ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ
ବ୍ରହ୍ମପୁର(ଏନ୍.ଏମ୍.): ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ଶିବଶଙ୍କର ଦାସଙ୍କୁ ପୁଲିସ ଗିରଫ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ପୁଲିସ ତାଙ୍କୁ ଜେଲକୁ ପଠାଇ ଦେଇଛି । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସଙ୍କ ବିରୋଧରେ ପୁଲିସ ହତ୍ୟା ଉଦ୍ୟମ ଦଫା ଲଗାଇ ମାମଲା ରୁଜୁ କରିଛି । ଗତକାଲି ଶିବଶଙ୍କର ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ । ଅନ୍ୟପକ୍ଷରେ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । ତାଙ୍କ ପଞ୍ଜରା ହାଡ଼ରେ ଫ୍ରାକ୍ଚର ହୋଇଥିବା ସୂଚନା ମିଳିଛି । ପ୍ରଦୀପ ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ପତ୍ନୀ କହିଛନ୍ତି, ତାଙ୍କ ଚେଷ୍ଟରେ ଫ୍ରାକ୍ଚର ହୋଇଛି ଓ ବେକରେ ମାଡ଼ ହୋଇଛି । ତାଙ୍କ ପକ୍ଷେ କଥା କହିବା କଷ୍ଟକର ହୋଇପଡ଼ିଛି । ମୁଖ୍ୟମନ୍ତ୍ରୀ ଅହିଂସାର ଡିଣ୍ଡିମ ପିଟୁଛନ୍ତି, ମାତ୍ର ହିଂସା ଚରମ ସୀମାରେ ପହଞ୍ଚିଛି । ହାରିବା ଭୟରେ ସେମାନେ ତାଟିଆ କାମୁଡ଼ିବା ଆରମ୍ଭ କରିଛନ୍ତି । ଗତକାଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟ ସରିବା ପରେ ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସ ସମର୍ଥକଙ୍କ ମଧ୍ୟରେ କୌଣସି କାରଣ ପାଇଁ ହାତାହାତି ହୋଇଥିଲା । ଏହି ଗଣ୍ଡଗୋଳ ସମୟରେ ଶିବଶଙ୍କର ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ପ୍ରଦୀପଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । ଶିବଶଙ୍କରଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ଇଭିଏମ ଠିକ ଭାବେ ସିଲ ହୋଇନଥିବା ଅଭିଯୋଗକୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।