ଚାଉଳିଆଗଞ୍ଜ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିଲା ଏନସିଡି କ୍ଲିନିକ
#କଟକ(ଏନ୍.ଏମ୍.): ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଚାଉଳିଆଗଞ୍ଜ ଠାରେ ନନ କମ୍ୟୁନିକେବୁଲ ଡିଜିଜ(ଏନସିଡି) କ୍ଲିନିକ ଉଦ୍ଘାଟିତ ହୋଇ ଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ ଯୋଗ ଦେଇ ଏହି କ୍ଲିନିକକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ପ୍ରଦୀପ କୁମାର ମଲ୍ଲିକ, ଏଡିୟୁପିଏଚଓ ଡାକ୍ତର ପ୍ରମୋଦ କୁମାର ଦେ, ସିଟି ପ୍ରୋଗ୍ରାମ ମ୍ୟାନେଜେର ଏଲିନା ସାମନ୍ତରାୟ, ଏନସିଡି ପରିଚାଳକ ସୁଦ୍ଧାରଞ୍ଜନ ରଥ, ଡାକ୍ତର ଶାଳିନୀ ସାହୁ, ଡାକ୍ତର ସୁଶାନ୍ତ ମହାପାତ୍ର, ଫାର୍ମାସିଷ୍ଟ ପ୍ରତାପରଞ୍ଜନ ବରାଳ, ପିଏଚଏମ ଶଶୀକାନ୍ତ ସାମଲ, ଆକାଉଣ୍ଟାଣ୍ଟ ଦୀପକ କୁମାର ଦାସ, ଆଶା କର୍ମୀଙ୍କ ସମେତ ଏମଏଏସ ମେମ୍ବରମାନେ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ଡାକ୍ତର ଛୋଟରାୟ ଏନସିଡି ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ଏନସିଡି ଏଭଳି ଗୋଟିଏ ରୋଗ ଯାହା ସଂକ୍ରାମକ ନହେଲେ ମଧ୍ୟ ଉଚିତ ସମୟରେ ଉପଯୁକ୍ତ ଚିକିତ୍ସା କରାନଗଲେ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ ବୋଲି ଡାକ୍ତର ଛୋଟରାୟ ପ୍ରକାଶ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଏନସିଡି କ୍ଲିନିକ୍ ଜାତୀୟ ଅଣ-ସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ପରିଚାଳିତ ହେବ । ଏଥିମଧ୍ୟରେ ରୋଗୀଙ୍କୁ ମାଗଣା ଚେକ୍ ଅପ୍, ଚିକିତ୍ସା ଏବଂ ଔଷଧ ଯୋଗାଇ ଦିଆଯିବ । କର୍କଟ, ହୃଦରୋଗ, ଥାଲାସେମିଆ, ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ପୀଡିତ ଲୋକଙ୍କ ପାଇଁ ପୃଥକ ଚିକିତ୍ସାଳୟ ସ୍ଥାପନ, ଏହି ରୋଗ ସହ ଜଡିତ ଚିକିତ୍ସା ଏବଂ ସମସ୍ତ ପ୍ରକାରର ଔଷଧ ଉପଲବ୍ଧ ରହିବ । ଏଥି ପାଇଁ ବ୍ୟୟ ରାଶିର ୯୦ ପ୍ରତିଶତ କେନ୍ଦ୍ର ସରକାର ଏବଂ ୧୦ ପ୍ରତିଶତ ରାଜ୍ୟ ସରକାର ବହନ କରିବେ । ତେବେ ପ୍ରତ୍ୟେକ ଜିଲ୍ଲା ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ଆଧୁନିକ ୱାର୍ଡ, ୪ ଶଯ୍ୟା ବିଶିଷ୍ଟ ସିସିୟୁ ୱାର୍ଡ ନିର୍ମାଣ କରାଯିବାକୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି ।