ଜଗତପୁରରେ କ୍ଲବ ବାରଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର : ବିତିଲା ୧୦ ବର୍ଷ ଘର ଖଣ୍ଡେ ନାହିଁ
#ଜଗତପୁର (ଏନ୍.ଏମ୍.): ସରକାର ମହିଳା ଓ ଶିଶୁମାନଙ୍କ ବିକାଶ ନିମନ୍ତେ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ମହିଳା ଓ ଶିଶୁମାନଙ୍କୁ ଅପପୃଷ୍ଟିରୁ ସୁରକ୍ଷା ଦେବା ସହ ଶିଶୁମାନଙ୍କ ବୌଦ୍ଧିକ ବିକାଶ ନିମନ୍ତେ ସରକାର ଯୋଜନା ମଧ୍ୟ କରିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ସମନ୍ୱିତ ଶିଶୁବିକାଶ ସେବା ଯୋଜନା ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ସହ ମହିଳା ଓ ଶିଶୁମାନଙ୍କୁ ବିଭିନ୍ନ ସାମଗ୍ରୀ ଯୋଗାଇ ଦେଇ ଆସୁଛନ୍ତି । ସମ୍ପ୍ରତି କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ତଥା କଟକ ମହାନଗର ନିଗମ ଅଞ୍ଚଳରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଙ୍ଗନୱାଡି କେନ୍ଦ୍ର ଚାଲୁଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନିଥିବା ଦୁର୍ଭାଗ୍ୟ ଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ମୋଟ ୩୩୧୮ଟି ଅଙ୍ଗନୱାଡ଼ି କେନ୍ଦ୍ର ଥିବାବେଳେ କଟକ ସହରରେ ୨୯୦ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ସେଥି ମଧ୍ୟରୁ ୧୮ଟି ଅଙ୍ଗନୱାଡି କେନ୍ଦ୍ର ଭଡ଼ା ଘରେ ଚାଲିଥିବା ବିଭାଗ ପକ୍ଷରୁ ଜଣାପଡ଼ିଛି । ତେବେ ସରକାର ଅଙ୍ଗନୱାଡି କେନ୍ଦ୍ର ଜରିଆରେ ସମସ୍ତ ମହିଳା ଓ ଶିଶୁମାନଙ୍କ ବିକାଶ ନିମନ୍ତେ ବ୍ୟବସ୍ଥା କରିଥିବାବେଳେ କେନ୍ଦ୍ର ପାଇଁ ନିଜସ୍ୱ ଗୃହ କରାନଯାଇ ପାରିବା ସରକାରଙ୍କ ପାରିବା ପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ସୂଚନା ଅନୁଯାୟୀ କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ୪୮ ନମ୍ବର ୱାଡରେ ଦୀର୍ଘ ୧୦ ବର୍ଷ ଧରି ଅଙ୍ଗନୱାଡି କେନ୍ଦ୍ର ଚାଲିଥିଲେ ମଧ୍ୟ ନିଜସ୍ୱ ଗୃହ ନିର୍ମାଣ ହୋଇ ନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ୱାର୍ଡ ନିମପୁର କିଶୋର କ୍ଲବ ବାରଣ୍ଡାରେ ଦୀର୍ଘ ବର୍ଷ ଧରି ଅଙ୍ଗନୱାଡି କେନ୍ଦ୍ର ଚାଲିଛି । ଫଳରେ କ୍ଲବର ବିଭିନ୍ନ କାର୍ଯ୍ୟକ୍ରମ ହେବା ସମୟରେ ଅଙ୍ଗନୱାଡି ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏହି କ୍ଲବ ଘରକୁ ଅଭିଭାବକମାନେ ନିଜ ଶିଶୁଙ୍କୁ ଏଠାକୁ ଛାଡ଼ିବାକୁ କୁଣ୍ଠାବୋଧ କରୁଥିବାବେଳେ ଅଙ୍ଗନୱାଡିରେ ନାମ ଲେଖାଇ କେବଳ ମାସକୁ ଥରେ ଅଧେ ଆସି ଅଣ୍ଡା ଓ ଛତୁଆ ଘରକୁ ନେଇ ଯାଆନ୍ତି । ଏପରିକି ବର୍ଷର ଅଧିକାଂଶ ସମୟରେ ଏହି ଅଙ୍ଗନୱାଡି କେନ୍ଦ୍ରଟି ସମ୍ପୂର୍ଣ୍ଣ ବନ୍ଦ ରହିଥାଏ । ଏଠାରେ ଦୟନୀୟ ଅବସ୍ଥାରେ ଅଙ୍ଗନୱାଡି କେନ୍ଦ୍ର ଚାଲୁଥିଲେ ମଧ୍ୟ ଏଥି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ଅଞ୍ଚଳରେ ଏକ ସ୍ୱତନ୍ତ୍ର ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ନିମନ୍ତେ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନଙ୍କ ଟାଳଟୂଳ ନୀତି ଏବଂ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋବୃତ୍ତି ଯୋଗୁଁ ଏଠାରେ ଶିଶୁମାନଙ୍କ ଭବିଷ୍ୟତ ଗଠନ ହେବା ପରିବର୍ତ୍ତେ ନିମ୍ନଗାମୀ ହେଉଥିବା ଗଜାନନ ସେବା ସମିତି ସଭାପତି ହରିହର ପଣ୍ଡା କହିଛନ୍ତି । ସରକାର ଓ ପ୍ରଶାସନ ଏ ଦିଗରେ ନିଜର ସଫଳତା ନେଇ ଡିଣ୍ଡିମ ପିଟୁଥିବାବେଳେ ଏହି ଅଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ହୋଇନପାରିବା ସରକାରଙ୍କ ପାରିବା ପଣିଆ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ସୂଚନା ଯୋଗ୍ୟ ଯେ, ଫକିରପୁର ପଣ୍ଡାସାହି ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ଏକ ଜାଗା ଚିହ୍ନଟ ହୋଇଥିବାବେଳେ ଫକିରପୁର ଗ୍ରାମର କିଛି ଲୋକ ଉକ୍ତ ଜାଗାକୁ ନିଜର କହି ସେ ସ୍ଥାନରେ ପାଚେରୀ ବୁଲାଇ ନିଜ ଅକ୍ତିଆରରେ ରଖିଛନ୍ତି । ତେବେ ସେମାନଙ୍କ ଠାରୁ ଜମି ମୁକୁଳାଇବା କିମ୍ବା ଅନ୍ୟତ୍ର ଅଙ୍ଗନୱାଡ଼ି କେନ୍ଦ୍ରଟିଏ ପ୍ରତିଷ୍ଠା କରିବା ଦିଗରେ ପ୍ରଶାସନିକ ଆନ୍ତରିକତା ନଥିବା ଯୋଗୁଁ ଏଠାରେ କ୍ଲବ ଘର ବାରଣ୍ଡାରେ ଶିଶୁଙ୍କ ଭବିଷ୍ୟତ ଗଠନ ହେଉଥିବା କୁହାଯାଉଛି । ତେବେ ଏ ନେଇ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ବର୍ତ୍ତମାନଙ୍କ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ମଧ୍ୟ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବା ନେଇ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି ।