କେତେ ଫଳପ୍ରଦ ହେଲା ସରକାରୀ ଆଇଏଏସ୍ କୋଚିଂ ଯୋଜନା, ୯୯ଜଣଙ୍କରୁ ପ୍ରାଥମିକ ପରୀକ୍ଷାରେ ଜଣେ ଉତ୍ତୀର୍ଣ୍ଣ

କେତେ ଫଳପ୍ରଦ ହେଲା ସରକାରୀ ଆଇଏଏସ୍ କୋଚିଂ ଯୋଜନା, ୯୯ଜଣଙ୍କରୁ ପ୍ରାଥମିକ ପରୀକ୍ଷାରେ ଜଣେ ଉତ୍ତୀର୍ଣ୍ଣ

କେତେ ଫଳପ୍ରଦ ହେଲା ସରକାରୀ ଆଇଏଏସ୍ କୋଚିଂ ଯୋଜନା, ୯୯ଜଣଙ୍କରୁ ପ୍ରାଥମିକ ପରୀକ୍ଷାରେ ଜଣେ ଉତ୍ତୀର୍ଣ୍ଣ


ଭୁବନେଶ୍ୱର (ଏନ୍‌.ଏମ୍‌.): ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ପାଇଁ ପ୍ରତିବର୍ଷ ସର୍ବଭାରତୀୟସ୍ତରରେ ହେଉଥିବା ପରୀକ୍ଷାରେ ଓଡ଼ିଶାର ସଫଳତା ହାର ଅନ୍ୟ ରାଜ୍ୟ ତୁଳନାରେ ନୈରାଶ୍ୟଜନକ ରହିଛି । ତେବେ ପ୍ରତିବର୍ଷ କିପରି ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଆଇଏଏସ୍ ପାଇବେ ସେଥିନିମନ୍ତେ ସରକାରଙ୍କ ପକ୍ଷରୁ ଆଇଏଏସ କୋଚିଂ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ଯୋଜନା ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗ ପ୍ରାର୍ଥୀଙ୍କ ପିଛା ଟଙ୍କା ଖର୍ଚ୍ଚ କରି ଆଇଏଏସ୍ ବାହାର କରିବା ଉଦ୍ଦେଶ୍ୟ ରଖିଛି । ପ୍ରତିବର୍ଷ ୧୦୦ ବିଦ୍ୟାର୍ଥୀଙ୍କୁ ଭାରତୀୟ ଲୋକସେବା ଆୟୋଗ (ୟୁପିଏସସି) ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଶିକ୍ଷା (କୋଚିଂ) ଦିଆଯାଉଛି । ଶିକ୍ଷାବର୍ଷ ୨୦୧୯-୨୦ରେ ଉଚ୍ଚଶିକ୍ଷା ବିଭାଗ ୯୯ ଛାତ୍ରଛାତ୍ରୀଙ୍କୁ ମନୋନୀତ କରି ଭୁବନେଶ୍ୱର ପଟିଆସ୍ଥିତ ଧେୟା ଆଇଏଏସ୍ କୋଚିଂ କେନ୍ଦ୍ରରେ ନାମ ଲେଖାଯାଇ ଥିଲା । ବର୍ଷେକାଳ ଛାତ୍ରଛାତ୍ରୀ ଅଧ୍ୟୟନ କରି ୟୁପିଏସସି-୨୦୨୦ ପ୍ରାଥମିକ ପରୀକ୍ଷା ଦେଇଥିଲେ । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ଜଣେ ଛାତ୍ର ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବଜେଟରେ ଥିବା ଅର୍ଥ ବ୍ୟବସ୍ଥା ଅନୁଯାୟୀ ପ୍ରାୟ କୋଟିଏ ଟଙ୍କା ପ୍ରାର୍ଥୀଙ୍କ ପିଛା ଖର୍ଚ୍ଚ କରାଯାଇଛି । ହେଲେ ପରୀକ୍ଷା ଫଳକୁ ଦେଖିଲେ ପ୍ରଥମ ବର୍ଷ ଏ ଯୋଜନାରେ ସଫଳତା ମିଳିନାହିଁ । ଶିକ୍ଷାବିତ୍ ଓ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କ ମତରେ ଏହି ଯୋଜନାକୁ ଦକ୍ଷତାର ସହ କାର୍ଯ୍ୟକାରୀ କଲେ ସୁଫଳ ମିଳିବ । ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଅଧିକାଂଶ ପିଲା ଉତ୍ତୀର୍ଣ୍ଣ ନହେବା ଚିନ୍ତାଜନକ ବୋଲି କୁହାଯାଇଛି । କୋଚିଂ ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବାର ଆବଶ୍ୟକତା ଥିବାବେଳେ ଏ ଦିଗ ଉପରେ ବିଭାଗ କେତେଦୂର ଗୁରୁତ୍ୱ ଦେଇଛି ସେଥିନେଇ ସନ୍ଦେହ ଉପୁଜିଛି । ପ୍ରଥମ ବର୍ଷରେ ଯୋଜନାକୁ ଆଖି ଦୃଷ୍ଟିଆ ସଫଳତା ମିଳି ନଥିବାରୁ ଆଇଏଏସ୍ ତିଆରି ଯୋଜନା ଫିକା ପଡିଥିବା ଚର୍ଚ୍ଚା ହେଉଛି ।
ମନୋନୟନ ୧୦୦ ଛାତ୍ରଛାତ୍ରୀ ନିମନ୍ତେ ୨୦ ମେ, ୨୦୧୯ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା । ଯେଉଁ ୯୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସମସ୍ତଙ୍କୁ ଧେୟା କୋଚିଂ କେନ୍ଦ୍ରରେ ନାମଲେଖା ସୁଯୋଗ ମିଳିଥିଲା । ପ୍ରାଥମିକ ଏବଂ ମୁଖ୍ୟ ପରୀକ୍ଷା ନିମନ୍ତେ ଗୋଟିଏ ବର୍ଷ ଛାତ୍ରଛାତ୍ରୀଙ୍କୁ ପାଠପଢା ଯାଇଛି । ଗୋଟିଏ ପ୍ରାର୍ଥୀଙ୍କ ପିଛା ମୋଟ ୮୨,୬୦୦ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ସରକାରଙ୍କ ପକ୍ଷରୁ ୬୧.୯୫୦ ଟଙ୍କା ଏବଂ ସମ୍ପୃକ୍ତ ଛାତ୍ରଛାତ୍ରୀ ୨୦,୬୫୦ ଟଙ୍କା ବହନ କରିବାର ନିୟମ ରହିଛି । ଯେଉଁ ଛାତ୍ରଛାତ୍ରୀ ଅଭିଭାବକଙ୍କ ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ କମ ସେମାନଙ୍କ ପାଇଁ ମୋଟ ୮୨,୬୦୦ ଟଙ୍କା ସରକାର ଭରଣା କରିଛନ୍ତି । ଯେଉଁ ଛାତ୍ରଛାତ୍ରୀ ୟୁପିଏସସି-୨୦୧୭/୧୮ରେ ପ୍ରାଥମିକ ଏବଂ ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାକ୍ଷାତକାରରେ ସଫଳତା ପାଇ ନଥିବେ ସେମାନଙ୍କୁ ପ୍ରାଥମିକତା ଦେବା, ଯେଉଁ ଛାତ୍ରଛାତ୍ରୀ ଭାରତୀୟ ଜଙ୍ଗଲ ସେବା (ଆଇଏଫଏସ୍‌) ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ସାକ୍ଷାତକାରରେ କୃତିତ୍ୱ ହାସଲ କରି ପାରିନାହାନ୍ତି ସେମାନଙ୍କୁ ମନୋନୀତ କରିବା ଏବଂ ଯେଉଁ ପ୍ରାର୍ଥୀ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ୍‌)ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପରବର୍ତ୍ତୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି ସେମାନଙ୍କୁ କୋଚିଂ ଦେବା ପାଇଁ ମାନଦଣ୍ଡ ସ୍ଥିର ହୋଇଥିଲା । ମାତ୍ର କୋଚିଂ ଯୋଜନାରେ କୌଣସି ସୁଫଳ ମିଳିନଥିବା ଯୋଗୁଁ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି