ଚୌଦ୍ୱାର ଅଞ୍ଚଳର ବେହେରା ଗ୍ଲାସ ହାଉସରେ ଜିଏସଟି ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଲାପଟପ ଜବତ
#ଚୌଦ୍ୱାର(ଏନ୍.ଏମ୍.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଆଜି ସିଟିଆଣ୍ଡ ଜିଏସଟି ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଏକ ୨୦ଜଣିଆ ଟିମ ସାମିଲ ହେବା ସହ ୩ଟି ଗୋଦାମ ଓ ଦୋକାନରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଏକ ଲାପଟପ ଜବତ ହୋଇଛି । ସୂଚନା ଅନୁଯାୟୀ ଚୌଦ୍ୱାର କଳିଙ୍ଗଛକରେ ଥିବା ବେହେରା ଗ୍ଲାସ ହାଉସ ନାମରେ ଏକ ହାର୍ଡ଼ୱାର ଦୋକାନରେ ଆଜି ଜିଏସଟି ଟିମ ରେଡ଼ କରିଥିଲା । ତେବେ ଜିଏସଟିର କିଛି ଅଧିକାରୀ ହଠାତ୍ ଦୋକାନକୁ ଆସି କିଛି ସାମଗ୍ରୀ କିଣିଥିଲେ । ସାମଗ୍ରୀ କିଣିବା ପରେ ସେମାନେ ଜିଏସଟି ବିଲ ମଧ୍ୟ ମାଗିଥିଲେ । ମାତ୍ର ଦୋକାନୀ ତାଙ୍କୁ ବିଲ ଦେଇନଥିଲା । ତେବେ ଜିଏସଟି ବିଲ ନଦେବାରୁ ବ୍ୟବସାୟୀଜଣକ ଜିଏସଟି ବିଲ ଫାଙ୍କୁଥିବା ଜଣାପଡ଼ିଥିଲା । ଯାହାକୁ ନେଇ ପୂର୍ବରୁ ପ୍ରସ୍ତୁତ ଥିବା ଏହି ଟିମ ପୂର୍ବାହ୍ନ ୧୧ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଚଢ଼ାଉ କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା । ତେବେ ବେହେରା ଗ୍ଲାସ ହାଉସରେ କୌଣସି ସାମଗ୍ରୀ କିଣିବା ଉପରେ ସିଟି ଆଣ୍ଡ ଜିଏସଟି ଯୁକ୍ତ ବିଲ ଦେଉନଥିବା ଚଢ଼ାଉବେଳେ ଜଣାପଡ଼ିଛି । ତେବେ ଯାଞ୍ଚ ପରେ କେତେ ଠକେଇ ହୋଇଛି ତାହା ସ୍ପଷ୍ଟ ହେବ ବୋଲି କଟକ ଜିଏସଟି ଡେପୁଟି କମିଶନର ଆଶିଷ ସାହୁ ସୂଚନା ଦେଇଛନ୍ତି । ତେବେ ଏ ନେଇ ସମ୍ପୃକ୍ତ ବ୍ୟବସାୟୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।