ସିସିଟିଭିରୁ ଜଣାପଡ଼ିଲା: ଜଗତପୁର ଅଞ୍ଚଳରେ ଗାଈ ଲୁଟେରାଙ୍କ ଆତଙ୍କ
ଜଗତପୁର(ଏନ୍.ଏମ୍.): କଟକରେ ଏବେ ଗାଈ ଚୋରଙ୍କ ଆତଙ୍କ ବୁଦ୍ଧି ପାଇଛି । ନିସ୍ତବ୍ଧ ରାତିରେ ରାସ୍ତାଉପରୁ ଦୁବୃର୍ତ୍ତମାନେ ଗାଇମାନଙ୍କୁ ଉଠାଇ ନେଉଛନ୍ତି । ଯାହା କମିଶନରେଟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଥାନା ପକ୍ଷରୁ ପିସିଆର ଭ୍ୟାନ ଯୋଗେ ଜୋରଦାର ପଇଁତରା ମରାଯାଉଥିବାବେଳେ ଏଭଳି ଚୋରି ପୁଲିସର ପାରିବା ପଣିଆ ଉପରେ ସନ୍ଦେହ ସୃଷ୍ଟି କରିଛି । କିଛି ଦିନ ତଳେ କଟକ ସିଡିଏ ଅଞ୍ଚଳରୁ ଘନଘନ ଗାଈଚୋରି ହେବା ପରେ ଏବେ ଜଗତପୁର ଥାନା ଅଞ୍ଚଳରେ ମଧ୍ୟ ଗାଈଚୋରି ବୃଦ୍ଧି ପାଇବାରେ ଲାଗିଛି । ନିସ୍ତବ୍ଧ ରାତିର ସୁଯୋଗ ଦେଇ ଏହି ଦୁବୃର୍ତ୍ତମାନେ ଏକ ଗାଡ଼ିରେ ଗାଈ ଉଠାଇ ନେଉଥିବା ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ଫଳରେ ଏ ନେଇ ଅଞ୍ଚଳରେ ଏକ ଆତଙ୍କ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ କଟକ ମହାନଗର ନିଗମ ଅନ୍ତର୍ଗତ ଭୂବନପୁର ଗ୍ରାମ ବଉଳେଇ ସାହିସ୍ଥିତ ରବିନ୍ଦ୍ର ପଣ୍ଡାଙ୍କ ପୁତୁରା ସ୍ମୁତି ରଞ୍ଜନ ପଣ୍ଡାଙ୍କ ଦୋକାନ ଆଗରୁ ତାଙ୍କର ଗୋଟିଏ ଗାଇଟିକୁ ୪ରୁ ୫ ଯୁବକ ଏକ ନମ୍ବର ବିହିନ ପିକଅପ ଭ୍ୟାନରେ ଉଠାଇ ନେବା ଘଟଣା ଜଗତପୁରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିଳମ୍ବିତ ରାତିରେ ରାସ୍ତାଘାଟ ଶୂନସାନ ହୋଇପଡ଼ିବା ପରେ ୪ଜଣ ଯୁବକ ଜଗତପୁର ତଥା ଆଖ ପାଖ ଅଞ୍ଚଳରୁ ଏକ ନମ୍ବର ବିହୀନ ମହିନ୍ଦ୍ରା ପିକଅପ ଭ୍ୟାନ ଗାଡିରେ ରାସ୍ତା କଡରେ ଶୋଇଥିବା ଗାଇ ଗୋରୁଙ୍କୁ ଉଠାଇ ନେଉଥିବା ଘଟଣା ଶ୍ରୀ ପଣ୍ଡାଙ୍କ ସିସି ଟିଭିରେ କଏଦ ହୋଇଛି । ତେବେ ଭୂବନପୁର ନୂଆ ସାହିର ଲକ୍ଷ୍ମୀଧର ପଣ୍ଡାଙ୍କର ମଧ୍ୟ ଗୋଟିଏ ଗାଇକୁ ଏହି ଲୁଟେରାମାନେ ଉଠାଇ ନେଇଥିବା ସିସିଟିଭିରୁ ଜଣାପଡିଛି । ଏହି ନମ୍ବର ବିହୀନ ଧଳା ରଙ୍ଗର ମହିନ୍ଦ୍ରା ପିକଅପ ଭ୍ୟାନ ଗାଡିରେ ପ୍ରାୟ ୪ରୁ ୫ ଜଣ ଗାଇ ଲୁଟେରା ଜଗତପୁରର ବିଭିନ୍ନ ସାହିରେ ବୁଲି ଗାଇ ଗୋରୁଙ୍କୁ ଉଠାଇ ନେଉଥିବା ଅଭିଯୋଗ ହୋଇଛି । ତେବେ ସକାଳେ ଗାଇ ମାଲିକ ଗାଇଗୁଡିକୁ ଖୋଜା ଖୋଜିପରେ ନପାଇବାରୁ ଶ୍ରୀ ପଣ୍ଡା ତାଙ୍କ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ । ଯାଞ୍ଚ କରିବା ପରେ ସିସିଟିଭି ଫୁଟେଜରୁ ଜଣାଗଲା ଯେ, ଗାଇଗୋରୁଙ୍କର ଗୋଡ ବାନ୍ଧି ଏକ ପିକଅପ ଭ୍ୟାନରେ ପକାଇ ନେଇ ଯାଇଥିଲେ । ଗୋଟିଏ ପଟେ ଜଗତପୁର ଅଞ୍ଚଳରେ ପୁଲିସ ପକ୍ଷରୁ ନାଇଟ ପେଟ୍ରୋଲିଙ୍ଗ ଠିକ୍ ଭାବେ କଡାକଡି ହେଉଥିବା କୁହାଯାଉଥିବାବେଳେ ଗାଈ ଚୋରି ଘଟଣା ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି । ଅଞ୍ଚଳରେ ଏଭଳି ଗାଈ ଚୋରି ବୃଦ୍ଧି ପାଇଥିବା ବେଳେ ପୁଲିସପକ୍ଷରୁ ପେଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।