ବେଆଇନ ବାଲି ଚାଲଣ ପ୍ରତିବାଦରେ ଟାଙ୍ଗୀ-ଚୌଦ୍ୱାର ତହସିଲ ସମ୍ମୁଖରେ ସିପିଆଇ(ଏମ୍) ପକ୍ଷରୁ ଗଣବିକ୍ଷୋଭ
କଟକ(ଏନ୍.ଏମ୍.): ବିରୂପା ନଦୀରୁ ବାଲି ମାଫିଆମାନେ ବେଆଇନ ଭାବେ ବାଲି ଚାଲଣ କରୁଥିବାବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ । ବିଭାଗୀୟ ଅଧିକାରୀଙ୍କ ଗୋଚରରେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ହେଉଛି ଚୋରା ଚାଲଣ । ଅନ୍ୟପକ୍ଷରେ ଦୁର୍ବଳ ନଦୀବନ୍ଧ ରାସ୍ତାରେ ଭାରିଯାନ ଚଳାଚଳ ପାଇଁ ସ୍ଥାନୀୟ ତହସିଲଦାର ନିଷେଧାଦେଶ ଦେଇଥିଲେ ମଧ୍ୟ ବାଲି ମାଫିଆମାନେ ଏହାକୁ ବେଖାତିର କରିବା ସହ ନଦୀକୂଳିଆ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ସିପିଆଇଏମ ପକ୍ଷରୁ ଅଭିଯୋଗ ହୋଇଛି । ଆଜି ଏହାର ପ୍ରତିବାଦରେ ଜଗତପୁର ସ୍ଥିତ ଟାଙ୍ଗୀ-ଚୌଦ୍ୱାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ(ଏମ୍) ପକ୍ଷରୁ ଭଟ୍ଟିମୁଣ୍ଡା ଶାଖା ସମ୍ପାଦକ ମଳୟ ପୃଷ୍ଟିଙ୍କ ନେତୃତ୍ୱରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଶେଷ କରି ବାଲି ମାଫିଆ ମାନେ ବେଆଇନ ଭାବେ ବିରୂପା ନଦୀରୁ ବହୁ ମାତ୍ରାରେ ଚୋରା ବାଲି ଚାଲାଣ କରିବାରେ ଲାଗିପଡିଛନ୍ତି । ଯାହା ଫଳରେ ବିରୂପା ନଦୀ କୂଳ ସହ ସଂଲଗ୍ନ ଥିବା ଭଟ୍ଟିମୁଣ୍ଡା, ନପଙ୍ଗ, ଜରିପଡା ଓ ଗୋବିନ୍ଦପୁର ଭଳି ପଞ୍ଚାୟତରେ ମାତ୍ରାଧିକ ଭାରୀଯାନ ଯାତାୟତ କରିବାରୁ ନଦୀ ବନ୍ଧ ରାସ୍ତା ଦୁର୍ବଳ ହୋଇପଡୁଛି । ଏଥିସହ ସକାଳ ୮ଟାରୁ ରାତି ୮ ଘଟିକା ପର୍ଯ୍ୟନ୍ତ ଉପରୋକ୍ତ ପଞ୍ଚାୟତକୁ ସଂଯୋଗ କରୁଥିବା ନଦୀବନ୍ଧରେ ଭାରୀଯାନ ଚଳାଚଳ ନକରିବା ପାଇଁ ପୂର୍ବତନ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ବାଲି ମାଫିଆମାନେ ବେଖାତିର କରି ବହୁ ସଂଖ୍ୟାରେ ହାଇୱା ଓ ଟ୍ରାକ୍ଟରରେ ବାଲି ଚୋରା ଚାଲାଣ କରୁଛନ୍ତି । ତେଣୁ ଏ ନେଇ ତହସିଲଦାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିକ୍ଷୋଭକାରୀମାନେ ଦାବି କରିଥିଲେ । ଏହି ପରିପ୍ରେକ୍ଷୀରେ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଅଜୟ କୁମାର ମଲ୍ଲିକଙ୍କୁ ଭେଟି ସିପିଆଇ(ଏମ୍) ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ବେଆଇନ ଚୋରା ବାଲି ଚାଲାଣକୁ ବନ୍ଦ କରିବା ପାଇଁ ସିପିଆଇ(ଏମ୍) କଟକ ଜିଲ୍ଲା ସମ୍ପାଦକ ବଦ୍ରିନାରାୟଣ ଦାଶ, ଡମ୍ବରୁଧର ସାହୁ, ଜୟକିଶୋର ପ୍ରସାଦ ସିଂହ, ନାରୀନେତ୍ରୀ ସୁରତି ଦଳେଇ, ରମେଶ ବେହେରା, ପ୍ରଶାନ୍ତ ସାହୁ, ଧନେଶ୍ୱର ସାହୁ, ମନୁ ସାହୁ, ବାବୁଲା ଦଳେଇ, ରବିନ୍ଦ୍ର ସାହୁ, ମହେନ୍ଦ୍ର ବେହେରା ଓ ରମେଶ ସାହୁ ପ୍ରମୁଖ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ।