ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ବିଭିନ୍ନ ଦଳର ଦାବି: ଏ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
କଟକ/ଭୁବନେଶ୍ୱର(ଏନ୍.ଏମ୍.): ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ରାଜ୍ୟର ସମସ୍ତ ବିରୋଧୀ ଦଳ ଦାବି କରିଛନ୍ତି । ଆଜି ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଥିବାବେଳେ ଏଥିରେ ସରକାରୀ ଦଳ ବିଜେଡିକୁ ଛାଡ଼ି ଅନ୍ୟ ସମସ୍ତ ଦଳ ନିର୍ବାଚନକୁ ସ୍ଥଗିତ କରିବା ପାଇଁ ଦାବି କରିଛନ୍ତି ।
କରୋନାର ତୃତୀୟ ଲହର ଚାଲିଥିବାରୁ ନିର୍ବାଚନ ସ୍ଥଗିତ ରଖିବାକୁ ବିରୋଧୀ ଦଳ ଗୁଡ଼ିକୁ ଦାବି କରିଛନ୍ତି । ଏହା ସହିତ ପଛୁଆ ବର୍ଗ ଓ ଏସ୍ଟି ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ସେମାନେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି । ସେହିଭଳି ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା ମଧ୍ୟ ରୁଜୁ ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାଏର ହୋଇଛି । ଓବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନଥିବାରୁ ନିର୍ବାଚନ ବନ୍ଦ କରିବାକୁ ଦାବି ହୋଇଛି । ସେହିପରି କରୋନା ବଢ଼ିଚାଲିଥିବାରୁ ପଞ୍ଚାୟତ ନିର୍ବାଚନ କିଭଳି ହେବ ବୋଲି ପରିଷଦ ପ୍ରଶ୍ନ କରିଛି । ଅନ୍ୟପକ୍ଷରେ ଆଜି ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ି କହିଛନ୍ତି ଯେ, କୋଭିଡ୍ ସ୍ଥିତିରେ ପଞ୍ଚାୟତ ନିର୍ବାଚନ କେମିତି କରାଯିବ ଓ କରାଯିବ କି ନାହିଁ, ସେ ନେଇ ସବୁ ଦଳ ସେମାନଙ୍କ ମତାମତ ଦେଇଛନ୍ତି । ନିର୍ବାଚନ ନେଇ କେନ୍ଦ୍ର ନିର୍ବାଚନ କମିଶନ (ସିଇସି) ଗାଇଡଲାଇନ କରିଛନ୍ତି । ସିଇସିଙ୍କ ଗାଇଡଲାଇନ ଆଧାରରେ ଆମେ ଗାଇଡଲାଇନ କରୁଛୁ । ଖୁବ୍ ଶୀଘ୍ର ଆମେ ଉକ୍ତ ଗାଇଡଲାଇନ ଜାରି କରିବୁ ବୋଲି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି ।

ସେହିଭଳି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା(ପିଆଇଏଲ୍) ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦର ଗଞ୍ଜାମ ଜିଲ୍ଲା ସଭାପତି ଗୁରୁଦେବ ବେହେରା ଓ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଆସନ୍ତା ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇନାହିଁ । ଏହାଦ୍ୱାରା ଓବିସି ବର୍ଗଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଆବେଦନରେ ଦର୍ଶଯାଇଛି । ପୁନଶ୍ଚ ବର୍ତ୍ତମାନ ରାଜ୍ୟରେ ଦୃତ ଗତିରେ କରୋନା ସଂକ୍ରମଣ ବଢୁଥିବା ବେଳେ ପଞ୍ଚାୟତ ନିର୍ବାଚନ କିପରି ହେବ, ସେନେଇ ଆବେଦନାକାରୀ ପ୍ରଶ୍ନ ଉଠାଇଛନ୍ତି । କରୋନା ସ୍ଥିତି ସୁଧୁରିବା ପରେ ପୁନଃ ବିଚାର କରି ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ କୋର୍ଟରେ ପ୍ରାର୍ଥନା କରାଯାଇଛି । ଏଥିରେ ରାଜ୍ୟ ନିର୍ବାଚନ କମିଶନ, ପ୍ରମୁଖ ଶାସନ ସଚିବ ପଞ୍ଚାୟତି ରାଜ, ପାନୀୟ ଜଳ ବିଭାଗ, ପ୍ରମୁଖ ଶାସନ ସଚିବ ଗୃହ ଓ ସହରାଞ୍ଚଳ ଉନୟନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି । ତେବେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନର ସମସ୍ତ ଚୂଡ଼ାନ୍ତ ତାଲିକା ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନରଙ୍କୁ ଦେଇଥିବାବେଳେ ଶନିବାର ଗେଜେଟ୍ ବିଜ୍ଞପ୍ତି ଜାରି କରିଥିଲେ । ଓଡ଼ିଶା ହାଇକୋର୍ଟ ଡିସେମ୍ବର ୨୨ ତାରିଖ ରାୟରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟର ଧାରା ୧୨ର ରୁଲ୍ ୧୩ ପ୍ରାବଧାନ ଅନୁସାରେ ଜାନୁଆରୀ ୮ ତାରିଖରେ ବିଜ୍ଞପ୍ତି ଜାରି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକକାଳୀନ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ ଓଡ଼ିଶା ଜିଲ୍ଲା ପରିଷଦ ଆକ୍ଟ-୧୯୯୧ର ଧାରା ୧୭ର ପ୍ରାବଧାନ ଅନୁସାରେ ସମସ୍ତ ଜିଲ୍ଲା ପରିଷଦରେ ସଭ୍ୟ ନିର୍ବାଚନ କରିବାକୁ ସମ୍ମତି ଦେଇଛନ୍ତି । ସେହିପରି ଓଡ଼ିଶା ପଞ୍ଚାୟତ ସମିତି ଆକ୍ଟ-୧୯୫୯ ଓ ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ରୁଲସ-୧୯୯୧ର ରୁଲ-୪(୧) ପ୍ରାବଧାନ ଅନୁସାରେ ସମସ୍ତ ପଞ୍ଚାୟତ ସମିତିରେ ସଭ୍ୟ ନିର୍ବାଚନ କରିବାକୁ ଘୋଷଣା କରାଯାଇଛି । ସେହିପରି ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟ-୧୯୬୪ର ଧାରା-୧୨(୧ ଓ ୨), ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ରୁଲସ-୧୯୬୫ର ରୁଲ ୧୩ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାର କେବଳ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ପଞ୍ଚାୟତରେ ୱାର୍ଡ ସଭ୍ୟ ଓ ପଞ୍ଚାୟତ ନିର୍ବାଚନ କରିବାକୁ ଘୋଷଣା କରିଥିଲେ । ତେବେ ହାଇକୋର୍ଟଙ୍କ ବିଚାର ପରେ ନିର୍ବାଚନ ହେବ କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ବହୁ ରାଜନୈତିକ ଦଳର ନେତୃତ୍ୱ କହିଛନ୍ତି ।