ଚାକିରି ଲୋଭ ଦେଖାଇ ୨ କୋଟି ଚଳୁ କରି ଗିରଫ ହେଲା ମହାଧୂର୍ତ୍ତ

ଚାକିରି ଲୋଭ ଦେଖାଇ ୨ କୋଟି ଚଳୁ କରି ଗିରଫ ହେଲା ମହାଧୂର୍ତ୍ତ

ଚାକିରି ଲୋଭ ଦେଖାଇ ୨ କୋଟି ଚଳୁ କରି ଗିରଫ ହେଲା ମହାଧୂର୍ତ୍ତ


#ବାଲେଶ୍ୱର(ଏନ୍‌.ଏମ୍‌.): ଆଜିର ଶିଖିତ ସମାଜରେ ଏଭଳି ଲୋକେ ଠକାମୀରେ ପଡ଼ନ୍ତି; ଆଉ ମିଠା କଥା କହି ଆକାଶ ବୁଲା ପ୍ରତିଶ୍ରୁତି ଦେଇ ଲୋକେ ଠକି ପାରନ୍ତି । ଏଭଳି ଜଣେ ମହାଧୂର୍ତ୍ତକୁ ବାଲେଶ୍ୱର ସୋର ଥାନା ପୁଲିସ ଗିରଫ କରିବା ପରେ ତା’ର କାଣ୍ଡ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କାହାକୁ ଚାକିରିର ପ୍ରଲୋଭନ ତ ଆଉ କାହାକୁ ମଦ ବାର, ଗ୍ୟାସ୍ ଡିଲରସିପ୍‌, ଛତୁଆ ଏଜେନ୍ସି, ପେଟ୍ରୋଲ ପମ୍ପ କରାଇ ଦେବାର ପ୍ରତିଶ୍ରୁତି । ଗତ ୫ ବର୍ଷ ଧରି ଏପରି ପ୍ରତିଶ୍ରୁତି ଦେଇ ବ୍ୟକ୍ତିଜଣକ ଲୁଟି ସାରିଲେଣି ୨ କୋଟି ଊର୍ଦ୍ଧ୍ୱ ଟଙ୍କା । ଏପରି ମହାଠକଙ୍କ ଶିକ୍ଷାଗତ ଯୋଗ୍ୟତା ମାତ୍ର ପଞ୍ଚମ ହୋଇଥିବା ବେଳେ କଥା କିନ୍ତୁ ଆକାଶଛୁଆଁ । କେତେବେଳେ ଚିଫ୍ ସେକ୍ରେଟାରୀ ତ କେତେବେଳେ ଡିଜି ବି ଚିହ୍ନା ପରିଚୟ ଥିବା କହିବାକୁ ପଛାଇ ନାହାନ୍ତି । ପାଠ ନ ପଢ଼ି ବି ଲୋକଙ୍କୁ ହାଇକୋର୍ଟର ଫେକ୍ ଅର୍ଡର ଦେଖାଇ ଭୂଆଁ ବୁଲାଇବାକୁ ପଛାଇ ନାହାନ୍ତି । ମାତ୍ର ଏପରି କରି ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଭୂଆଁ ବୁଲାଇ ସାରିଥିବା ଏପରି ମହା ଧୂର୍ତ୍ତଙ୍କୁ ଶେଷରେ ବାନ୍ଧିଛି ପୁଲିସ୍ ।ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି । ଗିରଫ ହୋଇଥିବା ମହା ଠକଜଣକ ମାଣତ୍ରୀ ଗାଁର ରମେଶ ଚନ୍ଦ୍ର ପାଢ଼ୀ ବୋଲି ଜଣାପଡ଼ିଛି । ରମେଶଙ୍କ ନାଁରେ ସୋର ଓ କେନ୍ଦୁଝର ଟାଉନ୍ ଥାନାରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କ ମିଥ୍ୟା ପ୍ରତିଶ୍ରୁତି ଜାଲରେ ସେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ଫସାଇ ସାରିଥିବା ଜଣାଯାଇଛି । ସୋର ପୁଲିସ ରମେଶଙ୍କୁ ପଚରାଉଚରା କରିବା ପରେ ସେ ପାଖାପାଖି ୨କୋଟି ୬ଲକ୍ଷ ଟଙ୍କା ଠକି ନେଇଥିବା ଜାଣିବାକୁ ମିଳିଛି । ସୂଚନା ଅନୁଯାୟୀ, ୨୦୧୯ ମସିହାରେ ସାଜନପୁର ପଞ୍ଚାୟତ ଚପରପଦା ଗ୍ରାମର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କର ୨୨ ଜଣ ସାଥୀଙ୍କୁ ବ୍ୟାଙ୍କରେ ଚାକିରି କରାଇଦେବାର ଆଳ ଦେଖାଇ ପ୍ରତ୍ୟେକଙ୍କ ଠାରୁ ୩ ଲକ୍ଷ ଲେଖାଏଁ ଟଙ୍କା ନେଇଥିଲେ । କିଛିଦିନ ପରେ ଚାକିରି ମିଳିବାର କୌଣସି ସୂଚନା ନମିଳିବାରୁ ଶ୍ରୀ ପଣ୍ଡା ଓ ତାଙ୍କର ସାଥୀମାନେ ରମେଶଙ୍କୁ ଧରିବାରୁ ସେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ପରେ ଏ ବାବଦରେ କୌଣସି ବିଜ୍ଞାପନ ଆସିନଥିବା ବ୍ୟାଙ୍କ ପକ୍ଷରୁ ସୂଚନା ପାଇବା ପରେ ଶ୍ରୀ ପଣ୍ଡାଙ୍କ ସମେତ ଅନ୍ୟ ସାଥୀମାନେ ଠକେଇର ଶିକାର ହୋଇଥିବା ଜାଣିପାରି ସୋର ଥାନାରେ ଏତଲା ଦେଇଥିଲେ । ସେହିଭଳି ଭାବେ ସୋର ଅଞ୍ଚଳର ଶୁଶାନ୍ତ କୁମାର ଦାସଙ୍କ ଠାରୁ ୨୦୧୫ ମସିହାରେ କିରୋସିନ ଡିଲରସିପ କରାଇଦେବାର ଆଳ ଦେଖାଇ ୫୮ ଲକ୍ଷ ଟଙ୍କା ଠକିଥିବା ଶ୍ରୀ ଦାସ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଏହିପରି ଭାବେ ସେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଜଣଙ୍କଠାରୁ ଚାକିରି କରାଇ ଦେବାକୁ କହି ଟଙ୍କା ଲୁଟିଛନ୍ତି । ମାତ୍ର ଦୀର୍ଘ ଦିନ ପର୍ଯ୍ୟନ୍ତ ଚାକିରି ନ ହେବାରୁ ଧୂର୍ତ୍ତ ରମେଶ ଉକ୍ତ ଯୁବକମାନଙ୍କୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ନେଇଥିଲେ । ଏହାପରେ ହାଇକୋର୍ଟରେ ରିଟ୍ ପିଟିଶନ ଦାଖଲ କରିଥିଲେ । ଏହାପରେ ବି ଚାକିରି ନ ହେବାରୁ ଯୁବକମାନେ ଟଙ୍କା ଫେରାଇ ଦେବାକୁ କହିଥିଲେ । ଏହାପରେ ରମେଶ କିଛି ଯୁବକଙ୍କୁ କିଛି କିଛି ଟଙ୍କା ଫେରାଇଥିବା ବେଳେ ଅଉ କାହାକୁ ଧରା ଛୁଆଁ ଦେଇ ନ ଥିଲେ । କେବଳ ଚାକିରି ନୁହେଁ କାହାକୁ ପେଟ୍ରୋଲ ପମ୍ପ, କିରୋସିନ ଡିଲରସିପ୍‌, ଗ୍ୟାସ ଡିଲର, ଛତୁଆ ଏଜେନ୍ସି, ମଦ କାଉଣ୍ଟର ଓ ଜମି ଦେବାକୁ କହି ବି ଟଙ୍କା ଆଦାୟ କରିଥିଲେ ରମେଶ ପାଢ଼ୀ । କେତେବେଳେ ନିଜକୁ ମୁଖ୍ୟ ଶାସନ ସଚିବଙ୍କ ସମ୍ପର୍କିୟ ତ ପୁଣି କେତେବେଳେ ଜିଲ୍ଲାପାଳଙ୍କ ପାଖ ଲୋକ କହି ଫେକ୍ ଚିଠି ବି ଦେଖାଉଥିଲା । ହାଇକୋର୍ଟର ଫେକ୍ ଅର୍ଡର ଦେଖାଇ ବି ସେ ଲୋକଙ୍କ ବିଶ୍ୱାସଭାଜନ ହେଉଥିଲେ । ପରେ ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ରମେଶଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଗତକାଲି ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଭଦ୍ରକ ଅଂଚଳରୁ ଗିରଫ କରି ଆଜି ଅପରାହ୍ଣରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ରମେଶଙ୍କ ନାମରେ ସୋର ଥାନାରେ ୯ଟି ଓ କେଉଁଝର ଟାଉନ ଥାନାରେ ଗୋଟିଏ ଠକେଇ ମାମଲା ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ସେହିପରି ୨୦୧୨ ମସିହାରେ ମଧ୍ୟ ରେମୁଣା ବିଧାୟକ ସୁଦର୍ଶନ ଜେନାଙ୍କ ଲେଟରପେଡ ବ୍ୟବହାର କରି ଚାକିରି କରାଇଦେବା ନାଁରେ ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ତାଙ୍କୁ ରିମାଇଣ୍ଡରରେ ଆଣି ଅଧିକ ତଦନ୍ତ ଆରମ୍ଭ କରିବ ବୋଲି ଏସଡିପିଓ ଡ. ଶଶାଙ୍କ ଶେଖର ବେଉରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ