋଗାଣକାରୀଙ୍କ ସୂଚନା ବିଭିନ୍ନ ସ୍ଥାନରେ ଲଗାଇବାକୁ କୁହାଯାଇଛି । ଫଳରେ ଏଠାକୁ ସେବା ପାଇଁ ଆସିଥିବା ପ୍ରାଣୀ ହିତ ପ୍ରେମୀ ସୂଚନା ଗୁଡ଼ିକୁ ଜାଣିପାରିବେ । ସେବାକୁ ଗୋଷ୍ଠୀ ଅଭିମୁଖେ କରାଇବାର ଲକ୍ଷ୍ୟ ନେଇ ଏକ କମିଟି ଗଠନ କରିବାର ନିଷ୍ପତି ନିଆଯାଇଛି ।
ଯେଉଁଥିରେ ସହରର ପ୍ରାଣୀହିତ ପ୍ରେମୀଙ୍କୁ ନେଇ ଏହି କମିଟି କରାଯିବ । ସମୟକୁ ସମୟ ସେମାନେ ସହରରେ ଏହି ପ୍ରକାରର ପ୍ରକଳ୍ପକୁ କିପରି ଆହୂରି ଭଲରେ ଗୋଷ୍ଠୀ ସହଯୋଗ ମିଳିବ ସେନେଇ ନିଜର ମତ ରଖିବେ ଏବଂ ସରକାରଙ୍କ ନିୟମ ମଧ୍ୟରେ ଥିବା ବ୍ୟବସ୍ଥାକୁ ଉପଯୋଗ କରିବାରେ ସହଯୋଗ କରିବେ । ଅନ୍ୟପକ୍ଷରେ ବିଏମସି ମେୟର ସୁଲୋଚନା ଦାସ ଆସି ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଆଳୋଚନା କରିଥିଲେ । ଏଥିସହିତ ପ୍ରକଳ୍ପକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଯେଉଁ ପଦକ୍ଷେପ ନିଆଯିବ ତାହାର ରୂପାୟନ ପାଇଁ କହିଥିଲେ । ତେବେ ଆଜିର ପରିଦର୍ଶନ କାର୍ଯ୍ୟକ୍ରମରେ ଅନ୍ୟ ଅଧକାରୀମାନଙ୍କ ମଧ୍ୟରେ ରାଜ୍ୟ ପଶୁ ସମ୍ବଳ ବିକାଶ ବିଭାଗ ଡାକ୍ତର ୟେଦୁଲା ବିଜୟ, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଡ଼େପୁଟି କମିଶନର ତଥା ଜେନେରାଲ ମ୍ୟାନେଜର ଭୁବନେଶ୍ୱର ସ୍ମାର୍ଟ ସିଟି କମଲଜିତ୍ ଦାସ ଏବଂ ଡେପୁଟି କମିଶନର ଏବିସି ରମେଶ ଚନ୍ଦ୍ର ଜେନା ପ୍ରମୁଖ ସାମିଲ ହୋଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ