ଟାଙ୍ଗୀ-ଚୌଦ୍ୱାରରେ ବିପିଡିପି ବୈଠକ: ବ୍ଲକ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତେଜିଲା ଅସନ୍ତୋଷ

ଟାଙ୍ଗୀ-ଚୌଦ୍ୱାରରେ ବିପିଡିପି ବୈଠକ: ବ୍ଲକ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତେଜିଲା ଅସନ୍ତୋଷ

ଟାଙ୍ଗୀ-ଚୌଦ୍ୱାରରେ ବିପିଡିପି ବୈଠକ
ବ୍ଲକ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତେଜିଲା ଅସନ୍ତୋଷ


#ଟାଙ୍ଗୀ- ଚୌଦ୍ୱାର (ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ବ୍ଲକ ପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ବିଭିନ୍ନ ପଞ୍ଚାୟତର ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ସାଂସଦଙ୍କ ପ୍ରତିନିଧି ଚୌଧୁରୀ ହେମନ୍ତ କୁମାର ସାହୁ, ଆଠଗଡ଼ ବିଧାୟକଙ୍କ ପ୍ରତିନିଧି ସେଖ ସାଜନ ପ୍ରମୁଖ ଯୋଗଦେଇଥିବାବେଳେ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜଲକ୍ଷ୍ମୀ ଓଝା ପରିଚାଳନା କରିଥିଲେ। ଏହି ବୈଠକରେ ବିଶେଷ କରି ଭତ୍ତା ବିତରଣରେ ବିଳମ୍ବ ଯୋଗୁଁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିପାଇଁ ହିତାଧିକାରୀଙ୍କୁ ବିଭିନ୍ନ ସମସ୍ୟା ଭୋଗ କରିବାକୁ ପଡ଼ୁଥିବା ଉପସ୍ଥିତ ପଞ୍ଚାୟତ ଲୋକପ୍ରତିନିଧିମାନେ ଅଭିଯୋଗ ଉଠାଇଥିଲେ। ଏ ନେଇ ବିଡିଓଙ୍କ ଅପାରଗତା ଥିବା ଲୋକପ୍ରତିନିଧିମାନେ ଅଭିଯୋଗ କରିଥିଲେ। ସେହିଭଳି ଏବେ ବିଦ୍ୟୁତ ବିତରଣ ସଂସ୍ଥା ଟିପିସିଓଡିଏଲର ଗ୍ରାହକ ଶୋଷଣ ନୀତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସଂସ୍ଥା ସ୍ମାର୍ଟ ମିଟର ଲଗାଇ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ଉଠାଇବା ସହ ବୈଠକରେ ଏହାକୁ ତିବ୍ର ବିରୋଧ କରାଯାଇଥିଲା। ସେହିଭଳି ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିବା ନେଇ ଅଭିଯୋଗ ଉଠିଛି। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସବ ସେଣ୍ଟର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ତାହା ବିଭାଗକୁ ଏଯାଏ ହସ୍ତାନ୍ତର କରାଯାଇ ନାହିଁ। ଫଳରେ ସେଠାରେ ସମସ୍ତ ଭିତ୍ତିଭୂମି ସଜଡା ଯାଇ ରୋଗୀ ସେବା ହୋଇ ପାରୁନଥିବା ମଧ୍ୟ ବିଭିନ୍ନ ପଞ୍ଚାୟତରୁ ଅଭିଯୋଗ ଆସିଛି। ସେହିଭଳି ସାରା ରାଜ୍ୟରେ ଏବେ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଓ ଜାଲ ଜାତିଗତ ପ୍ରମାଣପତ୍ର ଏବେ ମୁଣ୍ଡ ବିନ୍ଧାର କାରଣ ହୋଇଥିବାବେଳେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ମଧ୍ୟ ଏହାର ପ୍ରତିଛବି ଦେଖିବାକୁ ମିଳିଛି। ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷାବିଭାଗରେ ଚାକିରୀ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବୈଠକରେ ଦାବି ଉଠିଥିଲା। ଏଥିସହିତ ଆଜିର ବୈଠକରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ବ୍ଲକ ପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନ ନେଇ ଅନୁମୋଦନ। ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ଲାନରେ ପ୍ରତି ପଞ୍ଚାୟତକୁ ପ୍ରାୟ୧୪ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ପାଇଁ ଅନୁମୋଦନ କରାଯାଇଛି। ତେବେ ଏହି ବ୍ଲକରେ ଅନେକ କାମ ଅଧାପନ୍ତରିଆ ଭାବେ ପଡ଼ିରହିଥିବାବେଳେ ଆଉ କିଛି କାମ ଆଦୌ ହୋଇ ପାରିନଥିବା ନେଇ ଅଭିଯୋଗ ଉଠିଥିଲା। ତେବେ ବ୍ଲକ ଯନ୍ତ୍ରୀଙ୍କ ପାରିବା ପଣିଆ ନେଇ ଉପସ୍ଥିତ ସମିତି ସଦସ୍ୟମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଅନ୍ୟପକ୍ଷରେ ପଞ୍ଚାୟତଗୁଡ଼ିକର ବିଭିନ୍ନ କାମକୁ ଯନ୍ତ୍ରୀ ଭାଗଭାଗ କରି ନିଜ ହାତରେ କରାଇ ନିଜର ହାତ ଚିକଣ କରିବାକୁ ପ୍ରଚେଷ୍ଠା ଚଳାଇଥିବା ଭଳି ସଂଗୀନ ଅଭିଯୋଗ ଉଠିଥିଲା। ଯାହା ସମ୍ପୂର୍ଣ୍ଣ ତଦନ୍ତ ସାପେକ୍ଷ ବୋଲି ପଞ୍ଚାୟତର ଲୋକପ୍ରତିନିଧିମାନେ ଦାବି ଉଠାଇଛନ୍ତି। ସେହିଭଳି ଚଳିତ ବର୍ଷ ନିରନ୍ତର ବର୍ଷା ଯୋଗୁଁ ବ୍ୟାପକ ଖରିପ ଫସଲ ନଷ୍ଟ ହୋଇଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ କୃଷି ବିଭାଗ ଅଧିକାରୀ ଫସଲ ନଷ୍ଟ ସମ୍ପର୍କରେ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଥିଲା। ତେବେ ବ୍ଲକ କର୍ତ୍ତୃପକ୍ଷଙ୍କ ବିଭିନ୍ନ କ୍ଷେତ୍ରରେ ମନମୁଖୀ କାର୍ଯ୍ୟକୁ ନେଇ ସାଲେପୁର ବିଧାୟକ ଶ୍ରୀ ବେହେରା ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ବ୍ଲକ କର୍ତ୍ତୃପକ୍ଷଙ୍କ ଦୁର୍ନୀତି ଧରାପଡ଼ିଯିବା ଭୟରେ ବୈଠକସ୍ଥଳକୁ ସାମ୍ବାଦିକମାନଙ୍କୁ ପ୍ରବେଶ ନିଷେଧ କରାଯିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ